ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡିବା ନେଇ ଚେତାବନୀ ଦେଇଛନ୍ତି । ପର୍ସିଆନ ଗଲ୍ଫ ଅଞ୍ଚଳ ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଞ୍ଚଳରେ ବ୍ୟାଘାତ ହେଲେ ତେଲ ଓ ଗ୍ୟାସ ଯୋଗାଣରେ ପ୍ରଭାବ ପଡିବ । ଯାହା ଅର୍ଥନୀତି ଓ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆହୁରି କହିଛନ୍ତି, ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡିଛି, ଭବିଷ୍ୟତରେ ଆହୁରି ପ୍ରଭାବ ପକାଇବ । କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ପଶ୍ଚିମ ଏସିଆରେ ଘଟୁଥିବା ଘଟଣାଗୁଡ଼ିକ ” ଅତ୍ୟନ୍ତ ଅସ୍ୱାଭାବିକ” ଏବଂ ଏହି ଅଞ୍ଚଳର ପରିସ୍ଥିତି ବିଶ୍ୱ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। “ପଶ୍ଚିମ ଏସିଆରେ ଯାହା ଘଟୁଛି ତାହା ଅତ୍ୟନ୍ତ ଅସ୍ୱାଭାବିକ। ଆଗକୁ ପଶ୍ଚିମ ଏସିଆର ପରିସ୍ଥିତି କେଉଁ ଦିଗରେ ଆଗକୁ ବଢ଼ିପାରେ ସେ ବିଷୟରେ ଏହି ପର୍ଯ୍ୟାୟରେ କୌଣସି ଦୃଢ଼ ମନ୍ତବ୍ୟ ଦେବା କଷ୍ଟକର । “ଯଦି ଆମେ ହର୍ମୁଜ୍ ପ୍ରଣାଳୀ କିମ୍ବା ସମଗ୍ର ପର୍ସିଆନ୍ ଗଲ୍ଫ ଅଞ୍ଚଳକୁ ଦେଖିବା , ତେବେ ଏହା ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଯେତେବେଳେ ଏହି ଅଞ୍ଚଳରେ ଅଶାନ୍ତି କିମ୍ବା ବିଭ୍ରାଟ ହୁଏ, ଏହା ସିଧାସଳଖ ତେଲ ଏବଂ ଗ୍ୟାସ ଯୋଗାଣକୁ ପ୍ରଭାବିତ କରେ । “କେବଳ ସେତିକି ନୁହେଁ, ଆଜି ଆମେ କେବଳ ଶକ୍ତି କ୍ଷେତ୍ରରେ ନୁହେଁ, ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯୋଗାଣ ଶୃଙ୍ଖଳା ବାଧା ଦେଖୁଛୁ।”ବୈଶ୍ୱିକ ଭୂରାଜନୀତି ପରିବର୍ତ୍ତନର ଏହି ଯୁଗରେ, ମହାସାଗର ପୁଣି ଥରେ ବିଶ୍ୱର ଶକ୍ତି ସନ୍ତୁଳନର କେନ୍ଦ୍ରକୁ ଆସିଛି। ଏପରି ସମୟରେ, ଏକ ପ୍ରମୁଖ ସାମୁଦ୍ରିକ ରାଷ୍ଟ୍ର ଭାବରେ, ଆତ୍ମବିଶ୍ୱାସ, କ୍ଷମତା ଏବଂ ସ୍ପଷ୍ଟ ଦୃଷ୍ଟିକୋଣ ସହିତ ନେତୃତ୍ୱ ପ୍ରଦାନ କରିବା ଭାରତର ଦାୟିତ୍ୱ ବୋଲି ରାଜନାଥ ସିଂ କହିଥିଲେ।










