27.1 C
Bhubaneswar
Saturday, July 5, 2025
Homeଓଡିଶାଭିଆଇପିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କୁ ଅପେକ୍ଷା କରାଇବା କେଉଁ ଅସ୍ମିତା?

ଭିଆଇପିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କୁ ଅପେକ୍ଷା କରାଇବା କେଉଁ ଅସ୍ମିତା?

ଭୁବନେଶ୍ୱର: ଓଡିଶାରେ ବିଜେପି ସରକାରଙ୍କ କାର୍ଯ୍ୟସୂଚୀରେ ଓଡିଆ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରତୀକ ଶ୍ରୀଜଗନ୍ନାଥ ନାହାନ୍ତି। ଶାସନକୁ ଆସିବାର ବର୍ଷେ ହୋଇଗଲା ପଛେ, ନା ରତ୍ନଭଣ୍ଡାରରେ ଗଣତିମଣତି ହେଲା, ନା ପରିଚାଳନା କମିଟି ଗଠନ ହେଲା, ନା ଗତବର୍ଷ ବଡଠାକୁରଙ୍କୁ ନେଇ ହୋଇଥିବା ଅଘଟଣର ତଦନ୍ତ ରିପୋର୍ଟ ପ୍ରକାଶ ପାଇଲା। ଏ ଥର ରଥଯାତ୍ରାକୁ ସରକାର ଏକ ଦଳୀୟ ଇଭେଣ୍ଟରେ ପରିଣତ କରିଦେଲେ। ଦଳୀୟ କର୍ମୀଙ୍କୁ ୫ ହଜାରରୁ ଅଧିକ ପାସ ବଣ୍ଟନ କରାଯିବା ଦ୍ବାରା ମହାପ୍ରଭୁଙ୍କର ଘୋଷଯାତ୍ରାରେ ଚରମ ଅବ୍ୟବସ୍ଥା ଦେଖାଦେଲା। ସାମ୍ବାଦିକମାନେ ପୁଲିସଠୁ ମାଡ ଖାଇଲେ, ନନ୍ଦିଘୋଷ ରଥକୁ ଭିଆଇପିଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଟକାଇଦିଆଗଲା। ରଥଯାତ୍ରାରେ ସମ୍ପୂର୍ଣ୍ଣ ଅରାଜକତା ପ୍ରମାଣିତ ହେଲା, ଯେତେବେଳେ ପ୍ରଶାସନର ଦାୟିତ୍ଵହିନତା ଯୋଗୁଁ ପରଦିନ ଗୁଣ୍ଡିଚା ମନ୍ଦିର ଆଗରେ ତିନିଜଣଙ୍କ ପ୍ରାଣ ଗଲା ଓ ଅନେକ ଭକ୍ତ ଗୁରୁତର ଭାବେ ଆହତ ହେଲେ। ରଥଯାତ୍ରା ଭକ୍ତ ଓ ଭଗବାନଙ୍କର ନୁହେଁ, ଏହା ଏକ ଦଳୀୟ ଉତ୍ସବରେ ପରିଣତ ହେଲା। ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ କ୍ଷମାଭିକ୍ଷା କରି କାମ ସାରିଦେଇଛନ୍ତି। ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗରେ ତାଙ୍କ ସରକାର ଭୁଲ୍ ପରେ ଭୁଲ୍ କରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଲେ ଯାଇ ପ୍ରକୃତ ପ୍ରାୟଶ୍ଚିତ ହେବ ବୋଲି କୋରାପୁଟର ଲୋକସଭା ସାଂସଦ ସପ୍ତଗିରି ଉଲାକା ପ୍ରକାଶ କରିଛନ୍ତି। ସୋମବାର ମଧ୍ୟାହ୍ନରେ ଦିଲ୍ଲୀଠାରେ ଏଆଇସିସି ମୁଖ୍ୟାଳୟ ‘ଇନ୍ଦିରା ଭବନ’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉଲାକା କହିଛନ୍ତି, ମୃତକଙ୍କ ପରିବାରକୁ ପଚାଶ ଲକ୍ଷ ଓ ଗୁରୁତର ଆହତମାନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦିଆଯାଉ। ଏଥିସହ ନିଳାଦ୍ରୀ ବିଜେର ୧୦ ଦିନ ମଧ୍ୟରେ ଜିଲ୍ଲାଜଜଙ୍କ ଦ୍ବାରା ତଦନ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କଂଗ୍ରେସ ନେତା ଅରବିନ୍ଦ ଦାସ କହିଥିଲେ, ରଥଯାତ୍ରାର ମହାବିଭ୍ରାଟ ମନୁଷ୍ୟକୃତ ହୋଇଥିବା ବେଳେ ‘ସବୁ ପ୍ରଭୁଙ୍କ ଇଚ୍ଛା’ ବୋଲି କହି ଆଇନମନ୍ତ୍ରୀ ଖସିଯିବାକୁ ଚେଷ୍ଟା କରୁଛନ୍ତି। ‘ଅସ୍ମିତା’ କଥା କହି ଶାସନକୁ ଆସିଥିବା ବିଜେପି ସରକାର, ଭିଭିଆଇପିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କୁ ଅପେକ୍ଷା କରାଇବା କେଉଁ ଅସ୍ମିତାକୁ ସୂଚାଉଛି ବୋଲି ସେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରଶ୍ନକୁ ଦୋହରାଇଥିଲେ। ଅସଂଖ୍ୟ ଭକ୍ତ ଓ ଭଗବାନଙ୍କ ଆତ୍ମିକ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ଉଦ୍ଦେଶ୍ୟରେ ଦଳୀୟ କର୍ମୀ ଓ ଭିଆଇପିଙ୍କୁ କିଏ ପୂରାଇଲେ? ବ୍ୟବସ୍ଥାକୁ କିଏ ବିଫଳ କଲେ? ଉଭୟ ପ୍ରଶାସନ ଓ ପୁଲିସର ମନୋବଳକୁ କିଏ ନଷ୍ଟ କଲେ, ତାଙ୍କୁ କାହିଁକି ଉତ୍ତରଦାୟୀ କରାଯିବନି ବୋଲି ସେ ପ୍ରଶ୍ନ କରିଥିଲେ। ଏଣେ ଭୁବନେଶ୍ବରରେ ବିକ୍ଷୋଭକାରୀଙ୍କ ଗୋଡ ଭାଙ୍ଗିଦେବାକୁ ଅତିରିକ୍ତ ପୁଲିସ କମିସନର ଖୋଲା ଆହ୍ବାନ ଦେବା ସରକାରୀ ଦଳର ଖୋଲା ଚାଟୁକାରିତା ନୁହେଁ କି ବୋଲି ସେ ପ୍ରଶ୍ନ କରିବା ସହ ସମଗ୍ର ପ୍ରକରଣରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking