27.1 C
Bhubaneswar
Tuesday, December 9, 2025
Homeଓଡିଶା'ବନ୍ଦେ ମାତରମ୍‌' ଗୀତ ନୁହେଁ, ଏହା ଭାରତର ଆତ୍ମା: ମୁଖ୍ୟମନ୍ତ୍ରୀ

‘ବନ୍ଦେ ମାତରମ୍‌’ ଗୀତ ନୁହେଁ, ଏହା ଭାରତର ଆତ୍ମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ଦେ ମାତରମ୍‌ର ରାଷ୍ଟ୍ରଗାନ ୧୫୦ତମ ଅବସରରେ ବିଧାନସଭା ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବକ୍ତବ୍ୟ ରଖି କହିଛନ୍ତି ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ, ବନ୍ଦେ ମାତରମ୍‌ ଭଳି ଏକ ଐତିହାସିକ, ଆମ ଦେଶର ସ୍ୱାଧୀନତା ସହିତ ଜଡିତ ଦେଶମାତୃକାର ଜୟଗାନ ବିଷୟରେ ଆଲୋଚନାରେ ମୋତେ କିଛି କହିବାକୁ ଅନୁମତି ଦେଇଥିବାରୁ ମୁଁ ଆପଣଙ୍କୁ, ଏବଂ ଏହି ପବିତ୍ର ଗୃହର ସମସ୍ତ ମାନନୀୟ ସଦସ୍ୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି।  ଏହି ଗୃହରେ ଆମ ସମସ୍ତଙ୍କ ପାଇଁ ବନ୍ଦେ ମାତରମ୍‌ର ଗାଥାକୁ ସ୍ମରଣ କରିବା ଏକ ସୌଭାଗ୍ୟର ବିଷୟ । ସେହି ମନ୍ତ୍ରର  ବିଜୟ ଧ୍ୱନି, ସମଗ୍ର ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ କରିଥିଲା ଏବଂ ଜାତୀୟତାବୋଧକୁ ପ୍ରେରଣା ଦେଇଥିଲା । ଏହା ଆମ ପାଇଁ ଗର୍ବର ବିଷୟ ଯେ, ବନ୍ଦେ ମାତରମ୍‌ର ୧୫୦ ତମ ବାର୍ଷିକୀ ଅବସରରେ, ଆମେ ଏହି ଐତିହାସିକ ଅବସରର ସାକ୍ଷୀ ହେଉଛୁ। ଏହା ଏମିତି ସମୟର ଗାଥା, ଯାହା ଇତିହାସର ଅଗଣିତ ଲୁଚି ରହିଥିବା ଘଟଣା ମଧ୍ୟରୁ ଗୋଟିଏ । ଆଜିର ଏହି ଆଲୋଚନା କେବଳ ଏହି ପବିତ୍ର ଗୃହର ପ୍ରତିବଦ୍ଧତାକୁ ପ୍ରକାଶ କରିବ ନାହିଁ ବରଂ ଆଗାମୀ ପିଢ଼ି ପାଇଁ ଶିକ୍ଷାର ଏକ ଉତ୍ସ ଭାବରେ ମଧ୍ୟ କାର୍ଯ୍ୟ କରିପାରିବ। ଆଜି ଆମ ନିକଟରେ ଏପରି ଏକ ସମୟ ଆସି ପହଞ୍ଚିଛି, ଯେଉଁ ସମୟରେ ଇତିହାସର ଅନେକ ପ୍ରେରଣାଦାୟକ ଅଧ୍ୟାୟ ଆମ ପାଇଁ ପୁଣି ଥରେ ପ୍ରକାଶ ପାଉଛି। ଆମେ ଆମ ସମ୍ବିଧାନର ୭୫ ବର୍ଷକୁ ବହୁତ ଗର୍ବର ସହିତ ପାଳନ କରିଛୁ। ଆଜି ଆମ ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛି। ଆମେ ଗୁରୁ ତେଗ୍‌ ବାହାଦୁର୍‌ ଜୀଙ୍କ ୩୫୦ତମ ସହିଦ ଦିବସ ପାଳନ କରିଛୁ। ଆଜି ମଧ୍ୟ ଆମେ ବନ୍ଦେ ମାତରମ୍‌ର ୧୫୦ତମ ବାର୍ଷିକୀ ଅବସରରେ ଗୃହର ସାମୂହିକ ଶକ୍ତିକୁ ଅନୁଭବ କରୁଛୁ। ବନ୍ଦେ ମାତରମ୍‌ର ଏହି ୧୫୦ ବର୍ଷର ଯାତ୍ରା ଅନେକ ମାଇଲଖୁଣ୍ଟ ଦେଇ ଗତି କରିଛି।

ବନ୍ଦେ ମାତରମ୍‌-ଏକ ଗୀତ ନୁହେଁ, ଏହା ଭାରତର ଆତ୍ମା। କାରଣ ଏଇ ଗୀତ ଆମକୁ ମନେ ପକାଇ ଦିଏ ସଂଘର୍ଷ ଭରା ସ୍ଵାଧୀନତା ସଂଗ୍ରାମ ବିଷୟରେ। ‘ବନ୍ଦେ ମାତରମ୍’ କେବଳ ଏକ ସାଧାରଣ ଗୀତ ନୁହେଁ। ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡିତ।  ଜଣେ ସାଧାରଣ ସାହିତ୍ୟିକ ଯେପରି କୌଣସି ସଂକଳନ ରଚନା କରନ୍ତି, ବଙ୍କିମ ଚନ୍ଦ୍ର ସେପରି ଜଣେ ନଥିଲେ।  ସେ ଶବ୍ଦରେ ଜୀବନ ଭରିଥିଲେ, ପ୍ରତ୍ୟେକ ପଦରେ ଅଗ୍ନି ଭରି ଦେଉଥିଲେ। ୭ ନଭେମ୍ବର ୧୮୭୫ ରେ ଯେତେବେଳେ ତାଙ୍କ ଅମର କୃତି “ଆନନ୍ଦ ମଠ” ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳେ ଗୋଟେ ନୂଆ ଯୁଗର ଆରମ୍ଭ ହେଲା। ବଙ୍କିମ୍ ଚନ୍ଦ୍ରଙ୍କ ଆନନ୍ଦ ମଠ ଉପନ୍ୟାସ ଦେଶର ସ୍ୱାଧୀନତା ସଂଗ୍ରାମରେ ଗଭୀର ପ୍ରଭାବ ପକାଇଥିଲା। ଆନନ୍ଦ ମଠ ଉପନ୍ୟାସରେ ବନ୍ଦେ ମାତରମ୍ ଗୀତ ପ୍ରକାଶିତ ହୋଇଥିଲା। କୁହାଯାଏ ୧୮୭୫ ମସିହା ଅକ୍ଷୟ ନବମୀ ନଭେମ୍ବର ୭ ତାରିଖରେ ଏହି ଗୀତ ଲେଖାଯାଇଥିଲା। ସେଥିପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ଏହାର ୧୫୦ ତମ ପୂର୍ତ୍ତି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୮୮୨ରେ ଆନନ୍ଦ ମଠ ପ୍ରକାଶିତ ହୋଇଥିଲା ଏବଂ ୧୮୯୬ରେ ରବୀନ୍ଦ୍ର ନାଥ ଠାକୁର ପ୍ରଥମେ ଏହି ଗୀତକୁ ପାଠ କରିଥିଲେ। ଏହି ସଂଗୀତ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଗଭୀର ରେଖାପାତ କରିଥିଲା। କାରଣ ପ୍ରଥମ ଥର ପାଇଁ ଭାରତ ଭୂ-ଖଣ୍ଡକୁ ଭାରତ ମାତା ରୂପେ ବର୍ଣ୍ଣନା କରି ଏହି ସଂଗୀତ ଲେଖାଯାଇଥିଲା । ମାତୃସ୍ୱରୂପା ମାତୃଭୂମି ଚିନ୍ତାଧାରା ସମସ୍ତଙ୍କ ଉପରେ ଗଭୀର ରେଖାପାତ କରିଥିଲା ଏବଂ ଦେଶବାସୀ ପ୍ରବଳ ଉତ୍ସାହ ଓ ଭାବବିହ୍ୱଳ ହୋଇ ଇଂରେଜ ବିରୋଧୀ ସଂଗ୍ରାମରେ ଯୋଗ ଦେଇଥିଲେ। ଲୋକଙ୍କ ଭିତରେ ଏହା ଏକ ବୈପ୍ଳବିକ ମନୋଭାବ ସୃଷ୍ଟି କରିଥିଲା। ଏହି ସଂଗୀତ ଏତେ ଲୋକପ୍ରିୟ ହୋଇଥିଲା, ବ୍ରିଟିଶ ସରକାର ଭୟଭୀତ ହୋଇ ଏହାକୁ ବ୍ୟାନ କରିଥିଲେ। ସ୍ୱାଧୀନତା ପରଠାରୁ ଯଦିଓ ରାଷ୍ଟ୍ରଗୀତ ଭାବେ ଏହାକୁ ମର୍ଯ୍ୟାଦା ଦିଆଯାଇଛି, କିନ୍ତୁ ଏହାର ଗୁରୁତ୍ବକୁ ଅବକ୍ଷୟ କରିବା ପାଇଁ କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀଙ୍କ  ଦ୍ଵାରା ପ୍ରଚେଷ୍ଟା ଚାଲିଛି, ବିଶେଷ ଭାବେ ସ୍ଵାଧୀନତା ପରବର୍ତ୍ତୀ ଭରତରେ ।

ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ସବୁ ଭାବନାଗୁଡିକୁ ପୁଣିଥରେ ଜାଗ୍ରତ କରିବା ପାଇଁ ବନ୍ଦେ ମାତରମ୍ ପରି ରାଷ୍ଟ୍ରଗୀତକୁ ଉତ୍ସବ ଆକାରରେ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେ କୌଣସି ଭାଷାର ହେଉ, ବା ଯେ କୌଣସି ଧର୍ମ କିମ୍ବା ଯେ କୌଣସି ଅଞ୍ଚଳର ହେଉ- ସମସ୍ତଙ୍କ ଭିତରେ ଯଦି ଦେଶପ୍ରେମ ଭାବ ନରହିବ, ତେବେ ଦେଶର ସାମଗ୍ରିକ ଉନ୍ନତି ଅସମ୍ଭବ । ଦେଶପ୍ରେମକୁ କୃତ୍ରିମ ଭାବେ କାହା ମନରେ ଜୋର୍ ଜବରଦସ୍ତି ଲଦି ଦିଆ ଯାଇ ପାରେନା, ଏହା ହେଉଛି ମନଭିତରର କଥା, ହୃଦୟର କଥା। ବନ୍ଦେ ମାତରମ୍‌ ପରି କାଳଜୟୀ ଗୀତ ଆମ ହୃଦୟରେ ଦେଶ ପ୍ରେମର ଗଭୀର ଅନୁଭବ ସୃଷ୍ଟି କରେ। ବ୍ରିଟିଶ ଶାସନର ଶିକୁଳିରେ ବନ୍ଧା ଜନମାନସର ହୃଦୟରେ ଏହି ଗୀତ ଦେଶପ୍ରେମର ଜ୍ୱାଳା ଭରି ଦେଇଥିଲା। ଜୀର୍ଣ୍ଣ ମନୋବଳରେ ନୂତନ ଶକ୍ତି ଫୁଟି ଆସିଲା ଏବଂ ଆରମ୍ଭ ହେଲା ଭାରତର ସ୍ୱାଧୀନତା ସଂଗ୍ରାମର ନୂଆ ଦିଗ।ସମସ୍ତେ ଜାଣିଛନ୍ତି ଯେ, କୌଣସି ସଂଘର୍ଷକୁ ସଫଳ କରିବା ପାଇଁ, ଆନ୍ଦୋଳନକାରୀଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ଯୁଗେ ଯୁଗେ ବିଭିନ୍ନ ଗୀତ ସଙ୍ଗୀତ, ଲୋକ ନାଟ୍ୟର ସାହାଯ୍ୟ ନିଆଯାଇଥାଏ। ଆମର ସ୍ଵାଧୀନତା ସଂଗ୍ରାମ ସମୟରେ ବି କିଛି ବ୍ୟତିକ୍ରମ ନ ଥିଲା। ଶହୀଦ ଭଗତ ସିଂ, ଆସ୍‌ଫାକ୍‌ଉଲ୍ଲା ଖାନ, ରାଜଗୁରୁ ଓ ସୁଖଦେବ ‘ମେରେ ରଙ୍ଗ ଦେ ବସନ୍ତୀ ଚୋଲା’ ଗାଇ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ, ମା’ ଭାରତୀ ପାଇଁ। ସେ ସମୟରେ ଭାରତର ଗଳି କନ୍ଦିରେ ଲୋକେ ଗାଉଥିଲେ, ‘ସାରେ ଜାହାଁ ସେ ଆଚ୍ଛା, ହିନ୍ଦୁସିତାଁ ହମାରା’, ଶ୍ୟାମଲାଲ୍ ଗୁପ୍ତାଙ୍କ ରଚିତ ‘ବିଜୟୀ ବିଶ୍ଵ ତିରଙ୍ଗା ପ୍ୟାରା, ଝଣ୍ଡା ଉଞ୍ଚା ରହେ ହମାରା’, ରବୀନ୍ଦ୍ର ନାଥ ଟେଗୋରଙ୍କ ଦ୍ଵାରା ରଚିତ ‘ଏକଲା ଚଲୋ ରେ’ ପରି ଦେଶାତ୍ମବୋଧକ ସଙ୍ଗୀତ। ଏତଦ୍‌ବ୍ୟତୀତ ବିଭିନ୍ନ ଭାରତୀୟ ଭାଷାରେ ବି ଦେଶାତ୍ମବୋଧକ ସଙ୍ଗୀତ ଗାଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଘର୍ଷ କରୁଥିଲେ। କିନ୍ତୁ, ବଙ୍କିମ ଚନ୍ଦ୍ରଙ୍କର ରଚିତ ‘ବନ୍ଦେ ମାତରମ୍‌’ର ଆକର୍ଷଣ ଥିଲା ଅନନ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଆନ୍ଦୋଳନକାରୀଙ୍କ ଥିଲା ଏହା Anthem । ସଂଗ୍ରାମୀମାନେ ହସି ହସି ‘ବନ୍ଦେ ମାତରମ୍‌’ ଗାଇ ପୋଲିସ ଗୁଳିରେ ଶହୀଦ ହେଉଥିଲେ, ନ ହେଲେ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡୁଥିଲେ।  କାରଣ ‘ବନ୍ଦେ ମାତରମ୍‌’ କେବଳ ଏକ ଜାତୀୟତାବାଦ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା। ଭାରତୀୟ ସଂସ୍କୃତିରେ ଦେଶ କିମ୍ବା ରାଷ୍ଟ୍ରକୁ ମା’ ସହିତ ତୁଳନା କରାଯାଏ। ତେଣୁ, ‘ବନ୍ଦେ ମାତରମ୍‌’ ହେଉଛି ସେହି ଭରତ ମାତାଙ୍କ ଚରଣ ବନ୍ଦନା ପାଇଁ, ଯାହାର କୋଳରେ ଏ ଦେଶର କୋଟି କୋଟି ଜନତା ଲାଳିତ ପାଳିତ ହେଉଛନ୍ତି। ସଙ୍ଗୀତରେ ସୀମାନ୍ତ, ଭାଷା, ଜାତି ଓ ଧର୍ମ କୌଣସି ବାଧାବିଘ୍ନ ନ ଥାଏ । ଯେତେବେଳେ ସ୍ୱାଧିନତା ସଂଗ୍ରାମୀମାନେ ରାଜରାସ୍ତାରେ ବନ୍ଦେ ମାତରଂ, ଇନ୍‌କିଲାବ୍ ଜିନ୍ଦାବାଦ୍‌ ଭଳି ନାରା ଦେଇ ଜାତୀୟତାବାଦ ଗୀତର ତାଳେ ତାଳେ ବ୍ରିଟିଶ୍‌ ଶାସନକୁ ବିରୋଧ କରୁଥିଲେ, ସେହି ସମୟରେ ବ୍ରିଟିଶ ସରକାରର ଦୃଢ ପ୍ରାଚୀରମାନ କମ୍ପି ଉଠୁଥିଲା।

ସେ ସମୟରେ ଲେଖକଙ୍କ କଲମ ଏବଂ କଳାକାରଙ୍କ ସଙ୍ଗୀତ ସାରା ଦେଶବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁଥିଲା। ବନ୍ଦେ ମାତରମ୍ ର ଲେଖା ମଧ୍ୟ ସେହିଭଳି ଶାଣିତ ଥିଲା। ବନ୍ଦେ ମାତରମ୍‌ର ଏକ ପଦରେ :- “ସୁଜଲାଂ ସୁଫଲାଂ ମଲୟଜ-ଶୀତଲାମ୍ ଶସ୍ୟ-ଶ୍ୟାମଲାମ୍ ମାତରମ୍”। ଏହି ପଦରେ ମାଆ ମାଟିର ସୁନ୍ଦରତା ଗାନ କରାଯାଇଥିବା ବେଳେ “ବହୁବଲ-ଧାରିଣୀଂ ନମାମି ତାରିଣୀଂ, ରିପୁଦଲ-ବାରିଣୀଂ ମାତରମ୍” ପଦରେ ମାଆଙ୍କୁ ଶକ୍ତି ବୋଲି ବର୍ଣ୍ଣନା କରାଯାଇଛି। ଏ ରଚନା ମନକୁ ଶାନ୍ତି ଦେବା ସହ ମନରେ ଶକ୍ତି ମଧ୍ୟ ଭରି ଦିଏ।ଆଜି, ୧୫୦ ବର୍ଷ ପରେ, ଯେତେବେଳେ ଆମେ ସ୍ୱାଧୀନ ଭାରତରେ ଦଣ୍ଡାୟମାନ, ଯେତେବେଳେ ପୃଥିବୀ ଆମକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଦେଖୁଛି, ଏହି ଗୀତ ଆମକୁ ସେଇ ସ୍ମୃତି ସ୍ମରଣ କରାଇ ଦେଉଛି ଯେ, ସ୍ୱାଧୀନତା ପାଇବା ଠାରୁ  ଆରମ୍ଭ କରି ସ୍ବାଧୀନତାର ପରବର୍ତ୍ତୀ ସମୟ ଆମ ପାଇଁ କେତେ ମୂଲ୍ୟବାନ ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଅଭିନବ ପ୍ରୟାସରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, “ବନ୍ଦେ ମାତରମ୍‌”ର ୧୫୦ତମ ବର୍ଷ ପୂର୍ତ୍ତି ୨୦୨୬ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ଧରି ଦେଶବ୍ୟାପୀ ପାଳନ କରାଯିବ।

ପ୍ରଧାନମନ୍ତ୍ରୀ ତାଙ୍କର ୧୨୭ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ମଧ୍ୟ ଏହା ଉଲ୍ଲେଖ କରିଥିଲେ। ସାରା ଦେଶରେ ରାଷ୍ଟ୍ରଭକ୍ତି ଭାବନା ଓ ଦେଶର ଏକତା ଏବଂ ଅଖଣ୍ଡତାକୁ ମଜବୁତ୍ କରିବା ପାଇଁ ଏହାକୁ ଉତ୍ସାହର ସହ ପାଳନ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।  ଆମ ରାଜ୍ୟ ସରକାର, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସେହି ପଦକ୍ଷେପକୁ ହୃଦୟପୂର୍ବକ ସ୍ୱାଗତ କରିଛି ଏବଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଦ୍ୟାଳୟ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ସଂସ୍କୃତିକ କେନ୍ଦ୍ରରେ ବନ୍ଦେ ମାତରମ୍ ଉତ୍ସବ କରାଯିବ।ଭାରତ ଏବଂ ଭାରତୀୟତା ହେଉଛି ଆମ ଅସ୍ତିତ୍ୱର ମୂଳପିଣ୍ଡ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ହେଉଛୁ ଭାରତୀୟ । ମହାଭାରତୀୟତାର ମନ୍ତ୍ର ୧୪୦ କୋଟି ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଆମ ଦେଶ କେବଳ ଭୌଗଳିକ ସୀମା ଦ୍ୱାରା ଆବଦ୍ଧ ହୋଇ ନାହିଁ, ଏହାର ମହାନ ସଂସ୍କୃତି ଏହାକୁ ଏକତା ସୂତ୍ରରେ ବାନ୍ଧି ରଖିଛି।

ଏ ଦେଶ, ଏ ସଂସ୍କୃତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଆମ ଦେଶ ବିବିଧତାରେ ଭରା, କିନ୍ତୁ ବିବିଧତା ଭିତରେ ଏକତା ହେଉଛି ଆମର ଶକ୍ତି ।ଯେତେବେଳେ ବନ୍ଦେ ମାତରମ୍‌ ଏହାର ୫୦ ତମ ବାର୍ଷିକୀ ପାଳନ କଲା, ଦେଶକୁ ଦାସତ୍ୱରେ ରହିବାକୁ ବାଧ୍ୟ କରାଯାଇଥିଲା, ଏବଂ ଯେତେବେଳେ ବନ୍ଦେ ମାତରମ୍‌ ଏହାର ୧୦୦ତମ ବାର୍ଷିକୀ ପାଳନ କଲା, ଦେଶ ଜରୁରୀକାଳୀନ ପରିସ୍ଥିତିର ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଯେତେବେଳେ ବନ୍ଦେ ମାତରମ୍‌ ଏହାର ୧୦୦ତମ ବାର୍ଷିକୀ ପାଳନ କଲା, ସେତେବେଳେ ଭାରତର ସମ୍ବିଧାନକୁ ଗଳାକାଟି ହତ୍ୟା କରାଯାଇଥିଲା। ଯେତେବେଳେ ବନ୍ଦେ ମାତରମ୍‌ ଏହାର ୧୦୦ତମ ବାର୍ଷିକୀ ପାଳନ କଲା, ଦେଶପ୍ରେମ ପାଇଁ ବଞ୍ଚିଥିବା ଏବଂ ବଳିଦାନ ଦେଇଥିବା ଲୋକମାନଙ୍କୁ ଜରୁରୀ କାଳୀନ ପରିସ୍ଥିତିର କଳା ଆଇନ ବଳରେ କାରାଗାରରେ ବନ୍ଦୀ କରାଯାଇଥିଲା। ଏକଥା ଗତକାଲି ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହିତ ସଂସଦରେ ପ୍ରକାଶ କରି ନିଜ ମନର ବେଦନା ଜଣାଇଥିଲେ ।  ଏ ବେଦନା ଆମକୁ ସତର୍କ କରିଦିଏ, ଯେପରି ଏଭଳି ପରିସ୍ଥିତି ସ୍ୱାଧିନ ଭାରତରେ ଆଉ କେବେ ବି ନ ଆସୁ । ଗତକାଲି ସଂସଦରେ ମାନନୀୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ବନ୍ଦେ ମାତରମ୍ ର ୧୫୦ ବର୍ଷ ଉପରେ ସ୍ୱତନ୍ତ୍ର ଆଲୋଚନା ସମୟରେ କହିଛନ୍ତି ଯେ, ବନ୍ଦେ ମାତରମ୍ ର ୧୫୦ ବର୍ଷ ହେଉଛି ସେହି ମହାନ ଅଧ୍ୟାୟ ଏବଂ  ସେହି ଗୌରବକୁ ପୁନଃସ୍ଥାପିତ କରିବାର ଏକ ସୁଯୋଗ । ମୁଁ ମଧ୍ୟ ବିଶ୍ୱାସ କରେ ଯେ ଏହି ପବିତ୍ର ଗୃହ ଏବଂ ଦେଶ ଉଭୟ ଏହି ସୁଯୋଗକୁ ବିଲକୁଲ ହାତଛଡ଼ା କରିବା ଉଚିତ୍ ନୁହେଁ। ଏହି ବନ୍ଦେ ମାତରମ୍ ହିଁ ୧୯୪୭ରେ ଦେଶକୁ ସ୍ୱାଧୀନତା ଦେଇଥିଲା। ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ଏହି ବନ୍ଦେ ମାତରମ୍ ଗାନରେ ନିହିତ ଥିଲା।

ମୁଁ ଆଜି ଆପଣଙ୍କ ସମ୍ମୁଖରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ଉପରେ ଆଲୋଚନା  କରିବା ପାଇଁ ଦଣ୍ଡାୟମାନ ହୋଇଛି। ଏଠାରେ କୌଣସି ଶାସକ ଦଳ କିମ୍ବା ବିରୋଧୀ ଦଳ ନାହାନ୍ତି, କାରଣ ଏଠାରେ ବସିଥିବା ଆମ ସମସ୍ତଙ୍କ ପାଇଁ,  ବନ୍ଦେ ମାତରମ୍ ର ଋଣକୁ ସ୍ୱୀକାର କରିବାର ପ୍ରକୃତରେ ଏକ ସୁଯୋଗ। ବନ୍ଦେ ମାତରଂ ର ପ୍ରତ୍ୟେକ ପଦରେ  ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ଉଚ୍ଛୁଳି ଉଠୁଥିଲା। ସେଥିପାଇଁ ଆମେ ସମସ୍ତେ ଆଜି ଆମେ ଏଠାରେ ଅଛୁ। ତେଣୁ, ଆମେ ସମସ୍ତ ବିଧାୟକ, ବିଧାୟିକା, ସାଂସଦଙ୍କ ପାଇଁ, ଆମ ସମସ୍ତ ଜନପ୍ରତିନିଧିଙ୍କ ପାଇଁ, ବନ୍ଦେ ମାତରମ୍ ର ଋଣକୁ ସ୍ୱୀକାର କରିବାର ଏକ ପବିତ୍ର ପର୍ବ। ସମଗ୍ର ଦେଶ, ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ, ଏକ ସ୍ୱରରେ ବନ୍ଦେ ମାତରମ୍ ଗାନ କରି ଆଗକୁ ବଢ଼ିଥିଲା। ପୁଣିଥରେ, ଏହା ଏକ ସୁଯୋଗ, ଦେଶକୁ ଏକା ସାଥିରେ ଆଗେଇ ନେବା ପାଇଁ। ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ । “ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି” ଆମର ପ୍ରେରଣା, ଆମର ଶକ୍ତି। ଆମେ 2047 ରେ ଏକ ବିକଶିତ ଭାରତ ହାସଲ କରିବୁ। ଏହି “ବନ୍ଦେ ମାତରମ୍” ଆମ ପାଇଁ ଏହି ସଂକଳ୍ପକୁ ପୁନରାବୃତ୍ତି କରିବାର ଏକ ମହାନ ସୁଯୋଗ।

ବନ୍ଦେ ମାତରମ୍ ହେଉଛି ରାଷ୍ଟ୍ରର ପ୍ରକୃତ ଶକ୍ତି। ଏହା ଏକ ଚେତନା ଏବଂ ଆମ ଭାରତୀୟ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ପ୍ରତିଫଳନ। ଏହି ସମୟ, ବନ୍ଦେ ମାତରମ୍ କୁ କେବଳ ମନେ ରଖିବାର ସମୟ ନୁହେଁ, ବରଂ ଏହି ସଂଗୀତରୁ ନୂତନ ଶକ୍ତି ଏବଂ ପ୍ରେରଣା ନେଇ ଆଗେଇ ଚାଲିବା ଉଚିତ।ଗତକାଲି ସଂସଦରେ ମଧ୍ୟ ମାନନୀୟ ମୋଦିଜୀ କହିଥିଲେ, ଯେ ଆମେ ସମସ୍ତେ ବନ୍ଦେ ମାତରମ୍  ଆଗରେ ଋଣୀ। ଏହା ବନ୍ଦେ ମାତରମ୍ ହିଁ ଆମେ ଏଠାରେ ପହଞ୍ଚିବା ପାଇଁ ପଥ ପ୍ରସ୍ତୁତ କରିଛି, ଏବଂ ତେଣୁ, ଆମେ ଏହାର ଋଣୀ।  ଏହା ବନ୍ଦେ ମାତରମ୍ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମାର ଶକ୍ତି। ବନ୍ଦେ ମାତରମ୍ କେବଳ ଏକ ଗୀତ କିମ୍ବା ଭାବନା ନୁହେଁ; ଏହା ଆମ ପାଇଁ ଏକ ପ୍ରେରଣା। ଆମେ ଏକ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ବହନ କରୁଛୁ, ଏବଂ ଆମକୁ ଏହାକୁ ପୂରଣ କରିବାକୁ ପଡିବ।  ବନ୍ଦେ ମାତରମର ଧ୍ୱନି ଶୁଣିଲେ ରୋମ ଟାଙ୍କୁରି ଉଠେ। ଦେଶପ୍ରେମର ବହ୍ନି ଶିରା ପ୍ରଶିରାରେ ଖେଳିଯାଏ। କିନ୍ତୁ, ଦୁର୍ଭାଗ୍ୟବଶତଃ ‘ବନ୍ଦେ ମାତରମ’ ପରି ପ୍ରେରଣାଦାୟୀ ଜାତୀୟ ଗୀତକୁ ଯେଉଁପରି ଭାବେ ଟୁକଡେ ଟୁକଡେ କରାଗଲା, ଏବଂ କାହାକୁ ଖୁସି କରିବା ପାଇଁ କେବଳ ଦୁଇଗୋଟି ପଦକୁ ଜାତୀୟ ଗୀତ ଭାବେ ଆଦୃତ କରାଗଲା, ତାହା ଦେଶବାସୀଙ୍କ ପାଖରେ ଅଛପା ନାହିଁ। ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରୁନାହିଁ, ଯେ ମା’ ଙ୍କ ଚରଣ ବନ୍ଦନା କରିବା, ମାଁ ଙ୍କ ଯଶଗାନ କରିବାରେ ଏତେ କୁଣ୍ଠା କାହିଁକି?

ଅନେକ ବିଚାରକଙ୍କ ମତରେ ମା’ ର ସ୍ଥାନ ହେଉଛି ଏପରିକି ଭଗବାନଙ୍କ ଉପରେ। ତେଣୁ, ମା’ଙ୍କ ଚରଣରେ କେବଳ ମଥା ଝୁଙ୍କିବ ନାହିଁ, ଆବଶ୍ୟକ ହେଲେ ଶିର କଟାଇବା ପାଇଁ କାହାର ତିଳେ ବି କୁଣ୍ଠା ରହିବା ଉଚିତ ନୁହେଁ। ଆଜି ଯେଉଁମାନେ ଏହା ବିରୋଧରେ ଯୁକ୍ତି ଉପସ୍ଥାପନ କରୁଛନ୍ତି ସେମାନେ କ’ଣ ମୌଲାନା ଆବୁଲ କଲାମ ଆଜଦଙ୍କ ଠାରୁ ଅଧିକ ପଣ୍ଡିତ, ସେମାନେ କ’ଣ ଆସ୍ଫାଉଲ୍ଲା ଖାନଙ୍କ ଠାରୁ ଅଧିକ ଦେଶଭକ୍ତ, ସେମାନେ କ’ଣ ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଆବୁଲ କାଲାମ ଆଜାଦଙ୍କ ଠାରୁ ଅଧିକ ଜ୍ଞାନୀ। କିନ୍ତୁ, ଏହି ସମସ୍ତ ବରପୁତ୍ରମାନେ ଭକ୍ତି ଏବଂ ଶ୍ରଦ୍ଧା ସହକାରେ ‘ବନ୍ଦେ ମାତରମ୍’ ଗାନ କରୁଥିଲେ। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ‘ବନ୍ଦେ ମାତରମ’କୁ ଏକ ଧର୍ମୀୟ ରଙ୍ଗ ଦେବାକୁ ଗତ ପ୍ରାୟ ୯୦ ବର୍ଷ ହେବ ଏକ କୁତ୍ସିତ ମାନସିକତା କାର୍ଯ୍ୟ କରୁଛି ଯାହା ‘ବନ୍ଦେ ମାତରମ’ର ମହତ୍ତ୍ଵକୁ କମ୍ କରିବା ପାଇଁ ଷଡଯନ୍ତ୍ର। କିନ୍ତୁ, ସେମାନେ ମନେରଖିବା ଉଚିତ ଯେ, ‘ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ’। ‘ବନ୍ଦେ ମାତରମ୍’ ଏବଂ ‘ଭାରତ ମାତା’ ଜାତି, ଧର୍ମ, ବର୍ଣ୍ଣ ଠାରୁ ବହୁ ଉର୍ଦ୍ଧ୍ଵରେ।  ଏହା ହେଉଛି ଭାରତୀୟତା ର ପରିଚାୟକ। ଏ ବିଶ୍ବରେ ଏମିତି କୌଣସି ଧର୍ମ ନାହିଁ ଯେଉଁ ଧର୍ମ ମା’ ଙ୍କୁ ଅସମ୍ମାନ କରିବା ପାଇଁ ଶିକ୍ଷା ଦେଇଥାଏ। ତେଣୁ, ମୁଁ ଏହି ଗୃହ ମାଧ୍ୟମରେ ସମସ୍ତଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଖୋଲା ମନରେ ଖୋଲା ହୃଦୟରେ ଜାତୀୟ ଗାନକୁ ଗାନ କରନ୍ତୁ। ଯେଉଁ ଗୀତକୁ ଗାଇ ସ୍ଵାଧୀନତା ସଂଗ୍ରାମୀମାନେ ନିଜକୁ ବଳିଦାନ ଦେଇଥିଲେ ଆଜି ସମୟ ଆସିଛି ପୁନର୍ବାର ଏହି ଗୀତକୁ ମୁକ୍ତ କଣ୍ଠରେ ଜୟଗାନ କରି ନୂଆ ଭାରତ ନିର୍ମାଣ କରିବାର ବେଳ। ବନ୍ଦେ ମାତରମ ଦେଶକୁ  ଏକତାର ସୂତ୍ରରେ ବାନ୍ଧି ରଖିବାର ମନ୍ତ୍ର ହେଉ, ବିଭାଜନର ନୁହେଁ। ଏହି ଆଶା ଓ ବିଶ୍ଵାସ ସହିତ ଆପଣମାନେ ମୋତେ ଏହି ପବିତ୍ର ଗୃହରେ କହିବାର ସୁଯୋଗ ଦେଇଛନ୍ତି, ଏଥିପାଇଁ ମୁଁ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking