31.1 C
Bhubaneswar
Thursday, March 19, 2026
Homeଓଡିଶାକାହା ଗୁଳିରେ ନବ ଦାସଙ୍କ ମୃତ୍ୟୁ

କାହା ଗୁଳିରେ ନବ ଦାସଙ୍କ ମୃତ୍ୟୁ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡି ନେତା ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ଗୁଳି ମାଡ଼ ହୋଇଥିଲା ବୋଲି ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା କଥା ସ୍ପଷ୍ଟ ହୋଇଛି। ତେଣୁ ନବ ଦାସଙ୍କୁ ପ୍ରକୃତରେ ଗୋପାଳ ମାରିଛି ନା ଘଟଣାସ୍ଥଳରେ ଗୋପାଳକୁ ମୋହରା କରି ଆଉ କିଏ ଗୁଳି କରିଥିଲା? ଏଭଳି ପ୍ରଶ୍ନ ଏବେ ଆଲୋଡ଼ନ ସୃଷ୍ଟି କରିଛି। ଏ ସମ୍ପର୍କରେ ଅଭିଯୁକ୍ତ ଗୋପାଳଙ୍କ ମାମଲା ପରିଚାଳନା କରୁଥିବା ଆଇନଜୀବୀ ନରେଶ ନାୟକଙ୍କୁ ପଚାରିବାରେ, ଘଟଣାସ୍ଥଳରେ ସ୍ନାଇପର୍‌ ନିଯୁକ୍ତ ହୋଇଥିବା ତଥା ସେମାନଙ୍କ ବନ୍ଧୁକରୁ ବାହାରିଥିବା ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌,ଏସ୍‌ଏଫ୍‌ଏସ୍‌ଏଲ୍‌ ଓ ବାଲାଷ୍ଟିକ୍‌ ରିପୋର୍ଟ ଅନୁସାରେ ୨୦୨୩ ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍‌ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହ‌ଯୋଗୀମାନେ ବସିଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍‌ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳି ରହୁଥିବା ଏକ ମାଗାଜିନ୍‌(ଯେଉଁଥିରେ ଗୁଳି ଷ୍ଟକ୍‌ ହୋଇ ରୁହେ), ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ଦର୍ଶାଯାଇଥିଲା। ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି। ଏହାସହିତ ଗୋଟିଏ ଗୁଳି ସେ ଶୂନ୍ୟରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।

ଅର୍ଥାତ୍‌ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଅବ୍ୟବହୃତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଶୂନ୍ୟକୁ ମରାଯାଇଥିଲା। କିନ୍ତୁ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟରେ ଭିନ୍ନ କଥା ବର୍ଣ୍ଣନା କରାଯାଇଛି। ଦ୍ବିତୀୟ ଗାଡ଼ି ଯାହା ଏକ ଧଳା ରଙ୍ଗର ଇନୋଭା କାର୍‌ ଥିଲା; ଏହାର ସମ୍ମୁଖ ପାର୍ଶ୍ବରେ ‘ଓଡ଼ିଶା ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ’ ବୋଲି ଉଲ୍ଲେଖ ରହିଥିଲା। ୨୦୨୩ ଫେବ୍ରୁଆରି ୨ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଏହି ଦ୍ବିତୀୟ ଗାଡ଼ିରେ ୫ଟି (ଗନ୍‌ ସଟ୍‌ ହୋଲ୍‌) ଗୁଳି ଦ୍ବାରା ହୋଇଥିବା କଣା ଦେଖିବାକୁ ମିଳିଥିଲା। କାର୍‌ର ବାମପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳିଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି। ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ହିସାବ ମିଳିପାରିନି। ସେପଟେ, ପଛ କାର୍‌ରେ ଆଉ ୫ଟି ଗୁଳି ବାଜିଥିଲେ ହେଁ ଉକ୍ତ ଗୁଳିର ଖୋକା ମିଳିପାରିନି। ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପଛ ଗାଡ଼ିଟି ସରକାରୀ ଥିବାବେଳେ ସେହି ଗାଡ଼ିରେ ନବ ଦାସ ଥିବା ଅନୁମାନ କରି ଗୁଳି ବର୍ଷା କରାଯାଇଥିଲା କି? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା? ଘଟଣାସ୍ଥଳରେ ଏତେ ଗୁଳିମାଡ଼ ହେବା ପରେ କେହି କେମିତି କିଛି ଜାଣିପାରି ନ ଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି। ସେପଟେ, ଘଟଣା ସମୟରେ ନବ ଦାସଙ୍କୁ ଆହତ ଅବସ୍ଥାରେ ଉଠାଇ କାର୍‌ ଭିତରକୁ ନେଇଥିବା ଦ୍ବାରିକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ, ନବ ଦାସଙ୍କ ବେକରେ ପଡ଼ିଥିବା ଫୁଲ ମାଳ, ତାଙ୍କ ଚପଲକୁ କ୍ରାଇମ୍‌ବ୍ରାଞ୍ଚ ଜବତ କରିଥିଲା ବେଳେ ଘଟଣା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ, ବସିଥିବା କାର୍‌ ସିଟ୍‌ର ରକ୍ତଭିଜା ଟର୍‌କିସ୍‌ ସିଜର୍‌ ଲିଷ୍ଟରେ ନଥିଲା। ନବ ଦାସଙ୍କ ହତ୍ୟାରେ ଏକାଧିକ ବନ୍ଧୁକ ବ୍ୟବହାର ହୋଇଥିବା ତଥ୍ୟ ପଦାକୁ ଆସିବା ପରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି ହୋଇଛି। ଗୋପାଳଙ୍କ ସହ ଆଉ କେଉଁମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ ? ହତ୍ୟା ପାଇଁ କିଏ ସୁପାରି ଦେଇଥିଲା ? ଏଭଳି ଅନେକ ପ୍ରଶ୍ନ ସମନାକୁ ଆସୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking