19.1 C
Bhubaneswar
Friday, December 5, 2025
Homeଓଡିଶାନୂଆ ସରକାର ଗଠନ ପରଠୁ କମିଛି ମହିଳା ହିଂସା

ନୂଆ ସରକାର ଗଠନ ପରଠୁ କମିଛି ମହିଳା ହିଂସା

ଭୁବନେଶ୍ୱର : ନୂଆ ସରକାର ଗଠନ ହେବା ପରଠାରୁ ରାଜ୍ୟରେ ହିଂସା କମିଛି। ବିଶେଷକରି ମହିଳା ହିଂସା ହ୍ରାସ ପାଇଛି। ରାଜ୍ୟରେ ଦୁଷ୍କର୍ମ ମାମଲା ୩.୩% ହ୍ରାସ ପାଇଛି। ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ୬୬.୭% ହ୍ରାସ ପାଇଛି। ମହିଳା ଚାଲାଣ ମାମଲାରେ ୨୪.୧% ହ୍ରାସ ପାଇଛି। ଯୌତୁକ ହତ୍ୟା ମାମଲାରେ ୨୦.୬% ହ୍ରାସ ପାଇଛି। ଯୌତୁକ ନିର୍ଯାତନା ମାମଲାରେ ୭.୨% ହ୍ରାସ ପାଇଛି। ଏହା ହିଁ ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧି। ଶୁକ୍ରବାର ବିଧାନସଭାରେ ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମୂଲତବୀ ପ୍ରସ୍ତାବ ଆଲୋଚନା ଶେଷରେ ଏହି ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନୁହେଁ। କାରଣ ମହିଳାମାନଙ୍କ ସୁରକ୍ଷାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ମାମଲାଗୁଡ଼ିକର ତୁରନ୍ତ ପଞ୍ଜୀକରଣ, ସଠିକ ତଦନ୍ତ, ବିଚାର ପ୍ରକ୍ରିୟା ଉପରେ ନଜର ରଖିବା, ପୀଡ଼ିତାମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ଉପଯୁକ୍ତ ପରାମର୍ଶ ଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ତଥା ଥଇଥାନ ସହିତ ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଇଛି।

ଆଇନ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବାର ୧୫ ମାସ ଅର୍ଥାତ ୧ ଜୁଲାଇ ୨୦୨୪ରୁ ୩୦ସେପ୍ଟେମ୍ବର ୨୦୨୫ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାକୁ ଯଦି ପୂର୍ବ ୧୫ ମାସ ଅର୍ଥାତ ୧ଏପ୍ରିଲ ୨୦୨୩ରୁ ୩୦ଜୁନ ୨୦୨୪ ମଧ୍ୟରେ ହୋଇଥିବା ଅପରାଧକୁ ତୁଳନା କରାଯାଏ, ତେବେ ଅପରାଧ ସଂଖା ଅପେକ୍ଷାକୃତ ଭାବେ ସ୍ଥିର ରହିଛି। ୧ ଜୁଲାଇ ୨୦୨୪ରୁ ୩୦ସେପ୍ଟେମ୍ବର ୨୦୨୫ ମଧ୍ୟରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧର ମୋଟ୍ ୪୦,୯୪୭ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧ ଏପ୍ରିଲ ୨୦୨୩ରୁ ୩୦ ଜୁନ ୨୦୨୪ ମଧ୍ୟରେ ୪୦,୭୭୧ ମାମଲା ରହିଛି। ଆଇନ ମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କୁ ଅସମ୍ମାନ ମାମଲାରେ ୨୨.୨% ହ୍ରାସ ପାଇଛି। ମୋଲେଷ୍ଟସନ ୧.୯% ହ୍ରାସ ପାଇଛି। ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଶାଖା ଖୋଲିଛନ୍ତି। ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା ରହିଛି।ଏହି ଶାଖାକୁ ମହିଳା ଏବଂ ଶିଶୁ ବିରୁଦ୍ଧରେ ଘଟୁଥିବା ଅପରାଧର ଜଘନ୍ୟ ମାମଲା ଯଥା ମାନବ ଚାଲାଣ, ଯୌନ ଅପରାଧ, ଘରୋଇ ହିଂସା, ଏସିଡ୍ ଆକ୍ରମଣ, ଶିଶୁ ଶ୍ରମିକ, ଗୁଣୀ ଗାରେଡିର ଶିକାର ଇତ୍ୟାଦି ଉପରେ ନଜର ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି। ରାଜ୍ୟର ଘୃଣ୍ୟ ଏବଂ ଚାଞ୍ଚଲ୍ୟକର ଅପରାଧର ତଦନ୍ତ ପାଇଁ ସ୍ୱତନ୍ତ୍ର ପୁଲିସ ଷ୍ଟେସନ କାର୍ଯ୍ୟ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking