ମସ୍କୋ : ଇରାନ୍-ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ହୋଇସାରିଛି । ଆମେରିକା ସେନା ସିଧାସଳଖ ଇରାନ୍ର ୩ଟି ଆଣବିକ ଘାଟି ଉପରେ ଆକ୍ରମଣ କରିଛି । ତେବେ ଏସବୁ ସତ୍ତ୍ୱେ ରୁଷ୍ କାହିଁକି ଚୁପ୍ ରହିଛି, କାହିଁକି ଇରାନ୍କୁ ସହଯୋଗ କରୁନାହିଁ ବୋଲି ସ୍ୱାଭାବିକ ପ୍ରଶ୍ନ ଏବେ ବିଶ୍ୱସ୍ତରରେ ଜୋର ଧରିଛି । ତେବେ ଏସବୁ ପ୍ରଶ୍ନର ପାହାଡରେ ଛିଡା ହୋଇଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ନିଜେ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ପୁତିନ୍ କହିଛନ୍ତି, ଯଦିଓ ଦଶନ୍ଧି ଦଶନ୍ଧି ଧରି ରୁଷ୍ ଏବଂ ଇରାନର ଘନିଷ୍ଠ ସମ୍ପର୍କ ରହିଛି, ସେ ବର୍ତ୍ତମାନ ସୁଦ୍ଧା ଏହି ସଂଘର୍ଷରେ ନିରପେକ୍ଷ ରହିବାକୁ ଚେଷ୍ଟା କରୁଛନ୍ତି କାରଣ ଇସ୍ରାଏଲରେ ବହୁ ସଂଖ୍ୟକ ରୁଷିଆନ୍ ଭାଷାଭାଷୀ ଲୋକ ରହୁଛନ୍ତି । ପୁତିନ୍ କହିଛନ୍ତି ସେ ଇସ୍ରାଏଲ୍-ଇରାନ୍ ଯୁଦ୍ଧ ସମର୍ଥନରେ ନାହାନ୍ତି । ଏସବୁ ମଧ୍ୟରେ ଆମେରିକା ଇରାନ୍ ଉପରେ ଆକ୍ରମଣ କରିବାକୁ ମଧ୍ୟ ସେ ତୀବ୍ର ନିନ୍ଦା କରିଛନ୍ତି । ପ୍ରକାଶ, ଆମେରିକା ୧୪,୦୦୦ କିଲୋଗ୍ରାମ ବଙ୍କର-ବଷ୍ଟର ବୋମା ପଠାଇବା ଏବଂ ଅପରେସନ୍ ମିଡନାଇଟ୍ ହାମର୍ କରିବା ପରେ ପୁତିନ୍ଙ୍କର ଏହି ମନ୍ତବ୍ୟ ଆସିଛି ।
ପୁତିନ୍ କହିଛନ୍ତି, ପୂର୍ବତନ ସୋଭିଏତ୍ ୟୁନିଅନ୍ ଏବଂ ରୁଷିଆନ୍ ଫେଡେରେସନର ପ୍ରାୟ ୨ ନିୟୁତ ଲୋକ ଇସ୍ରାଏଲରେ ବାସ କରନ୍ତି । ଏହା ଆଜି ପ୍ରାୟତଃ ଏକ ରୁଷିଆନ୍ ଭାଷାଭାଷୀ ଦେଶ । ଆମେ ରୁଷର ସମସାମୟିକ ଇତିହାସରେ ଏହାକୁ ସର୍ବଦା ବିଚାରକୁ ନେଉଛୁ । ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍ରେ ଯୋଗ ଦେବା ଅବସରରେ ପୁତିନ୍ ଏପରି କହିଛନ୍ତି । ପୁତିନ୍ ସେହି ସମାଲୋଚକମାନଙ୍କୁ ମଧ୍ୟ ଜବାବ ଦେଇଥିଲେ ଯେଉଁମାନେ ରୁଷର ସହଯୋଗୀମାନଙ୍କ ପ୍ରତି ବିଶ୍ୱସ୍ତତା ଉପରେ ପ୍ରଶ୍ନ ଉଠାଇଥିଲେ । ପୁତିନ୍ଙ୍କ କହିବାନୁସାରେ ରୁଷର ସମ୍ପର୍କ ଉଭୟ ଆରବ ଦେଶ ଏବଂ ଇସଲାମିକ୍ ଦେଶ ସହିତ ଦୀର୍ଘ ଦିନ ଧରି ବନ୍ଧୁତ୍ୱପୂର୍ଣ୍ଣ ରହିଛି, ରୁଷର ଜନସଂଖ୍ୟାର ୧୫% ମୁସଲିମ୍ ଧର୍ମାବଲମ୍ବୀ । ରୁଷ ଇସଲାମିକ୍ ସହଯୋଗ ସଂଗଠନରେ ମଧ୍ୟ ଏକ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ରହିଆସିଛି । ପ୍ରକାଶ, ଏସବୁ ମଧ୍ୟରେ ଇରାନ୍ ସହାୟତା ପାଇଁ ରୁଷ୍କୁ ଚିଠି ମଧ୍ୟ ଲେଖିସାରିଛି । ଇରାନ୍ର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନେଇ, ରୁଷ୍ ରାଷ୍ଟ୍ରପତି ପୁତିନ୍ଙ୍କୁ ଚିଠି ଲେଖି ସହାୟତା କରିବାକୁ ଅନୁରୋଧ କରିଛନ୍ତି ।









