ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ହରିବଂଶଙ୍କୁ ନୂଆ ଉପରାଷ୍ଟ୍ରପତି ପଦ ଭାବେ ନୂଆ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରକାଶ, ନିୟମ ଅନୁଯାୟୀ, ରାଜ୍ୟସଭା ସଭାପତି (ଉପରାଷ୍ଟ୍ରପତି) ପଦ ଖାଲି ହେବା ପରେ ଗୃହର ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣ ଏବେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥାତ୍ ପରବର୍ତ୍ତୀ ଉପରାଷ୍ଟ୍ରପତି ଚୟନ ଲାଗି ନିର୍ବାଚନ ହେବା ପର୍ଯ୍ୟନ୍ତ ହରିବଂଶ ନାରାୟଣ ସିଂ ଏବେ ଗୃହରେ ସଭାପତିତ୍ୱ କରିବେ । ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ଆଉ କିଛି ନେତାଙ୍କ ନାମ ସାମ୍ନାକୁ ଆସୁଛି କିନ୍ତୁ ଏସମସ୍ତଙ୍କ ତୁଳନାରେ ହରିବଂଶ ପରବର୍ତ୍ତୀ ଉପରାଷ୍ଟ୍ରପତି ଦୌଡରେ ସର୍ବାଗ୍ରେ ଅଛନ୍ତି । ଆଗକୁ ବିହାର ନିର୍ବାଚନ ଥିବାରୁ ବିହାରରୁ ହରିବଂଶଙ୍କୁ ଉପରାଷ୍ଟ୍ରପତି କଲେ ବିଜେପି ଓ ଜେଡିୟୁକୁ ଫାଇଦା ମିଳିବ ବୋଲି ଅନୁମାନ କରାଯାଉଛି ।
ଦିନକ ପୂର୍ବେ ଜଗଦୀପ ଧନଖଡ଼ ଆଶ୍ଚର୍ଯ୍ୟଜନକ ଭାବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏଥିପାଇଁ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ । ସଂସଦର ଅଧିବେଶନ ଚାଲିଥିବା ସମୟରେ ସେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରକାଶ, ସ୍ୱାଧୀନ ଭାରତ ଇତିହାସରେ ୩ୟ ଥର ପାଇଁ କୌଣସି ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଧନଖଡଙ୍କ ପୂର୍ବରୁ ଭିଭି ଗିରି ୨୦ ଜୁଲାଇ ୧୯୬୯ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଫଳରେ ନିଜ କାର୍ଯ୍ୟକାଳ ପୂରଣ ପୂର୍ବରୁ ଇସ୍ତଫା ଦେବାରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ସାଜିଥିଲେ ଭିଭି ଗିରି । ୧୯୬୯ ମେ’ରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସୈନ୍ଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଭିଭି ଗିରି ଏପରି ନିଷ୍ପତ୍ତି ନେଇଥିଲେ । ସେହିପରି ଭିଭି ଗିରିଙ୍କ ପରେ ଦ୍ୱିତୀୟ ଉପରାଷ୍ଟ୍ରପତି ସାଜିଥିଲେ ରାମାସ୍ୱାମୀ ଭେଙ୍କଟରମଣ । ସେ ମଧ୍ୟ କଂଗ୍ରେସ ପକ୍ଷରୁ ୧୯୮୭ରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ପରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ।










