19.1 C
Bhubaneswar
Sunday, January 11, 2026
Homeଓଡିଶାଲାଞ୍ଚ ନେବାବେଳେ ଫରେଷ୍ଟର୍‌ଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଲାଞ୍ଚ ନେବାବେଳେ ଫରେଷ୍ଟର୍‌ଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଜଣେ ଚାଷୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ୍ ଗୁଲମିର ଫରେଷ୍ଟର୍ ଅଶୋକ କୁମାର ନାୟକ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗୁଲମୀସଂରକ୍ଷିତ ଜଙ୍ଗଲରେ ଥିବା କୁଟୁରାକେନ୍ଦ୍ର ଗାମର କୌଶିକ କୁମାର ଭୋଇ ନିଜ ଜମିରେ ଥିବା ରେଙ୍ଗାଲ ଗଛ କାଟୁଥିବାବେଳେ ପାଟ୍ରୋଲିଂ କରୁଥିବା ପରେଷ୍ଟର୍ ଶ୍ରୀ ନାୟକ ତାହା ଦେଖି କୌଶିକଙ୍କ ନିଜ କାର୍ଯ୍ୟାଳୟକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ବେଆଇନ ଭାବେ ଗଛ କାଟୁଥିବାରୁ କୌଶିକଙ୍କୁ କୋର୍ଟ ଚାଲାଣ କରିବାକୁ ଧମକ ଦେବା ସହ ଘଟଣାକୁ ଚପାଇ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ସହିତ ଗଛ କାଟିବା ପାଇଁ ଦୁଇ ହଜାର ଟଙ୍କା ଜୋରିମାନା ଦେବାକୁ କହିଥିଲେ। ଏସବୁ କୌଶିକ ଚତୁରତାର ସହ ନିଜ ମୋବାଇଲ୍‌ରେ ରେକର୍ଡ କରିନେଇଥିଲେ। ପରେ ଟିଟିଲାଗଡ଼ର ଜଣେ ସାମ୍ବାଦିକଙ୍କ ସହାୟତାରେ ବଲାଙ୍ଗିର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ କୌଶକ ଆଜି ଶ୍ରୀ ନାୟକଙ୍କୁ ଭେଟି ୧୦ ହଜାର ଟଙ୍କା ଲାଞ୍ଚ ଅର୍ଥ ସହିତ ଜୋରିମାନା ବାବଦକୁ ୨୦୦୦ ଟଙ୍କା ଦେଇଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରି ଫରେଷ୍ଟର ଶ୍ରୀ ନାୟକଙ୍କୁ ଧରିଥିଲେ। ତାଙ୍କଠାରୁ ମୋଟ ୧୨ ହଜାର ଟଙ୍କା ଜବତ କରାଯାଇଥିଲା। ତା’ମଧ୍ୟରେ ୧୦ ହଜାର ଟଙ୍କା ଲାଞ୍ଚ ଅର୍ଥ ମଧ୍ୟ ଥିଲା।

ଲାଞ୍ଚ ନେଇ ଧରାପଡ଼ିବା ପରେ ଫରେଷ୍ଟର ଶ୍ରୀ ନାୟକଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଅଫିସରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୧ ଲକ୍ଷ ୮୦ ହଜାର ୩୫୦ ଟଙ୍କା ପାଇଥିଲେ। ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ପୁଲିସ୍ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଫରେଷ୍ଟର ଅଶୋକ କୁମାର ନାୟକ ଗୁଲମୀ ସଂରକ୍ଷିତ ଜଙ୍ଗଲ ତଥା ବର୍ଣ୍ଣି ଜଙ୍ଗଲ ଅଞ୍ଚଳରେ ଜଙ୍ଗଲ ମାଫିଆମାନଙ୍କ ସହ ମିଶି ଜଙ୍ଗଲ ଭିତରୁ ବହୁ ମୂଲ୍ୟବାନ ଗଛ ବେଆଇନ ଭାବରେ ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking