ୱାଶିଂଟନ୍: ଆମେରିକାରେ ଅବୈଧ ରୂପେ ପ୍ରବେଶ କରିଥିବା ୧୦୪ ଭାରତୀୟ ନାଗରିକଙ୍କୁ ପ୍ରତ୍ୟର୍ପଣ କରିଛି ଆମେରିକା । ନିର୍ବାସିତ ଭାରତୀୟ ବୁଧବାର ଦିନ ଆମେରକା ଯୁଦ୍ଧ ବିମାନରେ ଆସି ଅମୃତସରର ଶ୍ରୀଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ପାଦରେ ବେଡି ପକାଇ ଆମେରିକାରୁ ପ୍ରତ୍ୟର୍ପଣ ହୋଇଛନ୍ତି ଭାରତୀୟ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚହଳ ପକାଇଥିବା ବେଳେ ରାଜନୈତିକ ମହଲରେ ତର୍କବିତର୍କ ଆରମ୍ଭ ହୋଇଯାଇଛି । ପ୍ରତ୍ୟର୍ପଣ ଭାରତୀୟଙ୍କ ମଧ୍ୟରେ ୩୩ ଜଣ ହରିୟାଣାର, ୩୩ ଜଣ ଗୁଜୁରାଟର, ୩୦ ଜଣ ପଞ୍ଜାବର, ୩ ଜଣ ମହାରାଷ୍ଟ୍ର, ୩ ଜଣ ଉତ୍ତର ପ୍ରଦେଶ ଓ ୨ ଜଣ ଚଣ୍ଡିଗଡର ରହିଛନ୍ତି । ସେହିପରି ୧୯ ଜଣ ମହିଳାଙ୍କ ମଧ୍ୟରୁ ୧୩ ଜଣ ଶିଶୁ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ୪ ବର୍ଷୀୟ ନାବାଳକ ଓ ୫ ବର୍ଷୀୟା ଓ ୭ ବର୍ଷୀୟା ଦଇ ଜଣ ନାବାଳିକା ରହିଛନ୍ତି । ନିକଟରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆଲୋଚନା ପରେ ଏହି ନିର୍ବାସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ପୂର୍ବରୁ ବି ଆମେରିକା ଭାରତୀୟ ନାଗରିକଙ୍କୁ ନିର୍ବାସିତ କରିଛି । କିନ୍ତୁ ପ୍ରଥମ ଥର ଏଭଳି ଅପରେସନ ପାଇଁ ଯୁଦ୍ଧ ବିମାନର ବ୍ୟବହାର କରାଯାଇଛି । ଆଇନର ଉଲ୍ଲଙ୍ଘନ କରିଥିବା କାରଣରୁ ଆମେରିକା କୌଣସି ଅବୈଧ ନାଗରିକଙ୍କୁ ଦେଶରୁ ବାହାର କରିବା ପ୍ରକ୍ରିୟାକୁ ନିର୍ବାସନ କୁହାଯାଇଥାଏ । ଆମେରିକା ପ୍ରବାସୀ ପ୍ରତ୍ୟର୍ପଣ ଓ ସୀମା ଶୁଳ୍କ ପ୍ରବର୍ତ୍ତନ ଏଜେନ୍ସୀ ନିର୍ବାସିତ ପ୍ରକ୍ରିୟାର ଦେଖାଶୁଣା କରିଥାନ୍ତି । ନିର୍ବାସନ ଅନେକ କାରଣ ରହିଛି । ଭିସା ନିୟମର ଉଲ୍ଲଙ୍ଘନ, ଅପରାଧିକ ଗତିବିଧି ବା ସାର୍ବଜନିକ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରବା ଯୋଗୁଁ ନିର୍ବାସନ ହୋଇଥାଏ ।
ସାଧାରଣତଃ ଯେତେବେଳେ ପ୍ରବାସୀଙ୍କୁ ଆମେରିକା ପ୍ରବାସୀ ଆଇନର ଉଲ୍ଲଙ୍ଘନ ପାଇଁ ହେପାଜତକୁ ନିଆଯାଏ ସେତେବେଳେ ସେମାନଙ୍କୁ ହପାଜତ କେନ୍ଦ୍ରରେ ରଖାଯାଇଥାଏ । ସେମାନଙ୍କୁ ସେପର୍ଯ୍ୟନ୍ତ ହେପାଜତରେ ରଖାଯାଏ ଯେପର୍ଯ୍ୟନ୍ତ ତାଙ୍କ ମାମଲା ଅଦାଲତରେ ସମୀକ୍ଷା ହୋଇଯାଇ ନାହିଁ । ଆମେରିକାରେ ରହିବା ପାଇଁ ବ୍ୟକ୍ତି ଜଣକ ଯୋଗ୍ୟ ନା ନାହିଁ ଯେପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଧାରଣ କରିନାହାନ୍ତି ସେପର୍ଯ୍ୟନ୍ତ ତାଙ୍ କୁନିର୍ବାସିତ କରାଯାଇ ନଥାଏ । କିନ୍ତୁ କିଛି ମାମଲାରେ ଅଦାଲତଙ୍କ ବିନା ହସ୍ତକ୍ଷେପରେ ତ୍ୱରିତ ନିଷ୍କାସନ କରାଯାଇଥାଏ । ଖାସକରି ଯେତେବେଳେ ପ୍ରବାସୀ ଆବଶ୍ୟକୀୟ ଦସ୍ତାବିଜ ବିନା ଦେଶରେ ପ୍ରବେଶ କରିଥାନ୍ତି ସେତେବେଳେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥାଏ ।










