କଟକ: କଟକ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି। ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ। ଏନେଇ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତିଙ୍କ ଆଗମନ ନେଇ ରାଜ୍ୟ ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ଡ.ହରିବାବୁ କମ୍ଭମପଟି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ମଧ୍ୟ ଯୋଜନା ରହିଛି। ଜିଲ୍ଲାପାଳ ସମସ୍ତ ପ୍ରସ୍ତୁତିର ତଦାରଖ କରୁଛନ୍ତି। ପ୍ରକାଶ ଯେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଏଥର ନୂଆ ଗ୍ୟାଲେରୀର ଉଦ୍ଘାଟନ କରାଯିବ। ଏହି ଗ୍ୟାଲେରୀରେ ଡାକ ବିଭାଗ ପକ୍ଷରୁ ନେତାଜୀ, ଆଜାଦ ହିନ୍ଦ ଫୌଜ, ଆଇଏନଏ ସହିତ ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ। ସେହିପରି ପୁରାତନ ପୋଷ୍ଟକାର୍ଡ, ଇନଲ୍ୟାଣ୍ଡ ଲେଟର ସହ ସ୍ୱାଧୀନତା ସଂଗ୍ରାମକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଚିଠିକୁ ଏଥିରେ ସ୍ଥାନ ଦିଆଯିବ ବୋଲି ସଂଗ୍ରହଳୟ ଦାୟିତ୍ୱରେ ଥିବା ଜଳେନ୍ଦ୍ର ପ୍ରସାଦ ରାୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ସଂଗ୍ରହଳୟରେ ୧୨ ଟି ଗ୍ୟାଲେରୀରେ ନେତାଜୀଙ୍କ ଷ୍ଟଡି ରୁମ, ପ୍ରାରମ୍ଭିକ ଜୀବନୀ, କାରାଗାର ଜୀବନ, ରାଜନୈତିକ ଜୀବନୀ, ଆଜାଦ ହିନ୍ଦ ଫୌଜ ଆଜାଦ ହିନ୍ଦ ରେଡ଼ିଓ, ଆଧ୍ୟାତ୍ମିକ ଗ୍ୟାଲେରୀ ଆଦି ସାଇତି ରଖାଯାଇଛି । କେବଳ ସେତିକି ନୁହେଁ ବରଂ ଚଳିତବର୍ଷ ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରରେ ଜାନୁଆରୀ ୨୩ ରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ପରାକ୍ରମ ଦିବସ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋର୍ଟ ବ୍ଲେୟାରକୁ କଟକ ନେତାଜୀ ସଂଗ୍ରହାଳୟରୁ ନେତାଜୀଙ୍କ ପ୍ଲାଟିନମ ପେନ, ଜ୍ୟାମିତି ବାକ୍ସ, ହୋମିଓପ୍ୟାଥୀ ବାକ୍ସ ଆଦି ନିଆ ଯାଇଛି । କାର୍ଯ୍ୟକ୍ରମ ଶେଷ ପରେ ଏହି ଜିନିଷ ସବୁ ସଂଗ୍ରହଳୟକୁ ଫେରି ଆସିବ ବୋଲି କହିଛନ୍ତି ଜଳେନ୍ଦ୍ର ପ୍ରସାଦ।










