କେନ୍ଦ୍ରାପଡ଼ା: ଜୀବନରେଖା ପାଲଟିଛି ମରଣଯନ୍ତା! କେନ୍ଦ୍ରାପଡା ସହର ଦେଇ ପ୍ରବାହିତ ଗୋବରୀ ନଦୀ ଓ ମହାନଦୀରୁ ବାହାରିଥିବା ଗୋବରୀ କେନାଲ ଏକଦା ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବେଳେ ଏବେ ଏହାର ପ୍ରଦୂଷିତ ଜଳ ଲୋକଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛି । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ଜଳକୁ ପ୍ରଦୂଷଣ ମୁକ୍ତ କରିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ପହଞ୍ଚିଥିଲେ ମଧ୍ୟ ପ୍ରଶାସନର ଉଦାସିନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।
ଚିନ୍ତା ବଢ଼ାଉଛି ନଦୀ ପ୍ରଦୂଷଣ । କେନ୍ଦ୍ର ସରକାର ନଦୀ ସଫେଇ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ କିନ୍ତୁ ଏହା ଫଳଶୂନ୍ୟ ହୋଇପଡିଛି । ଗୋବରୀ ନଦୀ ଉପରେ ୨୦୦ଟି ପଞ୍ଚାୟତର ପାଖାପାଖି ୧୦ଲକ୍ଷ ଲୋକେ ନିର୍ଭର କରୁଥିବା ବେଳେ ଏହି ନଦୀ ଅବବାହିକାରେ ବେଆଇନ ଘର, ଦୋକାନ ଘର ନିର୍ମାଣ ସାଙ୍ଗକୁ ଗାଁ ଓ ସହରର ଆବର୍ଜ୍ଜନା ଓ ଦୂଷିତ ପାଣି ନଦୀକୁ ନିର୍ଗମନ ଫଳରେ ଏହା ଦିନକୁ ଦିନ ଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡୁଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜିଲ୍ଲାବାସୀ ।
ଦିନ ଥିଲା ଏହି ଗୋବରୀ ନଦୀର ଜଳକୁ ଆମେ ପିଉଥିଲୁ । ଚାଷ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଏହି ଜଳରେ ହିଁ ହେଉଥିଲା । କିନ୍ତୁ ବର୍ତ୍ତମାନ ସମୟ ଏଭଳି ହୋଇଛି ଗୋବରୀ ନଦୀ ପୋତି ହେବା ସହ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ନାଳ ନର୍ଦ୍ଦମାର ଜଳ ଓ ଆବର୍ଜନା ଏହି ଗୋବରୀ ନଦୀରେ ମିଶୁଛି । ଯାହାଫଳରେ ଥରେ ୨ ଥର ଗାଧୋଇଲେ ଦେହ କୁଣ୍ଡାଇ ହେଉଛି । ଡାକ୍ତର କହୁଛନ୍ତି ଗୋବରୀ ପାଣିରେ କେହି ଗାଧାଅ ନାହିଁ । ପାଣିରେ ଦଳ ଭର୍ତ୍ତି ହୋଇଗଲାଣି, ଗୋବରୀ ନଦୀ ପୋତି ହୋଇଗଲାଣି, ଲୋକେ ଜବର ଦଖଲ କରି ରହିଲେଣି ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ।









