20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବିଜୟା ରାହତକର ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ନିଯୁକ୍ତ

ବିଜୟା ରାହତକର ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ନିଯୁକ୍ତ

ନୂଆଦିଲ୍ଲୀ: ବିଜୟା କିଶୋର ରାହତକରଙ୍କୁ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)ର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନ୍‌ସିଡବ୍ଲ୍ୟୁର ବିଦାୟୀ ଅଧ୍ୟକ୍ଷା ରେଖା ଶର୍ମାଙ୍କ ସ୍ଥାନରେ ସେ ଅବସ୍ଥାପିତ ହେବେ। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ଏନ୍‌ସିଡବ୍ଲ୍ୟୁ ପକ୍ଷରୁ ଏକ୍ସ’ରେ ଏକ ପୋଷ୍ଟ କରାଯାଇ ଏସମ୍ପର୍କରେ ସୂଚନା ଦିଆଯାଇଛି। ଏନ୍‌ସିଡବ୍ଲ୍ୟୁ ଆଇନ୍‌-୧୯୯୦ ସେକ୍‌ସନ୍ ୩ ଅନ୍ତର୍ଗତ ବିଜୟା ରାହତକରଙ୍କୁ ଭାରତ ସରକାର ନୂଆ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନୂଆ ନିଯୁକ୍ତି ସହ ଶ୍ରୀମତୀ ରାହତକର ଏନ୍‌ସିଡବ୍ଲ୍ୟୁର ୯ମ ଅଧ୍ୟକ୍ଷା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ନିଯୁକ୍ତିକୁ ପ୍ରଭାବୀ ଢ଼ଙ୍ଗରେ ଲାଗୁ କରାଯାଇଥିବା ବେଳେ ସେ ଯଥାଶୀଘ୍ର ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀମତୀ ରାହତକାରଙ୍କ ସହ ଡକ୍ଟର ଅର୍ଚ୍ଚନା ମଜୁମଦାରଙ୍କୁ ମଧ୍ୟ ଜାତୀୟ ମହିଳା ଆୟୋଗର ଅନ୍ୟତମ ସଦସ୍ୟା ଭାବରେ ନିଯୁକ୍ତ କରାଯିବା ସମ୍ପର୍କରେ ମଧ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି।

ଶ୍ରୀମତୀ ରାହତକର ୨୦୧୬ରୁ ୨୦୨୧ ଯାଏ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଏବଂ ଔରଙ୍ଗାବାଦ (ଛତ୍ରପତି ସମ୍ଭାଜିନଗର)ର ମେୟର ଭାବେ ୨୦୦୭ରୁ ୨୦୧୦ ଯାଏ କାର୍ଯ୍ୟ କରିଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଏବଂ ଦଳର ମହିଳା ଶାଖାର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ ପଦାର୍ଥ ବିଜ୍ଞାନରେ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିବା ବେଳେ ଇତିହାସ ବିଷୟରେ ପୁଣେ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏହି ସମୟ ସୁଦ୍ଧା ସେ ‘ବିଧିଲିଖିତ’ ଏବଂ ଔରଙ୍ଗାବାଦ: ଲିଡିଂ ଟୁ ୱାଇଡ୍ ରୋଡ୍‌ସ ଭଳି ଅନେକ ପୁସ୍ତକ ମଧ୍ୟ ରଚନା କରିସାରିଛନ୍ତି। ମହିଳା ସଶକ୍ତିକରଣ ଦିଗରେ ତାଙ୍କ କାର୍ଯ୍ୟାନ୍ୱୟତା ଏବଂ ବଳିଷ୍ଠ ନେତୃତ୍ୱ ତାଙ୍କୁ ନ୍ୟାସନାଲ ଲ’ ଆୱାର୍ଡ ଏବଂ ସାବିତ୍ରୀବାଇ ଫୁଲେ ଭଳି ବିଶିଷ୍ଟ ନାରୀ କୈନ୍ଦ୍ରିକ ସମ୍ମାନରେ ସମ୍ମାନିତ କରିଛି।

ପ୍ରକାଶ, ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ଭାବେ ରେଖା ଶର୍ମାଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ମାସରେ ହିଁ ଶେଷ ହୋଇସାରିଥିବା ବେଳେ ନୂଆ ଅଧ୍ୟକ୍ଷା ନିଯୁକ୍ତ ହେବା ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ୱରେ ରହିବାକୁ ଅନୁରୋଧ କରିଥିଲେ। ରେଖା ଶର୍ମା ମଧ୍ୟ ଏହାକୁ ସ୍ୱୀକାର କରିବା ପୂର୍ବକ ଏବେ ବି ଦାୟିତ୍ୱ ତୁଲାଇଆସୁଛନ୍ତି। ତେବେ ଏବେ ବିଜୟା ରାହତକାରଙ୍କୁ ନୂଆ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking