ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ବିଳମ୍ବିତ ରାତିରେ ବିଲ୍ ଉପରେ ମୋହର ମାରିଛି ଲୋକସଭା । ୧୨ ଘଣ୍ଟା ଧରି ମାରାଥନ ବିତର୍କ ପରେ ରାତି ୨ଟା ବେଳେ ବିଲ୍ ଲୋକସଭାରେ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିଲ୍ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା । ଆଜି ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପନ କରାଯିବ ।
୧୯୯୫ ୱାକଫ୍ ଆଇନର ସଂଶୋଧନ ପାଇଁ ଏହି ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଜେପିସି ଦ୍ବାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସଂଖ୍ୟାଲଘୁଙ୍କୁ ଅପମାନିତ କରବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ବିଲ୍ ପ୍ରତିବାଦରେ ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ବିଲ୍ର ନକଲକୁ ଚିରି ଦେଇଥିଲେ । ତେବେ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ସରକାର ।
ସେହିପରି ୱାକଫ ସଂଶୋଧନ ବିଲ୍କୁ ବିରୋଧୀ ସାଂସଦ ମାନେ ଅସାମ୍ବିଧାନିକ ବୋଲି କହିବାରୁ କିରେନ ରିଜିଜୁ ଏହାକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ୱାକଫ ସମ୍ପତ୍ତି ସମ୍ବନ୍ଧୀୟ ଆଇନ ଦଶନ୍ଧି ଧରି ରହିଆସିଛି ଏବଂ କୋର୍ଟ ଏହାକୁ ରଦ୍ଦ କରି ନାହାନ୍ତି । ଏପରି ଶବ୍ଦକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମୁସଲମାନ ୱାକଫ ବିଲ୍, ୨୦୨୪ ମଧ୍ୟ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଗରିବ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବେ । ବିଲ୍ ପାସ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ ଚାଲିଥିଲା । ୧୨ ଘଣ୍ଟା ଧରି ବତର୍କ ହୋଇଥିଲା । ଏହି ବିଲ୍କୁ ମୁସଲିମ ବିରୋଧି ବୋଲି ବିରୋଧୀ ମାନ କହିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିବା ସତ୍ବେ କିଛି ସଦସ୍ୟ ସତ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି କହିଥିଲେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ।