25.1 C
Bhubaneswar
Friday, October 25, 2024
Homeଓଡିଶାଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’; ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ପ୍ରବଳ ବର୍ଷା

ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’; ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ପ୍ରବଳ ବର୍ଷା

ଭଦ୍ରକରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ
୭ ଦିନ ଭିତରେ ହେବ କ୍ଷୟକ୍ଷତିର ଆକଳନ: ରାଜସ୍ୱ ମନ୍ତ୍ରୀ
ଆଜି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ
ବନ୍ଦ ରହିବ ୪ଟି ଜିଲ୍ଲାର ସବୁ ସ୍କୁଲ
ଶନିବାର ଓ ରବିବାର ସରକାରୀ ଛୁଟି ବାତିଲ
‘ଦାନା’ ପରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଦାନା’। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଟଳିପଡ଼ିଥିଲା ଅନେକ ଗଛ। ଭାଙ୍ଗି ଯାଇଥିଲା ଚାଳ ଛପର ଘର। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛ। ଏପରିକି ଝଡ଼ବର୍ଷା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି। ବାତ୍ୟା ଯୋଗୁଁ ଗଛ ପଡ଼ି ବିଭିନ୍ନ ସ୍ଥାନରେ ଅବରୋଧ ହୋଇଥିଲା ରାସ୍ତାଘାଟ।

ତେବେ ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଗୁଡ଼ିକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍‌।ବାତ୍ୟାକୁ ନେଇ ଭୟ ଲୋକଙ୍କ ମନରେ ରହିଥିଲା ସେହି ଭୟ ଚାଲିଯାଇଛି। ହେଲେ ବାତ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିଲେ ହେଁ ଯେଉଁ ଭଳି ବଡଧରଣର ବିପଦ ଆଶଙ୍କା କରାଯାଇଥିଲା ତାହା ଏକପ୍ରକାର ଟଳି ଯାଇଛି। ତେବେ ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ୬ ଘଣ୍ଟା ଲାଗିଥାଏ। ହେଲେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ସାଢେ ୮ ଘଣ୍ଟା ଚାଲିଥିଲା। କାରଣ ଗତ ରାତି ୧୨ଟାରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିଥିବା ବେଳେ ସକାଳ ସାଢେ ୮ଟାରେ ସରିଥିଲା ଏହି ପ୍ରକ୍ରିୟା।

ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ବା ଗୁରୁଚାପ ବାତ୍ୟାକୁ ଶକ୍ତିହୀନ କରିଦେଇଥିଲା। ଫଳରେ ଲ୍ୟାଣ୍ଡଫଲ ବେଳକୁ ଏହା ଦୁର୍ବଳ ଏବଂ ଅସଙ୍ଗଠିତ ଅବସ୍ଥାରେ ସ୍ଥଳଭାଗରେ ପ୍ରବେଶ କରିଦେଇଥିଲା। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିଲା। ଏହା ପରେ ଯେତେବେଳେ ପଶ୍ଚିମ ବଙ୍ଗୋପ ସାଗରକୁ ଆସିଲା ସେତେବେଳେ ବିପରୀତ ଏବଂ ପ୍ରତିକୂଳ ପରିବଶର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ପଶ୍ଚିମରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ଷେତ୍ର ଯୋଗୁ ଉତ୍ତର ପଶ୍ଚିମ ବାୟୁ ଏହା ମଧ୍ୟକୁ ପ୍ରବେଶ କରିଥିଲା। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ତାତି ବାୟୁ ପ୍ରବେଶ କରିବା ଫଳରେ ଶେଷ ୨୪ ଘଣ୍ଟ ଧରି ଏହା ଦୁର୍ବଳ ହେବାରେ ଲାଗିଥିଲା। ସେହିଭଳି ପୂର୍ବ ଦିଗରେ ମ୍ୟାଁମାର ପଟୁ ସୃଷ୍ଟି ହୋଇଥିବା ଗୁରୁଚାପ କ୍ଷେତ୍ର ମଧ୍ୟ ଏହାର ଗତିପଥରେ ବାଧା ସୃଷ୍ଟି କରିଥିଲା। ଫଳରେ ଦୁଇ ଗୁରୁଚାପ ମଧ୍ୟରେ ଚାପି ହୋଇଯାଇଥିଲା ପଶ୍ଚିମ ବଙ୍ଗୋପସାଗରରେ ଉପକୂଳ ମୁହାଁ ହେଉଥିବା ବାତ୍ୟା ଦାନା। ତେଣୁ ସ୍ଥଳଭାଗକୁ ଏହା ଶକ୍ତିଶାଳୀ ହୋଇ ପ୍ରବେଶ କରିପାରିଲାନି। ବାତ୍ୟା ମଧ୍ୟ ସଠିକ ଭାବେ ସଙ୍ଗଠିତ ହୋଇପାରିଲାନି। ଫଳରେ ସମ୍ଭବତ ଏହାର ପ୍ରକୋପ କମିବା ସହ ବର୍ଷାର ବିସ୍ତୃତି ମଧ୍ୟ ହ୍ରାସ ପାଇଥିଲା। ଏଥିପାଇଁ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେତେବେଳେ ପବନର ବେଗ କେତେ ରହିବ ସେ ନେଇ ପାଣିପାଗ କେନ୍ଦ୍ରର ଆକଳନ ଠିକ୍ ରହିଛି। ମାତ୍ର ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ଚାପି ହୋଇଯିବା ଯୋଗୁ ଏହା ଶକ୍ତିଶାଳୀ ହୋଇ ପାରିଲାନି। ଫଳରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅଧିକ ସମୟ ଚାଲିଲା। ଏଥିସହ କେବଳ ଲ୍ୟାଣ୍ଡଫଲ୍ କରିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିଲା ବୋଲି ସେ କହିଛନ୍ତି।

ସେହପିରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ,୨୪ ତାରିଖ (ଗୁରବାର) କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ହାବେଳିଖଟିଠାରେ ବାତ୍ୟା ଦାନା’ ଲ୍ୟାଣ୍ଡଫଲ କରିଥିଲା। ପରେ ଭଦ୍ରକ, କେନ୍ଦୁଝରର ଆନନ୍ଦପୁର ଏବଂ ଅନୁଗୁଳ ଜିଲ୍ଲା ଆଡକୁ ଗତି କରି କ୍ରମଶଃ ଦୁର୍ବଳ ହୋଇଛି। ପାଖାପାଖି ୯ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ‘ଦାନା’ ଏବେ ଉତ୍ତର-ଉତ୍ତର ଦିଗ ଦେଇ ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେବାପରେ ଏହା ଘଣ୍ଟାକୁ ୭ କିମି ବେଗରେ ଆଗକୁ ବଢ଼ୁଛି। ଭଦ୍ରକ ଠାରୁ ୩୦କିମି ଦୂର ଉତ୍ତର-ଉତ୍ତର ପୂର୍ବ ଦିଗରେ ରହିଛି ‘ଦାନା’। ସେପଟେ ଧାମରାରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ୭୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’। ଏବେ ବାଲେଶ୍ୱର ଓ ଭଦ୍ରକ ୭୦ରୁ ୮୦ କିମି ବେଗରେ ପବନ ବହିବା ଜାରି ରହିଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କେନ୍ଦ୍ରାପଡାର ରାଜକନିକାର ସର୍ବାଧିକ ବର୍ଷା ୧୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି। ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ ୨ ଟି ଆଣ୍ଟି-ସ୍ଲାଇକ୍ଲୋନ ରହିଥିଲା ସେଥି ପାଇଁ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବାରେ ବିଳମ୍ବ ହୋଇଛି।

ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ପ୍ରବଳ ବର୍ଷା
ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବାତ୍ୟାରୁ ଏହା ଗଭୀର ଅବପାତରେ ପରିଣତ ହୋଇଥିବାରୁ ଲଗାଣ ବର୍ଷା ଜାରି ରହିବ। ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଅନୁଗୁଳ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି ଲାଗି ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭଦ୍ରକରେ ସର୍ବାଧିକ ବର୍ଷା
ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ତୁହାକୁ ତୁହାକୁ ବର୍ଷା ହୋଇଥିଲା। ଭଦ୍ରକରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ, ରାଜକନିକାରେ ୧୫୬ ମିମି ରେକର୍ଡ କରାଯାଇଛି। ସେହିପରି ରାଜନଗରରେ ୧୦୦ ମିମି, ମାର୍ଶାଘାଇରେ ୧୧୦ ମିମି, ଖୋର୍ଦ୍ଧା ବାଲିଅନ୍ତାରେ ୯୨ ମିମି, ଔପଦାରେ ୧୦୯ ମିମି, ବାସୁଦେବପୁରରେ ୧୧୦ ମିମି ଓ ପାରାଦୀପରେ ୪୮ ମିମି ବର୍ଷା ହୋଇଛିବା ରେକର୍ଡ ହୋଇଛି।

ବନ୍ଦ ରହିବ ୪ ଜିଲ୍ଲାର ସବୁ ସ୍କୁଲ, ଶନିବାର ଓ ରବିବାର ସରକାରୀ ଛୁଟି ବାତିଲ
ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ହେବାର ଆଶଙ୍କା ରହିଥିବାରୁ ଶନିବାର ରାଜ୍ୟର ଚାରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ। ସେହିପରି କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ସେହିପରି ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ। ସ୍କୁଲ, କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଲେ ମଧ୍ୟ ସ୍କୁଲରେ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ। ବାତ୍ୟା ପାଇଁ ସ୍କୁଲର କ୍ଷୟକ୍ଷତି ନେଇ ରିପୋର୍ଟ ଦେବେ। ସ୍କୁଲର କ୍ଷତି, ଏମ୍‌ଡିଏମ୍ ଚାଉଳ କ୍ଷୟକ୍ଷତି ଓ ସ୍କୁଲର ଅନ୍ୟ ଉପକରଣ କ୍ଷତି ହୋଇଥିଲେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ରହିଛି। ଅପରପକ୍ଷେ ରାଜ୍ୟ ସରକାର ବାତ୍ୟା ଦାନା ପରବର୍ତ୍ତୀ ରିଲିଫ ଓ ପୁର୍ନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କ ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି।

‘ଦାନା’ ପରେ ବନ୍ୟା ଆଶଙ୍କା
ବାତ୍ୟା ‘ଦାନା’ ଯିବା ପରେ ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ଉପୁଜିବା ସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବିଭିନ୍ନ ନଦୀ ମଧ୍ୟ ଫୁଲୁଥିବା ଲକ୍ଷ୍ୟ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଉପର ମୁଣ୍ଡ ବରେହିପାଣି, ନଅଣା, ହଲା ପିଠାବଟା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଏହି ପାଣି ବୁଢ଼ାବଳଙ୍ଗ ନଦୀକୁ ଆସିଛି। ଫଳରେ ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢିବା ଆରମ୍ଭ ହୋଇଛି।
ଏପଟେ ବାଲେଶ୍ୱରରେ ମଥାନୀ ଠାରେ ବିପଦ ସଙ୍କେତ ଛୁଇଁଛି ଜଳକା ନଦୀ। ବିପଦ ସଙ୍କେତ ୬.୫୦ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି ରାଜ୍ୟର କିଛି ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ବନ୍ୟା ଉପୁଜିବାର ଭୟ ଲୋକଙ୍କୁ ଘାରିବାରେ ଲାଗିଛି।

୭ ଦିନ ଭିତରେ ହେବ କ୍ଷୟକ୍ଷତିର ଆକଳନ: ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ
ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । ୨୬ ତାରିଖରେ ଫିଲ୍ଡ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ। ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ବାତ୍ୟା ମୁକାବିଲାରେ ପ୍ରଶାସନ ସଫଳ ହୋଇଥିବା ମନ୍ତ୍ରୀ କହିଛନ୍ତି। ବିଭିନ୍ନ ଟିମର କାର୍ଯ୍ୟ ସନ୍ତୋଷଜନକ ବୋଲି କହିବା ସହିତ ସଂଧ୍ୟା ସୁଦ୍ଧା ରାସ୍ତା ସଫା କାମ ସରିଯିବ ବୋଲି କହିଛନ୍ତି। ଶକ୍ତି ବିଭାଗ, ଅଗ୍ନିଶମ, ପୋଲିସ, ସ୍ୱାସ୍ଥ୍‌୍ୟ, ଟେଲି କମ୍‌ଯୁନିକେସନ ବିଭାଗ ଭଲ କାମ କରିଛନ୍ତି। ଯେଉଁଠି ଲାଇନ କଟିଛି ସେଠି ମଧ୍ୟ ତୁରନ୍ତ ବିଦ୍ୟୁତ ସଂଯୋଗ କାମ ଶେଷ ହେବ। ବାତ୍ୟା ପରେ ଅନେକ ଖାଲୁଆ ଜାଗାରେ ପାଣି ଜମି ରହିଛି। ଯେଉଁମାନେ ରିଲିଫ ସେଣ୍ଟରରେ ରହିବା ପାଇଁ ଚାହିଁବେ ରହିପାରିବେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ଶନିବାର ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking