27.1 C
Bhubaneswar
Saturday, December 13, 2025
Homeଓଡିଶାଚିରନିଦ୍ରାରେ ଦଣ୍ଡାବାଳୁଙ୍ଗା

ଚିରନିଦ୍ରାରେ ଦଣ୍ଡାବାଳୁଙ୍ଗା

ଭୁବନେଶ୍ବର: ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ପ‌ରଲୋକ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍‌ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ‌ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଶେଷରେ ଚିରବିଦାୟ ନେଇଗଲେ ଉତ୍ତମ। ତାଙ୍କର ପରଲୋକରେ ଓଲିଉଡ୍‌ରେ ଏକ ଯୁଗର ଅବସାନ ଘଟିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

୨୩ ଡିସେମ୍ବର ୧୯୫୮ରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ। ପ୍ରଥମରୁ ଅଭିନେତା ହେବାର ଲକ୍ଷ୍ୟ ନଥିଲେ ମଧ୍ୟ ୧୯୭୭ ମସିହାରେ ସେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ। ତା’ପରେ ଆଉ ସେ ପଛକୁ ଫେରି ଚାହିନାହାନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସିନେମା ଭେଟି ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜସ୍ବ ଛାପ ଛାଡ଼ି ଯାଇଛନ୍ତି। ଏମିତି କେଉଁ ଓଡ଼ିଆ ନଥିବେ, ଯିଏ ଉତ୍ତମ ମହାନ୍ତିଙ୍କ ଅଭିନୀତ ସିନେମା ପ୍ରେମରେ ପଡ଼ି ନଥିବେ। ତାଙ୍କର ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ସବୁଥିରେ ନିଆରାପଣ ବାରି ହୋଇପଡ଼ୁଥିଲା। ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ। ଓଲିଉଡ୍‌ରେ ସୁପରଷ୍ଟାର୍ ବୋଲି ଯଦି କାହାରିକୁ ପ୍ରଥମ ଥର ଆଖ୍ୟା ଦିଆଯାଇଥିଲା, ତେବେ ସେ ନିଃସନ୍ଦେହରେ ଥିଲେ ଉତ୍ତମ। ୧୩୫ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଏହା ସହ ଅନେକ ସୁପରହିଟ୍‌ ବଙ୍ଗଳା ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ସ୍ବାକ୍ଷର ଛାଡ଼ିଛନ୍ତି। ବ୍ୟକ୍ତିଗତ ଜୀବନରେ ଉତ୍ତମ ଅତ୍ୟନ୍ତ ଭଦ୍ର, ଅମାୟିକ ଥିଲେ।

ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଜଗତରେ ଛାଇ ଯାଇଥିଲେ ଉତ୍ତମ ମହାନ୍ତି। ତାଙ୍କ ଅବଦାନକୁ ସ୍ବୀକୃତି ଜଣାଇ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି। ସେ ଜୟଦେବ ପୁରସ୍କାର ସମେତ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ଦଣ୍ଡାବାଳୁଙ୍ଗା’ ‘ଝିଅଟି ସୀତା ପରି’ ଓ ‘ଫୁଲଚନ୍ଦନ’ ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ‘ତୋ ବିନୁ ଅନ୍ୟ ଗତି ନାହିଁ’ ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ। ଉତ୍ତମଙ୍କ ପୂରା ପରିବାର ଚଳଚ୍ଚିତ୍ର ଜଗତ ପ୍ରତି ସମର୍ପିତ। ତାଙ୍କ ପତ୍ନୀ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ପୁତ୍ର ଅଭିନେତା ବାବୁସାନ ମହାନ୍ତି ଅଭିନୟ ଜଗତରେ ବେଶ୍‌ ସଫଳତା ପାଇଛନ୍ତି। ଉତ୍ତମ-ଅପରାଜିତା ଯୋଡ଼ି ଓଲିଉଡ୍‌ର ସର୍ବକାଳୀନ ହିଟ୍‌ଯୋଡ଼ି ଭାବେ ବିବେଚିତ। ଏହି ଯୋଡ଼ି ଅଭିନୀତ ଅନେକ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଛି। ଏବେ ବାବୁସାନ ଓଲିଉଡ୍‌ର ଆଗଧାଡ଼ିର ତାରକା। ଗତ କିଛି ବର୍ଷ ହେଲା ସ୍ବାସ୍ଥ୍ୟଗତ କାରଣରୁ ଉତ୍ତମ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking