ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସଂସଦ ଭବନରେ ପ୍ରଥମେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦ ହିଁ ଭୋଟ୍ ଦେଇପାରିବେ। ଉପରାଷ୍ଟ୍ରପତି ନିର୍ବାଚନରେ ୭୮୧ ସାଂସଦ ଭୋଟ୍ ଦେବେ । ୫୦ ଦିନ ପରେ ଜଗଦୀପ ଧନଖଡଙ୍କ ସ୍ଥାନରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ସିପି ରାଧାକ୍ରିଷ୍ଣନ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ପୂର୍ବରୁ ସେ ଝାଡଖଣ୍ଡ ରାଜ୍ୟପାଳ ବି ହୋଇଥିଲେ । ଏଥିସହିତ ତେଲଙ୍ଗାନା ରାଜ୍ୟପାଳ ଓ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱରେ ବି ସେ ରହିଥିଲେ । ସାମ୍ବିଧାନିକ କ୍ଷେତ୍ରରେ ତାଙ୍କର ଲମ୍ବା ଅଭିଜ୍ଞତା ରହିଛି । ଅନ୍ୟପଟେ ବି. ସୁଦର୍ଶନ ରେଡ୍ଡୀ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା । ୧୯୯୫ ମେ ୨ରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି । ବି ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୧୯୪୬ଜୁଲାଇ ୮ରେ । ୧୯୭୧, ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲ ମଧ୍ୟ ରହିଥିଲେ । ଆନ୍ଧ୍ର ହାଇକୋର୍ଟରେ ରିଟ ଓ ସିଭିଲ ମାମଲାରେ ଅଭ୍ୟାସ କରିଛନ୍ତି ।










