ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ । ମଙ୍ଗଳବାର ସଂସଦରେ ‘ଭିବି- ଜୀ ରାମ ଜୀ’ (ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଏବଂ ଗ୍ରାମୀଣ ବିଲ) ଆଗତ କରିଛନ୍ତି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନେଇ ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଓ ହୋହଲ୍ଲା ଦେଖାଦେଇଛି । ବିରୋଧୀଙ୍କ ସ୍ଲୋଗାନରେ କଡା ଜବାବ ଦେଇ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି, ଆମେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବୁ ଏବଂ ତାଙ୍କ ସ୍ୱପ୍ନର ରାମରାଜ୍ୟ ପ୍ରତିଷ୍ଠା କରିବୁ । ଅନ୍ୟପଟେ ଭିବି- ଜି- ରାମ ଜୀ ବିଲକୁ ନେଇ ଶାସକଦଳକୁ କଡା ନିଶାନା କରିଛନ୍ତି ସାଂସଦ ପ୍ରିୟଙ୍କା ଗାନ୍ଧୀ । କହିଛନ୍ତି, ବୈପ୍ଳବିକ ପଦକ୍ଷେପ ଥିଲା, ଶହେ ଦିନର ନିଶ୍ଚିତ ରୋଜଗାର ମିଳୁଥିଲା । ବିକଶିତ ଭାରତ- ଜି ରାମ ଜି ବାର୍ଷିକ ଭିତରେ ବଣ୍ଟନ ନିର୍ଦ୍ଧାରଣ ଗ୍ରହଣୀୟ ନୁହେଁ । ବିଲରେ କେବଳ ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବା ରାଜ୍ୟ ଚାପ ବଢାଇବ । ବିଲ ପ୍ରତ୍ୟାହାର କରାଯାଉ । ସ୍ପେଶାଲ କମିଟିକୁ ପଠାଯାଉ ।
ବିଲ୍ ରେ କୁହାଯାଇଛି ଯେ ଏହା ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ପ୍ରଦାନ କରିବ, ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବରେ ହସ୍ତକୃତ କାମ କରିବାକୁ ଚାହାଁନ୍ତି। ଭିବି- ଜି- ରାମ ଜୀ ଆଇନ ଆରମ୍ଭ ହେବାର ତାରିଖରୁ ଛଅ ମାସ ମଧ୍ୟରେ, ରାଜ୍ୟଗୁଡ଼ିକୁ ନୂତନ ଆଇନର ବ୍ୟବସ୍ଥା ସହିତ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ।ଆର୍ଥିକ ଦାୟିତ୍ୱ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବାଣ୍ଟି ନିଆଯିବ। ଉତ୍ତର-ପୂର୍ବ ରାଜ୍ୟ ଏବଂ ହିମାଳୟ ରାଜ୍ୟ ପାଇଁ ଏହା ୯୦ରୁ ୧୦ ପ୍ରତିଶତ ଏବଂ ବିଧାନସଭା ଥିବା ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୬୦ରୁ ୪୦ ପ୍ରତିଶତ ହେବ । ଅନ୍ୟପଟେ ବିଧାନସଭା ନଥିବା କେନ୍ଦ୍ରଶାସିତ ପ୍ରଦେଶ ପାଇଁ, ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ବହନ କରିବ ।









