ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆଜି ଆରମ୍ଭ ହୋଇଯାଇଛି କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ)ଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ୨୩ଦିନ ଧରି ଚାଲିବ। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ ଓ କଟକ ଜିଲ୍ଲାରୁ ଆସିଥିବା ୪୦ଜଣକୁ ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ୪୦ଜଣକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ତୃତୀୟ ପର୍ଯ୍ୟାୟରେ କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଜିଲ୍ଲାରୁ ୪୦ ଜଣଙ୍କୁ ଓ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୪୭ ଜଣଙ୍କୁ ତାଲିମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬୭ ଜଣ କନିଷ୍ଠ ସହାୟକଙ୍କୁ ତାଲିମ ଦିଆଯିବ ଏବଂ ପ୍ରତି ପର୍ଯ୍ୟାୟ ୩ଦିନ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଆକାଉଣ୍ଟିଂ ଓ ପ୍ରଶାସନିକ କାର୍ଯ୍ୟ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବ। ଏହା ସହ ପ୍ରଶାସନିକ କାର୍ଯ୍ୟର କମ୍ପ୍ୟୁଟରୀକରଣ ଏବଂ ଏଚ୍ଆରଏମ୍ସ୍ ସମ୍ବନ୍ଧରେ ମଧ୍ୟ ତାଲିମ ପ୍ରଦାନ କରାଯିବ।ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ ଉଲ୍ଲେଖ କରିଥିଲେ।