ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର ଘଟଣା । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । କହିଛନ୍ତି , ମୁଖ୍ୟ ଅଭିଯୁକ୍ତ କେଦାର ସେନ ପୁରୀରୁ ଗିରଫ ହୋଇଛି । ଆଉ ଜଣେ ମହିଳାଙ୍କୁ ଆମେ ଅଟକ ରଖିଛୁ । ୨ ଜଣ ବାଇକ ଆରୋହୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇନି । ମହିଳା ଜଣଙ୍କ କାହିଁକି ପିଲାକୁ ନେଇଥିଲେ ସ୍ପଷ୍ଟ ହୋଇନି । ସୂଚନା ଥାଉ କି ଭୁବନେଶ୍ବରରେ ଚୋରି ହୋଇଥିଲା ଶିଶୁପୁତ୍ର ବାଲେଶ୍ବରରୁ ଉଦ୍ଧାର ହୋଇଛି । ଖନ୍ତାପଡ଼ାରୁ ଶିଶୁକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଶନିବାର ରାତିରେ ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ କୋଳରୁ ଦେଢବର୍ଷର ଶିଶୁପୁତ୍ର ଅପହରଣ କରିଥିଲା ଦୁର୍ବୃତ୍ତ । ସିସିଟିଭିରେ ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା । ଅପହରଣକାରୀଙ୍କ ପାଖରେ ପହଞ୍ଚିବା ପାଇଁ ୫ଟି ଟିମ୍ ଗଠନ କରିଥିଲା କମିଶନରେଟ୍ ପୋଲିସ । ଶେଷରେ ବାଲେଶ୍ବରରୁ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ ।