ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଦୀର୍ଘ ୭ବର୍ଷ ପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ପଦବୀରୁ ଆଇଏଏସ୍ ଭିଭି ଯାଦବଙ୍କୁ ହଟାଇଛନ୍ତି ରାଜ୍ୟ ସରକାର । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ,
୧୯୯୬ ବ୍ୟାଚ୍ ଆଇଏଏସ୍ ଭିଭି ଯାଦବଙ୍କୁ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ସଚିବ ପଦବୀରୁ ହଟାଇ ଦିଆଯାଇଛି । ସେ ଏବେ କେବଳ ରାଜ୍ୟ ପୂର୍ତ୍ତ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ଶ୍ରୀ ଯାଦବଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂଙ୍କୁ ଅତିରିକ୍ତ ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ସିଂ ପୂର୍ବଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ।
୧୯୯୬ ବ୍ୟାଚ୍ ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଦେବ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ସହ ଓକାକ୍ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପୂର୍ବଭଳି ତୁଲାଇବେ । ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ସେହିପରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କଠୁ ଶକ୍ତି ବିଭାଗର ପ୍ରମୁଖ ସଚିବ ପଦ କାଢ଼ି ନିଆଯାଇଛି।
୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ କୁମାର ସିଂଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ସିଂ ପୂର୍ବଭଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହ ସ୍ୱତନ୍ତ୍ର ରିଲିଫ କମିଶନର, ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି ।
୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଶର୍ମା ଏବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ୍ ଗିରିଶଙ୍କୁ ପଂଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ଉଭୟ ପଂଚାୟତିରାଜ ବିଭାଗ ଓ ଅବକାରୀ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ତଥା ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାପାଇଁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି ।
୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ରାଜ୍ୟ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ମଧ୍ୟ ରାଜ୍ୟ ଅବକାରୀ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କଠୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କାଢ଼ି ନିଆଯାଇଛି ।