26.1 C
Bhubaneswar
Tuesday, September 2, 2025
Homeଓଡିଶାପ୍ରତିଶ୍ରୁତିଗୁଡ଼ିକୁ ବାସ୍ତବତାରେ ପରିଣତ କରିଛୁ : ମୁଖ୍ୟମନ୍ତ୍ରୀ

ପ୍ରତିଶ୍ରୁତିଗୁଡ଼ିକୁ ବାସ୍ତବତାରେ ପରିଣତ କରିଛୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବର୍ଷକ ତଳେ ରାଜ୍ୟବାସୀ ଯେଉଁ ଆଶା ଆକାଂକ୍ଷା ନେଇ ଶାସନରେ ପରିବର୍ତ୍ତନ ଆଣିଥିଲେ ଓ ଆମକୁ ଦାୟିତ୍ୱ ଭାର ଦେଇଥିଲେ, ଆମେ ଲୋକଙ୍କ ସେହି ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଦୃଢ଼ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିଛୁ। ବିଗତ ଏକ ବର୍ଷ ଥିଲା ଆମ ପାଇଁ ଆହ୍ୱାନର ବର୍ଷ। ଆମର ସବୁ କାର୍ଯ୍ୟକ୍ରମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆମକୁ ମାର୍ଗଦର୍ଶନ ଦେଇଆସିଛନ୍ତି। ଏହି ସମୟ ମଧ୍ୟରେ ଆମେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ ଏବଂ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ବାସ୍ତବତାରେ ପରିଣତ କରିଛୁ। ଆମ ପ୍ରତିଶ୍ରୁତି ପାଣିର ଗାର ନୁହେଁ, ପଥରରେ ଅଙ୍କା ଯାଇଥିବା ଅଲିଭା ଗାର। କଥା ଦେଇଥିଲୁ କଥା ରଖିଛୁ।

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରି ଏହା ପ୍ରକାଶ କରିଛନ୍ତି। ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସମ୍ପର୍କିତ ପ୍ରଦର୍ଶନୀ ଏବଂ ଫୁଡ୍ କୋଟ୍‌ର ଶୁଭାରମ୍ଭ କରିବା ସହିତ ବୁଲି ଦେଖିଥିଲେ। ଏହି ବିକାଶ ମେଳା ଜୁନ୍ ୧୮ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୭୫ରୁ ଅଧିକ ଷ୍ଟଲ୍‌ରେ ଜନସାଧାରଣଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତି ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଉଛି। ଏଥିସହିତ ସୁଭଦ୍ରା ଶକ୍ତି ମହିଳାମାନଙ୍କ ଦ୍ୱାରା ୪୦ରୁ ଅଧିକ ଷ୍ଟଲ୍‌ରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ବିବିଧତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଫୁଡ୍ ଫେଷ୍ଟିଭାଲ୍ ମଧ୍ୟ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ରରେ ଲୋକଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର। ଯଦି ଲୋକେ ସେମାନଙ୍କ ନିର୍ବାଚିତ ସରକାରଙ୍କୁ ନିଜର କଥା, ନିଜର ବ୍ୟଥା କହିପାରିବେନି, ସେ ପ୍ରକାର ଗଣତନ୍ତ୍ର ଆତ୍ମାହୀନ। ଆମ ସରକାର ଆସିବା ପରେ ମୁଁ ବ୍ୟକ୍ତିଗତ ଭାବେ ଲୋକଙ୍କୁ ଭେଟି ଛୋଟବଡ଼ ସମସ୍ୟା ଅନ୍ ଦ ସ୍ପଟ୍ ସମାଧାନ କରିବା ପାଇଁ ମନସ୍ତ କଲି। ଗତ ଏକବର୍ଷ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଗସ୍ତକରି ଲୋକଙ୍କ ସହ କଥାବାର୍ତ୍ତା କରିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛି। ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିବାର ଯୋଜନା ରହିଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦିଆଯାଇଛି। ଆଜି ପିଅନଠାରୁ ଆଇ.ଏ. ଏସ୍ ଅଧିକାରୀ ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗସ୍ତ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ ନୁହନ୍ତି ଓ ଲୋକଙ୍କ ପାଇଁ କାମ କରିବାର ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଯୋଗୁ ଆମ ଲୋକଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ପ୍ରାୟ ସମସ୍ତ ପ୍ରମୁଖ ପ୍ରତିଶ୍ରୁତିକୁ ସଫଳତାର ସହ କାର୍ଯ୍ୟକାରୀ କରିଛୁ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ମାର୍ଗଦର୍ଶନ ଓ ଅକୁଣ୍ଠ ସମର୍ଥନ ଆମକୁ ଏ ଦିଗରେ ବିଶେଷ ସାହାଯ୍ୟ କରିଥିଲା। ୨୪ ବର୍ଷ ମଧ୍ୟରେ ସେମାନେ ଯେଉଁ କାମ କରି ନଥିଲେ, ଆମେ ୨୪ ମିନିଟ୍ ଭିତରେ କରି ଦେଖାଇପାରିଛୁ। କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟରେ ପ୍ରତି ଚାଷୀ ପରିବାରର ବାର୍ଷିକ ଆୟରେ ଅତିକମ୍‌ରେ ୩୦ ହଜାର ଟଙ୍କା ବୃଦ୍ଧି ହୋଇଛି। ଜନଜାତି ସଂପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଜାରି ରହିଛି।

ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛୁ। ଯୁବବର୍ଗଙ୍କ ପାଇଁ ସରକାରୀ ନିଯୁକ୍ତିର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିଛୁ। ଏସ୍‌ଇବିସି ବର୍ଗର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇଛି। ୨୭ ହଜାରରୁ ଊର୍ଦ୍ଧ୍ୱ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି। ଉତ୍କର୍ଷ ଓଡ଼ିଶା ୨୦୨୫ ମାଧ୍ୟମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୧୨.୯୦ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି। ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିଛନ୍ତି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking