ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ସତ୍ତ୍ୱେ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟର୍ ଡେଭିଡ୍ ୱାର୍ଣ୍ଣର୍ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଖେଳିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ଜାନୁଆରୀରେ ଟେଷ୍ଟ୍ କ୍ରିକେଟ୍, ଦିନିକିଆ ବିଶ୍ୱକପ୍ ଜିତିବା ପରେ ଦିନିକିଆ ଏବଂ ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିବା ପରେ ୱାର୍ଣ୍ଣର୍ଙ୍କ ଅନ୍ତର୍ଜାତୀୟ କ୍ୟାରିୟର୍ ସମାପ୍ତ ହୋଇଯାଇଥିଲା । ତେବେ ସେ ଏବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧି ରହିବା କଥା କହିଛନ୍ତି । ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଖେଳିବାର ଇଚ୍ଛା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କ୍ରିକେଟ୍ ଖେଳିଚାଲିଥିବି ଏବଂ ଯଦି ଚୟନ ହୁଏ ତେବେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଖେଳିବାକୁ ପ୍ରସ୍ତୁତ । ଦିନିକିଆରୁ ଅବସର ବେଳେ ସେ କହିଥିଲେ ଯେ ଆବଶ୍ୟକତା ପଡ଼ିଲେ ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍ଧ ରହିବି । ୱାର୍ଣ୍ଣର୍ ତିନିଥର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଟିମ୍ର ସଦସ୍ୟ ରହିଥିଲେ । ଏହା ମଧ୍ୟରେ ୨୦୧୫ ଓ ୨୦୨୩ ଦିନିକିଆ ଏବଂ ୨୦୨୧ ଟି-୨୦ ବିଶ୍ୱକପ୍ ସାମିଲ ।
୨୦୧୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ରିସ୍ବେନ୍ରେ ଟେଷ୍ଟ୍ କ୍ୟାରିୟର୍ ଆରମ୍ଭ କରିଥିବା ୱାର୍ଣ୍ଣର୍ ୧୧୨ ମ୍ୟାଚ୍ରେ ମୋଟ ୮୭୮୬ ରନ୍ କରିଛନ୍ତି । ଏଥିରେ ୨୬ ଶତକ ଏବଂ ୩୭ ଅର୍ଦ୍ଧଶତକ ସାମିଲ । ସେହିପରି ୨୦୦୯ରେ ସାଉଥ୍ ଆଫ୍ରିକା ବିପକ୍ଷରେ ହୋବାର୍ଟରେ ଦିନିକିଆ ପଦାର୍ପଣ କରିଥିଲେ । ୨୦୨୩ ନଭେମ୍ବର ୧୯ରେ ବିଶ୍ୱକପ୍ ଫାଇନାଲ୍ରେ ଭାରତ ବିପକ୍ଷରେ କ୍ୟାରିୟର୍ର ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେ ଖେଳିଥିବା ୧୬୧ ଦିନିକିଆ ମ୍ୟାଚ୍ରେ ୪୫.୩୦ ହାରାହାରିରେ ୨୨ ଶତକ ଏବଂ ୩୩ ଅର୍ଦ୍ଧଶତକ ସହ ମୋଟ ୬୯୩୨ ରନ୍ କରିଛନ୍ତି । ଟି-୨୦ରେ ୱାର୍ଣ୍ଣର୍ ୨୦୨୧ ବିଶ୍ୱକପ୍ର ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ । ଏହି ଫର୍ମାଟ୍ରେ ୱାର୍ଣ୍ଣର୍ ସର୍ବାଧିକ ରନ୍ ହାସଲକାରୀ ଅଷ୍ଟ୍ରେଲୀୟ ଖେଳାଳି । ସେ ୧୧୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଗୋଟିଏ ଶତକ ଓ ୨୮ ଅର୍ଦ୍ଧଶତକ ବଳରେ ୩୨୭୭ ରନ୍ କରିଛନ୍ତି ।