ପିପିଲି: ନିମ୍ନମାନର ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ । ୨୪ଘଣ୍ଟା ନପୁରୁଣୁ ରାସ୍ତାରୁ ଉଠି ଯାଉଛି ପିଚୁ । ବିଭାଗୀ ଅଧିକାରୀଙ୍କ ଅନୁପସ୍ଥିତିର ଫାଇଦା ନେଉଛନ୍ତି ଠିକାଦାର । ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଛି ରାସ୍ତା, ହେଲେ କାମର ମାନ ଏତେ ଖରାପ ଯେ ହାତ କିମ୍ବା ଗୋଡ ମାରିଦେଲେ ଉଠି ଯାଉଛି ପିଚୁ । ପିପିଲି ଭାରତୀପୁର ଗାଁ ଠାରୁ ଓରକକ ପର୍ଯ୍ୟନ୍ତ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଛି ରାସ୍ତା ନିର୍ମାଣ, ହେଲେ ଉଜାଣିପଡ଼ା ଗାଁ ଠାରେ ନିର୍ମାଣ ରାସ୍ତାର ମାନ ଏତେ ଖରାପ ତାହା ନଦେଖିଲେ ବିଶ୍ୱାସ କରି ହେବନି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ଠିକାଦାର ଓ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଜନସାଧାରଣ । ଅନ୍ୟପଟେ ବିଭାଗୀୟ ଅଧିକାରୀ ଆସିବା ପୁର୍ବରୁ ତରବରିଆ ଭାବରେ ନିମ୍ନମାନର କାମ ଉପରେ ପ୍ୟାଚ ପକାଇ ଦେଇ ଦୁର୍ନୀତିକୁ ଘୋଡାଇ ଦେଉଛନ୍ତି ଠିକାଦାର । ଘଟଣା ସମ୍ପର୍କରେ ପଚାରିବାରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ।










