ୱାଶିଂଟନ୍: ଇସ୍ରାଏଲ – ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ନୂଆ ଯୁଦ୍ଧ ସ୍ଥିତି ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ଚଳିତଥରର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ସିଧା ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ ଏହି ପ୍ରସଙ୍ଗରେ ବାଇଡେନ ପ୍ରଶାସନକୁ କଡା ସାମାଲୋଚନା କରିଛନ୍ତି । ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟ ସଙ୍କଟରେ କି’ଏ ଆଲୋଚନା କରୁଛି ବୋଲି ପ୍ରଶ୍ନ କରିବା ସହ ଟ୍ରମ୍ପ କହିଛନ୍ତି, ଆମେ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଅଗ୍ରସର ହେଉଛୁ । ହେଲେ ବାଇଡେନ କାଲିଫର୍ଣ୍ଣିଆରେ ବେଳାଭୂମିରେ ଶୋଇଛନ୍ତି ।
ଏକ ‘ଏକ୍ସ’ ପୋଷ୍ଟରେ ଟ୍ରମ୍ପ ବାଇଡେନଙ୍କ ଖୋଲା ସମାଲୋଚନା କରି ଲେଖିଛନ୍ତି,‘‘ମଧ୍ୟ-ପୂର୍ବରେ କିଏ ଆମ (ଆମେରିକା) ପାଇଁ ବୁଝାମଣା କରୁଛନ୍ତି ? ସବୁ ସ୍ଥାନରେ ବୋମା ବର୍ଷା ହେଉଛି ! ଜୋ କାଲିଫର୍ଣ୍ଣିଆର ଏକ ବେଳାଭୂମିରେ ଶୋଇଛନ୍ତି । କମଲା ମଧ୍ୟ ଏକ ଅଭିଯାନରେ ବ୍ୟସ୍ତ ଅଛନ୍ତି । ଆମେ ତୃତୀୟ ବିଶ୍ୱଯୁଦ୍ଧ ଚାହୁଁନାହୁଁ । କିନ୍ତୁ ଆମେ ଏହା ଆଡକୁ ଅଗ୍ରସର ହେବାରେ ଲାଗିଛୁ ।’’ ହମାସ ନେତା ଇସମାଇଲଙ୍କ ହତ୍ୟା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଗତକାଲି ଇରାନ ସମର୍ôଥତ ଲେବନନର ଆତଙ୍କୀ ଗୋଷ୍ଠୀ ‘ହିଜବୁଲ୍ଲା’ ଉତ୍ତର-ଇସ୍ରାଏଲର ଏକାଧିକ ସ୍ଥାନରେ ଘନ ଘନ ରକେଟ ମାଡ କରିଥିଲା ।
ଏହାର ଜବାବରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଇସ୍ରାଏଲ ଯୁଦ୍ଧ ବିମାନ ଲେବନନରେ ଥିବା ହିଜବୁଲ୍ଲାର ଏକାଧିକ ଆଡ୍ଡା ଉପରେ ପ୍ରବଳ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆକ୍ରମଣକୁ ଉଭୟ ଇସ୍ରାଏଲ ଓ ହିଜବୁଲ୍ଲା ସ୍ୱୀକାର କରିବା ସହ ପରସ୍ପର ବିରୋଧରେ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି । ଏବେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ୟାମ୍ପନିଂ ଜାରି ରହିଛି । ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହୋଇଛନ୍ତି ।
ତାଙ୍କ ବିପକ୍ଷରେ ଶାସକ ଦଳ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଉଭୟ ପ୍ରାର୍ଥୀ ନିର୍ବାଚନୀ ପ୍ରଚାରରେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି । ମଧ୍ୟପ୍ରାଚ୍ୟରେ ଆମେରିକାର ସର୍ବାଧିକ ପ୍ରଭାବ ରହିଛି । ଆମେରିକା ପ୍ରଥମରୁ ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିଆସିଛି । ଏବେ ପୁଣି ଥରେ ‘ହିଜବୁଲ୍ଲା’ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକାର ବାଇଡେନ ପ୍ରଶାସନର ନୀତିକୁ ଖୋଲା ସମାଲୋଚନା କରିଛନ୍ତି ଟ୍ରମ୍ପ ।










