ନୂଆଦିଲ୍ଲୀ: କେନ୍ଦ୍ର ସରକାର ୱାକଫ୍ ବୋର୍ଡ ଆଇନ୍ରେ କେତେକ ସଂଶୋଧନ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍-୨୦୨୪ ଆଗତ କରିଛନ୍ତି । ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ ଆଜି ଏହି ବିଲ୍ ଆଗତ କରିଛନ୍ତି । ତେବେ ବିଲ୍ ଆଗତ ହେବା ସମୟରୁ ହିଁ ବିରୋଧୀ ଦଳର ସାଂସଦମାନେ ଗୃହରେ ହୋହଲ୍ଲା କରିବା ଆରମ୍ଭ କରିଦେଇଛି । ଏସବୁ ମଧ୍ୟରେ ବିରୋଧୀ କଂଗ୍ରେସ ପକ୍ଷରୁ ସରକାରଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ ଅନ୍ୟ ବିରୋଧୀ ଦଳ ନେତାମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ।
ରିପୋର୍ଟ ଅନୁସାରେ ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ ୨୦୨୪ ଆଗତ କରାଯାଇଛି । ଅପରପକ୍ଷେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏବଂ ଏଆଇଏମ୍ଆଇଏମ୍ ସଭାପତି ଅସାଦୁଦ୍ଦିନ ଓେଓ÷୍ୱସୀଙ୍କ ଦଳ ଏହି ବିଲ୍ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବା ବିରୋଧୀ କହିଛନ୍ତି । ଏଥିସହ ୱାକଫ ସମ୍ପତ୍ତି ଜବତ ଏବଂ ଏହି ବିଲ୍ ମୁସଲମାନଙ୍କର ଶତ୍ରୁ ବୋଲି ଓେଓ÷୍ୱସୀ କହିଛନ୍ତ ।
ଏହାର ଜବାବ ଦେଇ ରିଜିଜୁ କହିଛନ୍ତି, \”ବିରୋଧୀ ଭୋଟ୍ ବ୍ୟାଙ୍କ ପାଇଁ ଏହି ସଂଶୋଧନକୁ ବିରୋଧ କରୁଛନ୍ତି । ୱାକଫର ଭିତ୍ତିଭୂମି ଠିକ୍ ନଥିଲା, ୱାକଫ ବୋର୍ଡ ବର୍ତ୍ତମାନ ମାଫିଆଙ୍କ ଅଧୀନରେ ରହିଛି । ତେଣୁ ଏଥିରେ ସଂଶୋଧନ ଅଣାଯିବା ନିହାତି ଆବଶ୍ୟକ । ଏହା କୌଣସି ଧାର୍ମିକ ଅନୁଷ୍ଠାନର ସ୍ୱାଧୀନତାରେ ହସ୍ତକ୍ଷେପ କରିବ ନାହିଁ, ବରଂ ଅଧିକାର ଦେବ । କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ ଅନେକ ସାଂସଦ ତାଙ୍କୁ ବ୍ୟକ୍ତିଗତ ଭାବେ ଏହି ସଂଶୋଧନକୁ ସମର୍ଥନ କରୁଥିବା ଜଣାଇଛନ୍ତି । କିନ୍ତୁ ଦଳ ଏହାକୁ ବିରୋଧ କରୁଥିବାରୁ ସେମାନେ ଖୋଲାଖୋଲି ଭାବେ ସମର୍ଥନ ଜଣାଇପାରୁନାହାନ୍ତି ।
ପ୍ରକାଶ ଥାଉକି, ୱାକଫ ସଂଶୋଧନ ବିଲ୍ ମାଧ୍ୟମରେ ପୁରୁଣା ନିୟମରେ ଥିବା ପ୍ରାୟ ୪୦ଟି ପରିବର୍ତ୍ତନ ପାଇଁ ଦାବି ଉପସ୍ଥାପିତ ହୋଇଛି । ୧୯୯୫ ଏବଂ ୨୦୧୩ର ୱାକଫ୍ ନିୟମରେ ସଂଶୋଧନ କରାଯିବ । ଏହି ବିଲରେ ୧୯୯୫ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ ୧୯୯୫ ରଖାଯିବ ।
ଏହି ବିଲ୍ରେ ଦର୍ଶାଯାଇଛି ଯେ ୧୯୯୫ ଏବଂ ୨୦୧୩ ର ଆଇନ ସତ୍ତ୍ୱେ ରାଜ୍ୟ ୱାକଫ ବୋର୍ଡର କାର୍ଯ୍ୟରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନାହିଁ ଏବଂ ୱାକଫ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତାର ଅଭାବ ରହିଛି । ତେଣୁ ସଂଶୋଧନ ମାଧ୍ୟମରେ ଏସବୁର ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି ।