ଟସକାନି: ଜଣେ ବ୍ୟକ୍ତି ସେଲ୍ଫି ନେବା ସମୟରେ ଏକ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ସଂରକ୍ଷିତ ରହିଥିବା ଏକ ୩୦୦ ବର୍ଷ ପୁରୁଣା ତଥା ବହୁମୂଲ୍ୟ ଆଣ୍ଟିକ୍ ମାଷ୍ଟରପିସ୍ ଚିତ୍ରକଳାକୁ ଅସାବଧାନତା ଯୋଗୁ କ୍ଷତି ପହଞ୍ଚାଇଥିବା ଜଣାପଡିଛି । ଇଟାଲୀୟ ସଂଗ୍ରହାଳୟ ଫ୍ଲୋରେନ୍ସର ପ୍ରଖ୍ୟାତ ଉଫିଜି ଗ୍ୟାଲେରୀରେ ଏହି ଅଘଟଣ ଘଟିଥିବା ବେଳେ ଏହା ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ନେଇ ଚିନ୍ତା ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ ବ୍ୟକ୍ତିଜଣକ ଏହି ଚିତ୍ରକଳାର ସମୀପକୁ ଯାଇ ନିଜ ମୋବାଇଲ୍ ସହାୟତାରେ ଫଟୋ ନେବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଚିତ୍ରକଳା ସହ ତାଙ୍କ ଶରୀର ସାମାନ୍ୟ ବାଜିଯାଇଥିଲା ଏବଂ ଏହା ଖସିପଡ଼ି ନଷ୍ଟ ହୋଇଯାଇଥିଲା ।
୧୭୧୨ ମସିହାରେ ଆଣ୍ଟୋନ୍ ଡୋମେନିକୋ ଗାବିଆନିଙ୍କ ଦ୍ୱାରା ନିର୍ମିତ ଟୁସ୍କାନ୍ ରାଜକୁମାର ଫର୍ଡିନାଣ୍ଡୋ ଡି ମେଡିସିଙ୍କ ଚିତ୍ରକଳା କଳାକୃତିରେ ବ୍ୟକ୍ତିଜଣକ ଝୁଣ୍ଟି ପଡିଥିଲେ । ସେଲ୍ଫି ନେବାକୁ ଚେଷ୍ଟା କରୁଥିବା ସମୟରେ ଏପରି ହୋଇଥିଲା, ଯାହାଫଳରେ କାନଭାସ୍ଟି ଚିରିଯାଇଥିଲା । ସିସିଟିଭି ଫୁଟେଜ୍ରୁ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି ଯେ କ୍ଷତି ଶୀଘ୍ର ମରାମତି କରାଯାଇପାରିବ, କିନ୍ତୁ ନିର୍ଦ୍ଦେଶକ ସିମୋନ ଭର୍ଦେ ସତର୍କ କରାଇ ଦେଇଛନ୍ତି ଯେ ଭବିଷ୍ୟତରେ ପରିଦର୍ଶକଙ୍କ ଆଚରଣ ଉପରେ କଟକଣା ଲଗାଯାଇପାରେ । “ସାମାଜିକ ଗଣମାଧ୍ୟମ ପାଇଁ ମିମ୍ ତିଆରି କରିବାକୁ କିମ୍ବା ସେଲ୍ଫି ନେବାକୁ ସଂଗ୍ରହାଳୟକୁ ଆସୁଥିବା ପରିଦର୍ଶକଙ୍କ ସମସ୍ୟା ଏକ ବିରାଟ ସମସ୍ୟ ସୃଷ୍ଟି ହେବ’ ବୋଲି ସେ କହିଛନ୍ତି । ଉଫିଜି ଗ୍ୟାଲେରୀ ଏବେ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଏବଂ ସୁରକ୍ଷା ଦେବାର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେଇ ଭବିଷ୍ୟତରେ ଏପରି ଘଟଣାଗୁଡ଼ିକୁ ରୋକିବା ପାଇଁ ନୂତନ ପଦକ୍ଷେପ ବିଚାର କରୁଛି ।
ଅଷ୍ଟାଦଶ ଶତାବ୍ଦୀର କଳା ନାମକ ଏକ ପ୍ରଦର୍ଶନୀର ଅଂଶ ଭାବରେ ଉଫିଜିରେ ଚିତ୍ରଟି ପ୍ରଦର୍ଶିତ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କୁ ପୁଲିସ୍ ଚିହ୍ନଟ କରିଛି ଏବଂ ନ୍ୟାୟିକ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଛି । ଏହା ପୂର୍ବରୁ ମଧ୍ୟ ଜଣେ ପର୍ଯ୍ୟଟକ ଭାନ୍ ଗଗ୍ ଚେୟାରରେ ବସିଥିଲେ, ଯାହା ତାଙ୍କ ଭାରି ଓଜନ ଯୋଗୁ ଭାଙ୍ଗି ହୋଇଯାଇଥିଲା । ଏସବୁ ଘଟଣା ଗ୍ୟାଲେରୀକୁ ଏହାର ଅମୂଲ୍ୟ କଳା ସଂଗ୍ରହକୁ ସୁରକ୍ଷା ଦେବା ପାଇଁ ପ୍ରତିବନ୍ଧକ ଲାଗୁ କରିବାକୁ ବିଚାର କରିବାକୁ ପ୍ରେରଣା ଦେଇଛି ।










