25.1 C
Bhubaneswar
Wednesday, October 30, 2024
Homeଅପରାଧ୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ୮୦୦ କିମି ଦୂର ଅନ୍ୟ ରାଜ୍ୟରେ...

୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ୮୦୦ କିମି ଦୂର ଅନ୍ୟ ରାଜ୍ୟରେ ନେଇ ଜାଳିଦେଲା

ବେଙ୍ଗାଲୁରୁ: ରମେଶ ନାମକ ଜଣେ ୫୪ ବର୍ଷୀୟ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁର ରହସ୍ୟ ଖୋଲିବାରେ କର୍ଣ୍ଣାଟକ ପୁଲିସ୍ ସଫଳ ହୋଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ରମେଶଙ୍କ ୨ୟ ପତ୍ନୀ ନିହାରିକା ଏବଂ ତାଙ୍କର ୨ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଛି। ରମେଶଙ୍କ ୨ୟ ପତ୍ନୀ ନିହାରିକା ହିଁ ରମେଶଙ୍କୁ ହତ୍ୟା କରିଥିବା ବେଳେ ଏଥିରେ ତା’ଙ୍କୁ ତା’ଙ୍କ ପ୍ରେମିକ ନିଖିଲ (ପଶୁ ବିଶେଷଜ୍ଞ) ଏବଂ ଅନ୍ୟଜଣେ ସାଙ୍ଗ ଅଙ୍କୁର ରାଣା ନାମକ ଦୁଇ ଯୁବକ ସହଯୋଗ କରିଥିଲେ। ଏମାନେ ରମେଶଙ୍କୁ ହାଇ୍ରଦାବାଦ୍‌ର ଉପ୍ଲଲ ଅଞ୍ଚଳରେ ହତ୍ୟା କରିବା ପରେ ୮୦୦ କିମି ଦୂର (କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଶୁଣ୍ଟିକୋପ୍ପା ଅଞ୍ଚଳରେ ଥିବା ଏକ କଫି ବଗିଚାକୁ ନେଇଯାଇ ସେଠାରେ ପୋଡିଦେଇଥିଲେ।

ପୁଲିସ୍ ରିପୋର୍ଟ ଅନୁସାରେ ନିହାରିକା ପି (୨୯)ଙ୍କ ପିଲାଦିନ ବେଶ୍ କଷ୍ଟରେ କଟିଥିଲା। ମାତ୍ର ୧୬ ବର୍ଷ ବୟସ ହୋଇଥିବା ବେଳେ ବାପା ମୃତ୍ୟୁବରଣ କରିଥିଲେ ଏବଂ ମା’ ତାଙ୍କୁ ଛାଡି ଅନ୍ୟଜଣଙ୍କୁ ବିବାହ କରିନେଇଥିଲେ। ତେବେ ଯେନତେନ ପ୍ରକାରେ ନିହାରିକା ପାଠ ପଢ଼ିବା ଜାରି ରଖିଥିଲେ। ପାଠ ପଢ଼ାରେ ସେ ବେଶ୍ ଭଲଥିବା ବେଳେ ଇଞ୍ଜିନିୟରିଂରେ ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ଏହାକୁ ପେଶାଦାର କ୍ୟାରିୟର କରିବା ପୂର୍ବକ ସେ ଭଲ ରୋଜଗାର ମଧ୍ୟ କରୁଥିଲେ। କମ୍ ବୟସରେ ହିଁ ସେ ଜଣେ ଯୁବକଙ୍କୁ ବିବାହ କରିନେଇଥିଲେ ଏବଂ ମା’ ମଧ୍ୟ ସାଜିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବିବାହ ବିଚ୍ଛେଦ କରି ଅନ୍ୟତ୍ର ଚାଲିଯାଇଥିଲେ। ଏହି ସମୟରେ ସେ ଏକ ଆର୍ଥିକ ହେରଫେର (ବ୍ୟାଙ୍କ୍ ଜାଲିଆତି) ମାମଲାରେ ଜେଲ୍ ମଧ୍ୟ ଯାଇଥିଲେ ଯେଉଁଠାରେ ତାଙ୍କର ପରିଚୟ ଅଙ୍କୁର (ରମେଶଙ୍କ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ) ସହ ହୋଇଥିଲା। ତେବେ ଜେଲ୍‌ରୁ ବାହାରିବା ପରେ ନିହାରିକା ଦ୍ୱିତୀୟ ବିବାହ କରିବାକୁ ମନବଳାଇଥିଲେ। ଏହି ସମୟରେ ସେ ରମେଶଙ୍କ ସଂସ୍ପର୍ଶରେ ଆସିଥିଲେ। ରମେଶ ମଧ୍ୟ ନିଜ ପ୍ରଥମ ବିବାହକୁ ସମାପ୍ତ କରିସାରିଥିବାରୁ ନିହାରିକାଙ୍କୁ ୨ୟ ପତ୍ନୀର ମାନ୍ୟତା ଦେଇଥିଲେ। ରମେଶ, ନିହାରିକାଙ୍କୁ ଏକ ହାଇଷ୍ଟାଣ୍ଡାର୍ଣ୍ଡ ଲାଇଫ୍ ଷ୍ଟାଇଲ୍ ଦେବା ପୂର୍ବକ ସବୁପ୍ରକାର ଖୁସି ଦେଇଥିଲେ। ସମୟ କ୍ରମେ ନିଜେ କିଛି କରିବା ଆଳରେ ନିହାରିକା ନିଜ ସ୍ୱାମୀ ରମେଶଙ୍କୁ ୮ କୋଟି ଟଙ୍କା ମାଗିଥିଲେ। କିନ୍ତୁ ରମେଶ ଏତେଗୁଡ଼ିଏ ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଥିଲେ। ଏହାକୁ ନେଇ ନିହାରିକା ଭିତରୁ ବେଶ୍ ପ୍ରତିଶୋଧପରାୟଣ ହୋଇପଡିଥିଲେ ଏବଂ ରମେଶଙ୍କୁ ହତ୍ୟା କରିବାକୁ ଯୋଜନା କରିବା ଆରମ୍ଭ କରିଥିଲେ।

 ଅକ୍ଟୋବର ୧ ତାରିଖରେ ନିହାରିକା ନିଜ ପ୍ରେମୀ ତଥା ପଶୁ ଡାକ୍ତର ନିଖିଲ ଓ ତାଙ୍କ ସାଥୀ ଅଙ୍କୁର ରାଣାଙ୍କ ସହ ମିଶି ସ୍ୱାମୀ ରମେଶଙ୍କୁ ହାଇଦ୍ରାବାଦ୍‌ରେ ହିଁ ହତ୍ୟା କରିଥିଲେ। ଏହା ପରେ ତିନିଜଣ ମୃତଦେହକୁ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଏକ କଫି ବଗିଚାକୁ ନେଇଆସିଥିଲେ। ସେଠାରେ ସେମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ଶବକୁ ପ୍ରଥମେ ଏକ କମ୍ବଳରେ ଘୋଡାଇ ଦେଇଥିଲେ ଏବଂ ନିଆଁ ଲଗାଇ ଦେଇ ସେଠାରୁ ହାଇଦ୍ରାବାଦ୍ ପଳାଇଆସିଥିଲେ। ଚାଲାକ ନିହାରିକା ଏହି ସମୟରେ ପୁଲିସ୍ ତଦନ୍ତକୁ ଡାଇଭର୍ଟ କରିବା ପାଇଁ (ନିଜ ଉପରକୁ ସନ୍ଦେହ ନଆସିବା ପାଇଁ) ସ୍ୱାମୀ ରମେଶଙ୍କ ନିଖୋଜ ସମ୍ପର୍କୀତ ଏକ ମାମଲା ରୁଜୁ କରିଦେଇଥିଲେ। ତେବେ ଏହି ଘଟଣାରେ ପ୍ରାୟ ସପ୍ତାହକ ପରେ ଅର୍ଥାତ୍ ଅକ୍ଟୋବର ୮ ତାରିଖରେ କଫି ବଗିଚାର କର୍ମଚାରୀମାନେ ଦରପୋଡା ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ। କର୍ଣ୍ଣାଟକ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂରା ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ୪ଟି ସ୍ୱତନ୍ତ୍ର ଟିମ୍‌ର ୧୬ ଜଣ ପୁଲିସ ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ପରେ ସିସିଟିଭି ଫୁଟେଜରୁ ତେଲେଙ୍ଗାନା ରାଜ୍ୟରେ ପଞ୍ଜିକୃତ ହୋଇଥିବା ଏକ ନାଲି ରଙ୍ଗର ମର୍ସିଡିଜ୍ ବେଞ୍ଜ୍ କାର ଉକ୍ତ ସ୍ଥାନକୁ ନିଆଯାଉଥିବା ଜଣାପଡିଥିଲା। କର୍ଣ୍ଣାଟକ ପୁଲିସ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ କରିଥିଲା। ଏହି ସମୟରେ ରମେଶ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏହି କାର ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା। ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ କର୍ଣ୍ଣାଟକ ପୁଲିସ ନିହାରିକାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ଏବଂ ଏଥିରେ ତାଙ୍କୁ ନିଖିଲ ଏବଂ ଅଙ୍କୁର ସହଯୋଗ କରିଥିବା ନେଇ ସ୍ୱୀକାର କରିଛନ୍ତି। ପୁଲିସ୍ ଏବେ ଏହି ୩ଜଣଙ୍କୁ ଏହି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking