30.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶକିଏ ହେବେ ପରବର୍ତ୍ତୀ ପୋପ୍‌?

କିଏ ହେବେ ପରବର୍ତ୍ତୀ ପୋପ୍‌?

ଭାଟିକାନ୍ ସିଟି : ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଦେହାନ୍ତ ହେବା ପରେ ଭାଟିକାନ୍ ସିଟିରେ ଏବେ ପରବର୍ତ୍ତୀ ପୋପ୍ କିଏ ହେବେ ସେନେଇ ସମଗ୍ର ବିଶ୍ୱର ତୀକ୍ଷ୍ଣ ନଜର ରହିଛି। ତେବେ ଫ୍ରାନ୍‌ସିସ୍‌ଙ୍କ ଉତ୍ତରାଧିକାରୀ ଦୌଡରେ ଏବେ ଅନେକ ନାମ ସାମ୍ନାକୁ ଆସୁଛି। ଏମାନଙ୍କ ମଧ୍ୟରେ କାର୍ଡିନାଲ୍ ପିଏଟ୍ରୋ ପାରୋଲିନ୍‌, କାର୍ଡିନାଲ୍ ପିଟର କୋଡୱୋ ଆପିଆହ ତୁର୍କସନ, କାର୍ଡିନାଲ୍ ଲୁଇସ୍ ଆଣ୍ଟୋନିଓ ଗୋକିମ୍ ଟାଗଲ୍ ଏବଂ କାର୍ଡିନାଲ୍ ଫ୍ରିଡୋଲିନ୍ ଆମ୍ବୋଙ୍ଗୋ ବେସୁଙ୍ଗୁଙ୍କ ଭଳି ବ୍ୟକ୍ତିତ୍ୱ ସାମିଲ ରହିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଭାଟିକାନ୍ ସିଟିର ପରବର୍ତ୍ତୀ ପୋପ୍ କିଏ ହେବେ ସେନେଇ ଏବେ କାର୍ଡିନାଲ କଲେଜିୟମ୍ ବିଚାରବିମର୍ଶ କରିବା ଆରମ୍ଭ କରିଦେଇଛନ୍ତି। ପୋପ୍ ଫ୍ରାନ୍‌ସିସ୍‌ଙ୍କ ସତ୍କାର କାର୍ଯ୍ୟକ୍ରମ ଶେଷହେବା ପରେ ପରେ ନୂଆ ପୋପ୍‌ଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କଲେଜିୟମ୍ ଯୋଜନା କରିଛି। ପୋପ୍‌ଙ୍କ ଚୟନ କ୍ୟାଥୋଲିକ୍ ଚର୍ଚ୍ଚ ଏବଂ ବିଶ୍ୱର ୧.୪ ବିଲିୟନ ଖ୍ରୀଷ୍ଟିଆନ୍ ତଥା ରୋମାନ କ୍ୟାଥୋଲିକଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଦିଗରେ ବ୍ୟାପକ ସାବଧାନା ଗ୍ରହଣପୂର୍ବକ ନିଷ୍ପତ୍ତି ନିଆଯିବ ବୋଲି କାର୍ଡିନାଲ କଲେଜିୟମ ପ୍ରକାଶ କରିଛି। ତେବେ ନୂଆ ପୋପ୍ ଦୌଡ଼ରେ ଯେତେବେଳେ ଏକାଧିକ ଦାବିଦାର ଉଭା ହୋଇଛନ୍ତି ସେତେବେଳେ ଗୋଟିଏ ଚୂଡାନ୍ତ ନାମ ଆସିବା ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟାର ସାହାଯ୍ୟ ନେବାକୁ (ଭୋଟି ପ୍ରକ୍ରିୟା ଦ୍ୱାରା ନୂଆ ପୋପ୍ ଚୟନ) କାର୍ଡିନାଲ କଲେଜ ବାଧ୍ୟହେବ। ତେବେ ଭୋଟିଂ ପ୍ରକ୍ରିୟାରେ ସବୁଠୁ ବଡ଼ ଘଟଣା ଦେଖିବାକୁ ମିଳିବ। ଇତିହାସରେ ପ୍ରଥମ ଥର ପାଇଁ, ଭୋଟ୍ ଦେଉଥିବା ଲୋକଙ୍କ ମଧ୍ୟରୁ ଅଧାରୁ କମ୍ ୟୁରୋପୀୟ ହେବେ। ନୂଆ ପୋପ୍ ଦୌଡରେ ଏଥର ଯେଉଁ କାର୍ଡିନାଲମାନଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଅଣୟୁରୋପୀୟ।

କାର୍ଡିନାଲ ପିଏଟ୍ରୋ ପାରୋଲିନ୍‌: ୭୦ ବର୍ଷୀୟ ପାରୋଲିନ୍ ଜଣେ ମିଷ୍ଟଭାଷୀ ଇଟାଲୀୟ ନାଗରିକ। ସେ ଦିବଂଗତ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଅଧୀନରେ ଭାଟିକାନ୍‌ର ରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ରହିବା ସହ ସେ ପୋପ୍‌ଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶ, ଭାଟିକାନ୍‌ର ରାଜ୍ୟ ସଚିବ ଚର୍ଚ୍ଚର କେନ୍ଦ୍ରୀୟ ପ୍ରଶାସନ, ରୋମାନ କ୍ୟୁରିଆର ମଧ୍ୟ ମୁଖ୍ୟ ଅଟନ୍ତି। ଭାଟିକାନ୍‌ର ଉପାଧ୍ୟକ୍ଷ ଭାବରେ ତାଙ୍କ ପ୍ରଭାବଶାଳୀ କାର୍ଯ୍ୟ ତାଙ୍କୁ ଏହି ନୂଆ ପୋପ୍ ଦୌଡରେ ଜଣେ ଅଗ୍ରଣୀ ଭାବରେ ବିବେଚନା କରାଯାଇପାରିବ। କିଛି ଲୋକ ତାଙ୍କୁ କ୍ୟାଥୋଲିକ ମତବାଦର ପବିତ୍ରତା ଅପେକ୍ଷା କୂଟନୀତି ଏବଂ ବିଶ୍ୱ ଦୃଷ୍ଟିକୋଣକୁ ପ୍ରାଥମିକତା ଦେବାର ସମ୍ଭାବନା ଅଧିକ ବୋଲି ମନେ କରନ୍ତି। କାର୍ଡିନାଲ୍ ପିଟର କୋଡୱୋ ଆପିଆହ ତୁର୍କସନ: ୭୬ ବର୍ଷୀୟ କାର୍ଡିନାଲ ପିଟର କୋଡୱୋ ଆପିଆହ ତୁର୍କସନ୍ ଜଣେ ଘାନା ନାଗରିକ ହୋଇଥିବା ବେଳେ ସେ ଏବେ ଭାଟିକାନ୍ ସିଟିର ନୂଆ ପୋପ୍ ଦୌଡରେ ରହିଛନ୍ତି। ଯଦି ତାଙ୍କୁ ବହୁମତ ମିଳେ ଏବଂ ସେ ପରବର୍ତ୍ତୀ ପୋପ୍ ଭାବେ ନିର୍ବାଚିତ ହୁଅନ୍ତି ତେବେ ଦୀର୍ଘ ୧୫୦୦ ବର୍ଷ ପରେ ପ୍ରଥମ ଥର ପାଇଁ ସେ ଜଣେ ଆଫ୍ରିକୀୟ ପୋପ୍ ହେବାର ଗୌରବ ଲାଭ କରିବେ। ପ୍ରକାଶ, ୨୦୧୨ ମସିହାରେ, ତାଙ୍କ ବିରୁଦ୍ଧରେ ବିଶପମାନଙ୍କ ଏକ ଭାଟିକାନ ସମ୍ମିଳନୀରେ ୟୁରୋପରେ ଇସଲାମ ପ୍ରସାର ବିଷୟରେ ଭୟଭୀତକାରୀ ଭବିଷ୍ୟବାଣୀ କରିଥିବା ଅଭିଯୋଗ ହୋଇଥିଲା, ଯାହାପାଇଁ ସେ ପରେ କ୍ଷମା ପ୍ରାର୍ଥନା କରିଥିଲେ।

କାର୍ଡିନାଲ୍ ଲୁଇସ୍ ଆଣ୍ଟୋନିଓ ଗୋକିମ୍ ଟାଗଲ୍‌: ୬୭ ବର୍ଷୀୟ ଲୁଇସ୍ ଆଣ୍ଟୋନିଓ ଗୋକିମ୍ ଟାଗଲେ ଜଣେ ଫିଲିପାଇନ୍ସ ନାଗରିକ ହୋଇଥିବା ବେଳେ ତାଙ୍କ ପାଖରେ ଦଶନ୍ଧି ଧରି ପାଷ୍ଟୋରାଲ୍ ଅଭିଜ୍ଞତା ଅଛି। ଅର୍ଥାତ୍ ସେ ଭାଟିକାନ୍ ପାଇଁ ଜଣେ କୂଟନୀତିଜ୍ଞ କିମ୍ବା ଚର୍ଚ୍ଚ ଆଇନର ଜଣେ ଏକାକୀ ବିଶେଷଜ୍ଞଙ୍କ ପରି ଲୋକଙ୍କ ମଧ୍ୟରେ ଜଣେ ସକ୍ରିୟ ଚର୍ଚ୍ଚ ନେତା ଥିଲେ। କ୍ୟାଥୋଲିକ ପରିଭାଷା ଅନୁସାରେ ତାଙ୍କୁ ଜଣେ ଉଦାରବାଦୀ ବୋଲି ବିବେଚନା କରାଯାଏ। ସାମାଜିକ ସମସ୍ୟା ପ୍ରତି ତାଙ୍କର ନିଷ୍ଠା ଏବଂ ପ୍ରବାସୀମାନଙ୍କ ପ୍ରତି ସହାନୁଭୂତି ଯୋଗୁଁ ତାଙ୍କୁ “ଏସିଆନ୍ ଫ୍ରାନ୍‌ସିସ୍ ଭାବେ ମଧ୍ୟ ବିବେଚନା କରାଯାଏ। ଲୁଇସ୍ ଆଣ୍ଟୋନିଓ ଗୋକିମ୍ ଟାଗଲେ ମଧ୍ୟ ନୂଆ ପୋପ୍ ପଦ ପାଇଁ ଦୃଢ଼ ଦାବିଦାର ଅଟନ୍ତି। କାର୍ଡିନାଲ୍ ଫ୍ରିଡୋଲିନ୍ ଆମ୍ବୋଙ୍ଗୋ ବେସୁଙ୍ଗୁ: ୬୫ ବର୍ଷୀୟ କାର୍ଡିନାଲ ଫ୍ରିଡୋଲିନ୍ ଆମ୍ବୋଙ୍ଗୋ ବେସୁଙ୍ଗୁ ଜଣେ କଙ୍ଗୋଲୀୟ। ସେ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟରୁ ଆସିଛନ୍ତି। ସେ ୭ବର୍ଷ ଧରି କିନଶାସାର ଆର୍କବିଶପ ଅଛନ୍ତି। ପୋପ୍ ଫ୍ରାନ୍‌ସିସ୍ ତାଙ୍କୁ କାର୍ଡିନାଲ ନିଯୁକ୍ତ କରିଥିଲେ। ତେବେ ସେ ପରବର୍ତ୍ତୀ ପୋପ୍ ପଦରେ ନିଯୁକ୍ତ ହେବା ସମ୍ଭାବନା ଅଧିକ ରହିଛି।

କାର୍ଡିନାଲ ପିଟର ଏରଡୋ: ହଙ୍ଗେରୀରୁ ୭୨ ବର୍ଷୀୟ କାର୍ଡିନାଲ ପିଟର ଏରଡୋ ମଧ୍ୟ ଏହି ଦୌଡରେ ଅଗ୍ରଣୀ ରହିଛନ୍ତି। କାରଣ ସେ ୫୧ ବର୍ଷ ବୟସରୁ ସେ କାର୍ଡିନାଲ ପଦରେ ଅଧିଷ୍ଠିତ ରହିଆସିଛନ୍ତି। ସମଗ୍ର ୟୁରୋପ୍‌ରେ ଚର୍ଚ୍ଚ ପ୍ରଶାସନ କ୍ଷେତ୍ରରେ ତାଙ୍କୁ ଜଣେ ଆଗଧାଡିର ବିଶପ୍ ଭାବେ ବିବେଚନା କରାଯାଏ। ୨୦୦୬ରୁ ୨୦୧୬ ମଧ୍ୟରେ ୟୁୂରୋପିଆନ୍ ବିଶପ୍ ସମ୍ମିଳନୀକୁ ସେ ୨ ଥର ନେତୃତ୍ୱ ନେଇସାରିଛନ୍ତି। ଅର୍ଥୋଡକ୍ସ ଚର୍ଚ୍ଚଗୁଡ଼ିକ ସହ କ୍ୟାଥୋଲିକ୍ ସମ୍ପର୍କ ସ୍ଥାପନ ଦିଗରେ ତାଙ୍କ କାମକୁ ବେଶ୍ ପ୍ରଶଂସା କରାଯାଏ ଏବଂ ସେ ଆଫ୍ରିକୀୟ କାର୍ଡିନାଲଙ୍କ ମଧ୍ୟରେ ବେଶ୍ ପରିଚିତ ମଧ୍ୟ।
କାର୍ଡିନାଲ ଆଞ୍ଜେଲୋ ସ୍କୋଲା: ୮୩ ବର୍ଷୀୟ ଇଟାଲୀୟ ନାଗରିକ କାର୍ଡିନାଲ ଆଞ୍ଜେଲୋ ସ୍କୋଲା, ୨୦୧୩ରେ ମଧ୍ୟ ଅନୁଷ୍ଠିତ ପୋପ୍ ନିର୍ବାଚନରେ ପୋପ୍ ଫ୍ରାନ୍‌ସିସ୍‌ଙ୍କ ବିପକ୍ଷରେ ଅନ୍ୟତମ ଅଗ୍ରଣୀ ପ୍ରାର୍ଥୀ ଥିଲେ। ତେବେ ଏଥର ସେ ଏହି ପଦ ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହୋଇଥିଲେ ମଧ୍ୟ କାର୍ଡିନାଲ କଲେଜିୟମ୍ ବ୍ୟବସ୍ଥା ହୁଏତ ତାଙ୍କ ବୟସକୁ ଦୃଷ୍ଟିରେ ରଖି ତାଙ୍କୁ ନୂଆ ପୋପ୍ ପଦରେ ଅଧିଷ୍ଠିତ କରିବାକୁ ସାମାନ୍ୟ ପଶ୍ଚାତପଦ ହେବାର ଆଶଙ୍କା ରହିଛି।

ଏମାନଙ୍କ ବ୍ୟତୀତ ଜର୍ମାନ୍‌ର ୭୧ ବର୍ଷୀୟ କାର୍ଡିନାଲ ରେନ୍‌ହାର୍ଡ ମାର୍କ୍ସ, କାନାଡାର ୮୦ ବର୍ଷୀୟ କାର୍ଡିନାଲ୍ ମାକ୍‌ର୍ ଓଲେଟ୍‌, ୬୯ ବର୍ଷୀୟ ଆମେରିକୀୟ ନାଗରିକ କାର୍ଡିନାଲ ରବର୍ଟ ପ୍ରିଭୋଷ୍ଟ, ୭୯ ବର୍ଷୀୟ ଗୁଏନା ନାଗରିକ କାର୍ଡିନାଲ ରବର୍ଟ ସରାହ ଏବଂ ୭୮ ବର୍ଷୀୟ କାନାଡୀୟ ନାଗରିକ ମାଇକେଲ ସର୍ଣ୍ଣି ପ୍ରମୁଖ ଭାଟିକାନ୍‌ର ନୂଆ ପୋପ୍ ପଦ ପାଇଁ ଚାଲିଥିବା ରେସ୍‌ରେ ସାମିଲ ଅଛନ୍ତି। ପ୍ରକାଶ, ଦିବଂଗତ ପୋପ୍ ଫ୍ରାନ୍‌ସିସ୍‌ଙ୍କ ଶେଷକୃତ୍ୟ ୨୬ ଏପ୍ରିଲ ଅର୍ଥାତ୍ ଶନିବାର ସକାଳ ୧୦ଟାରେ ସେଣ୍ଟ ପିଟର୍ସ ସ୍କୋୟାର ଠାରେ କରାଯିବ। ଏହାପୂର୍ବରୁ ଶେଷଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ୨୩ ଏପ୍ରିଲରୁ ଅର୍ଥାତ୍ ବୁଧବାର ଠାରୁ ସେଣ୍ଟ ପିଟର୍ସ ବାସିଲିକାରେ ପୋପ୍‌ଙ୍କ ପାର୍ଥିବ ଶରୀରର ସାର୍ବଜନୀନ ଦର୍ଶନ ଜାରି ରହିଛି। ଶେଷକୃତ୍ୟ ପାଇଁ କାର୍ଡିନାଲମାନେ ବ୍ୟାପକ ଆଲୋଚନା ତଥା ବିଚାରବିମର୍ଶ କରିଛନ୍ତି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଭାଟିକାନ୍ ବିବୃତ୍ତି ଜାରି କରିଛି। ପୋପ୍ ଫ୍ରାନ୍‌ସିସ୍‌, ଯାହାଙ୍କ ପ୍ରକୃତ ନାମ ଜର୍ଜ ମାରିଓ ବର୍ଗୋଗ୍ଲିଓ ଥିଲା, ସେ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ ଏବଂ ୮ମ ଶତାବ୍ଦୀ ପରେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିବା ପ୍ରଥମ ଅଣ-ୟୁରୋପୀୟ ଥିଲେ। ଫ୍ରାନ୍‌ସିସ୍‌ଙ୍କ ଶେଷକୃତ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କୁ ଛାଡିଦେଲେ ବିଶ୍ୱର ଅନ୍ୟ ପ୍ରାୟ ସମସ୍ତ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking