ଭୁବନେଶ୍ବର: ବାତ୍ୟା ସମୟରେ ବୀଭତ୍ସ ହତ୍ୟାକାଣ୍ଡ । ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଶ୍ୱଶୁର ଘରେ ଜ୍ବାଇଁର ଇଗୋ ହର୍ଟ୍ ହେବାରୁ ସେ ନିଶାଶକ୍ତ ଅବସ୍ଥାରେ ନିଜ ଶଳାକୁ ହତ୍ୟା କରିଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେ ଜଣେ ରେଳ କର୍ମଚାରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ମେଣ୍ଢାଶାଳ ଗାଁରେ ସକାଳ ସମୟରେ ପ୍ରଶାନ୍ତ ବିଶ୍ବାଳ ନାମକ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଘରେ ଆଉ ଦୁଇ ଜଣ ଛୋଟ ପିଲାକୁ ଆକ୍ରମଣ କରିଥିବା ନେଇ ମଧ୍ୟ ପୋଲିସ ଖବର ପାଇଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଶାନ୍ତ ବିଶ୍ବାଳଙ୍କ ଭିଣୋଇ ଏପରି ଘଟାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଯାଞ୍ଚ କରାଯାଇଛି। ଏହାସହ ସମସ୍ତ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି ପୋଲିସ । ଆକ୍ରମଣ ଫଳରେ ଦୁଇ ବାଳକ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, “ଗିରଫ ଅଭିଯୁକ୍ତ ନିଜ ସମ୍ପର୍କୀୟଙ୍କ ଘରକୁ ଆସି ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଯାହାକୁ ଆକ୍ରମଣ କରିଥିଲେ ତାଙ୍କର ମୃତ୍ୟୁ ହୋଇସାରିଛି । ସେହି ହତ୍ୟା ସମୟରେ ତାଙ୍କୁ ଅଟକାଇବାକୁ ଯିବା ସମୟରେ ଆଉ ଦୁଇ ଜଣକୁ ମଧ୍ୟ ସେ ଆକ୍ରମଣ କରିଥିଲେ। ସେମାନେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଏସିପି, ଆଇଆଇସି ଓ ଫରେନ୍ସିକ ଟିମ୍ ଯାଇ ତନାଘନା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି ।