‘ଭୋଟ୍ ଚୋରି’ ପ୍ରସଙ୍ଗକୁ ଜୋରଦାର କଲା କଂଗ୍ରେସ
ଭୁବନେଶ୍ୱର: କଂଗ୍ରେସର ସର୍ବମାନ୍ୟ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧି ଗତ ୭ ତାରିଖ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ, ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟାପକ ହେରଫେର ଓ ଜାଲିଆତି କରି ‘ଭୋଟ୍ ଚୋରି’ ଜରିଆରେ, ବିଜେପି କିପରି ଏକାଧିକ ନିର୍ବାଚନ ଜିଣିଛି ବର୍ଣ୍ଣନା କରି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀର ସ୍କ୍ରିନିଂ ଗତ ୯ ଓ ୧୧ ତାରିଖରେ ଯଥାକ୍ରମେ ରାଜ୍ୟ ଓ ଜିଲ୍ଲାସ୍ତରରେ କଂଗ୍ରେସ ପକ୍ଷରୁ କରାଯାଇଥିଲା। ବିଜେପିର ଏପରି ହୀନ ପଦକ୍ଷେପ ବିରୋଧରେ ଦେଶବ୍ୟାପୀ ସାଧାରଣରେ ନିନ୍ଦା କରାଯାଉଥିବା ସ୍ପଷ୍ଟ ହୋଇଛି। ନିର୍ବାଚନ ଆୟୋଗ ପରି ଏକ ପବିତ୍ର ସାମ୍ବିଧାନିକ ଅନୁଷ୍ଠାନକୁ ହାତବାରିସି କରି ଏ ଦେଶର ଆତ୍ମା ‘ଗଣତନ୍ତ୍ର’କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଂଗ୍ରେସ ପକ୍ଷରୁ ଭର୍ତ୍ସନା କରିବା ପାଇଁ ଏଆଇସିସି ତରଫରୁ ସଙ୍ଗଠନକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ୧୪ ତାରିଖ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନ୍ୟୁନ ୨ କି.ମି.ର ମଶାଲ ଶୋଭାଯାତ୍ରା କରିବା ପାଇଁ ଦଳର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ ସମସ୍ତ ଜିଲ୍ଲାର ସଂଯୋଜକ/ଆବାହକ, କର୍ମକର୍ତ୍ତା, ରାଜ୍ୟର ଛାମୁଆ ସଂଗଠନକୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ନିଆଯାଉଥିବା ଏପରି ଏକ ଐତିହାସିକ କାର୍ଯ୍ୟକ୍ରମରେ ଜନସାଧାରଣ ମଧ୍ୟ ବହୁସଂଖ୍ୟାରେ ଯୋଗଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି।










