ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ସୋମବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୁଳପତିଙ୍କ ଗସ୍ତ ସ୍ଥାନୀୟ ଅଞ୍ଚଳରେ ମୁକ୍ତ ଏବଂ ଦୂରଶିକ୍ଷା ସହିତ କୌଶଳ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କୁଳପତିଙ୍କ ସହ ଇଗ୍ନୋର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ନୟନତାରା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରର ଶିକ୍ଷାଗତ, ପ୍ରଶାସନିକ ଏବଂ ଢାଞ୍ଚାଗତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ। ସେ ଆଞ୍ଚଳିକ ନିର୍ଦ୍ଦେଶକ, ଶିକ୍ଷକ-ଶିକ୍ଷୟିତ୍ରୀ, ପରାମର୍ଶଦାତା ଏବଂ ଅନ୍ୟ କର୍ମଚାରୀମାନଙ୍କ ସହ ଆଲୋଚନା କରି କରିଥିଲେ । ଗ୍ରାମୀଣ, ଜନଜାତି ଓ ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଯୋଗାଇ ଦେବାରେ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ।
କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁସାରେ କୌଶଳ ବିକାଶ ଆଧାରିତ ଏବଂ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରସାରରେ କୌଶଳ କେନ୍ଦ୍ରର ଭୂମିକା ଉପରେ ଜୋର ଦେଇଥିଲେ। ସେ ଅଧିକ ଶିଳ୍ପ-ସମ୍ପର୍କିତ ସାର୍ଟିଫିକେଟ୍ ଓ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବା ସହ ସ୍ଥାନୀୟ ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରୀ ବିଭାଗ ସହ ସହଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। କୁଳପତି ଏହି ଅବସରରେ ରାଇରାଙ୍ଗପୁର ଉପଜିଲ୍ଲାପାଳଙ୍କ ସହ ଏକ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ଏଥିରେ ଶିକ୍ଷା, କୌଶଳ ବିକାଶ, ଯୁବ ଓ ମହିଳା ସଶକ୍ତିକରଣ ଏବଂ ସରକାରୀ କର୍ମଚାରୀଙ୍କ କ୍ଷମତା ବୃଦ୍ଧି କ୍ଷେତ୍ରରେ ଇଗ୍ନୋ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସହଯୋଗ ନେଇ ଆଲୋଚନା ହୋଇଥିଲା । ଉପଜିଲ୍ଲାପାଳ ଇଗ୍ନୋ କାର୍ଯ୍ୟକଳାପ ପାଇଁ ସମ୍ପୂର୍ଣ୍ଣ ପ୍ରଶାସନିକ ସହଯୋଗ ଦେବାକୁ ଆଶ୍ୱାସନା ଦେଇଥିଲେ। ଆସନ୍ତାକାଲି କୁଳପତି ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ସେ ଜିଲ୍ଲା ସ୍ତରରେ ଶିକ୍ଷା, ଡିଜିଟାଲ ସାକ୍ଷରତା, ଉଦ୍ୟମିତା ବିକାଶ ଏବଂ ସମସ୍ତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ ।










