ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି । ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏ କିଛି କିଛି ସ୍ଥାନରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ବାଂଲାଦେଶ ଓ ତାର ଆଖପାଖ ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଦ୍ୱାରା ବାୟୁ ମଣ୍ଡଳରେ ଏକ ଟ୍ରପ ଲାଇନ ପ୍ରବାହିତ ହେଉଛି । ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମା ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୮ ତାରିଖ ଯାଏ ଏଭଳି ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଆସନ୍ତାକାଲି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଝାରସୁଗୁଡା ସମ୍ବଲପୁର ଓ ବରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ୫ ତାରିଖରେ ବର୍ଷାର ପରିମାଣ କମିବ । ଏହାସହ ୬ ଓ ୭ ତାରିଖରେ ବର୍ଷାର ପରିମାଣ ବଢିବ । ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିପରି ୭ ତାରିଖରେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୫ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୨୩୮ ମିଲିମିଟର ବର୍ଷା ହେବା କଥା । କିନ୍ତୁ ୧୭୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୦୨.୦୦ ମିଲି ବର୍ଷା ସହ ମୟୂରଭଞ୍ଜରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ସ୍ୱଭାବିକ ୬୬ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ୧୬ଟି ଜିଲ୍ଲାରେ ନିଅଁଟିଆ ବା ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ୨୯୫.୨ ମିଲିମିଟର ସହ ସ୍ୱାଭାବିକ ଠାରୁ ଅଧିକ ବର୍ଷା ମାଲକାନଗିରିରେ ରେକର୍ଡ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ବରଗଡର ଅତାବୀରାରେ ସର୍ବାଧିକ ୭୬.୨ ମିମି ବର୍ଷା ରେକର୍ଡ ହୋଇଛି ।










