ୱାଶିଂଟନ୍ : ଆମେରିକା ଭେନେଜୁଏଲାରୁ ତେଲ କିଣିବା ପାଇଁ ଭାରତକୁ ଅନୁମତି ଦେଇପାରେ। ମିଡିଆ ରିପୋର୍ଟ ଅନୁସାରେ ଟ୍ରମ୍ପ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ଏ ସବୁ ଆମେରିକାର ଦେଖରେଖ ଏବଂ ସର୍ତ୍ତ ସହିତ ହେବ। ତେବେ ଏହି ଜଡ଼ିତ ସର୍ତ୍ତ ସମ୍ପର୍କରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ। ଏହାର ଅର୍ଥ ଆମେରିକାର ପ୍ରତିବନ୍ଧ କାରଣରୁ ଯେଉଁ ବ୍ୟାପାର ଅଟକି ରହିଥିଲା, ତାହା ଏବେ ପୁଣିଥରେ ଆରମ୍ଭ ହୋଇପାରେ। ସେହିପରି ରୟଟର୍ସ ରିପୋର୍ଟ ଅନୁସାରେ ଭାରତର ଅନ୍ୟତମ ବଡ଼ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭେନେଜୁଏଲା ତେଲ କିଣିବା ପାଇଁ ଆମେରିକା ତାକୁ ଅନୁମତି ଦେଉ ବୋଲି ମଧ୍ୟ ଚାହୁଁଛି। ଏଥିପାଇଁ କମ୍ପାନୀ ଉଦ୍ୟମ ମଧ୍ୟ ଆରମ୍ଭ କରିଦେଇଛି।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ହ୍ୱାଇଟ୍ ହାଉସ୍ରେ ବିଶ୍ୱର ବଡ଼ ତେଲ କମ୍ପାନୀଗୁଡ଼ିକର ଶୀର୍ଷ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଭେନେଜୁଏଲା ତେଲ କ୍ଷେତ୍ରରେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ନିବେଶ କଥା କହିଛନ୍ତି।ଭେନେଜୁଏଲା ପେଟ୍ରୋଲିୟମ୍ ଏକ୍ସପୋର୍ଟିଂ କଣ୍ଟ୍ରିଜ୍ (ଓପେକ୍)ର ସଦସ୍ୟ ଅଛି। ଦେଶରେ ବିଶ୍ୱର ସବୁଠୁ ବଡ଼ ତେଲ ଭଣ୍ଡାର ରହିଛି। କିନ୍ତୁ ବୈଶ୍ୱିକ ସପ୍ଲାଇର କେବଳ ମାତ୍ର ୧ ପ୍ରତିଶତ ଦେଇଥାଏ। ଆମେରିକାର ୨୦୧୯ରେ ଭେନେଜୁଏଲା ଉପରେ କଡ଼ା ଆର୍ଥିକ ପ୍ରତିବନ୍ଧ (ସାଙ୍କସନ୍) ଲଗାଇଥିଲା। ଏପରିକି ଆମେରିକା ସେକେଣ୍ଡରୀ ସାଙ୍କ୍ସନ୍ ମଧ୍ୟ ଲଗାଇଥିଲା। ଅର୍ଥାତ ଯେଉଁ ଦେଶ କିମ୍ବା କମ୍ପାନୀ ଭେନେଜୁଏଲାରୁ ତେଲ କିଣିବେ, ସେମାନଙ୍କୁ ଆମେରିକା ବଜାରେ ବ୍ୟାପାର କିମ୍ବା ବ୍ୟାଙ୍କିଙ୍ଗ୍ ସୁବିଧାରୁ ହାତ ଧୋଇବାକୁ ପଡ଼ିବ। ଏହି କାରଣରୁ ଭାରତ ସମେତ ବହୁ ଦେଶ ଭେନେଜୁଏଲାରୁ ତେଲ କିଣିବା ବନ୍ଦ କରିଦେଇଥିଲେ। ମିଡିଆ ରିପୋର୍ଟ ଅନୁସାରେ ଭାରତ ସେତେବେଳେ ନିଜର ମୋଟ ତେଲ ଆମଦାନିର ପ୍ରାୟ ୬ ପ୍ରତିଶତ ଭେନେଜୁଏଲାରୁ ନେଉଥିଲା।ଯଦି ଭାରତକୁ ପୁଣିଥରେ ଭେନେଜୁଏଲାର ତେଲ କିଣିବାର ଅନୁମତି ମିଳିଯାଏ, ତେବେ ତାକୁ ଅଲଗା ଅଲଗା ଦେଶରୁ ତେଲ ମଗାଇବାର ଆଉ ଏକ ବିକଳ୍ପ ମିଳିଯିବ। ଏହା ଦ୍ୱାରା ଭାରତର ବର୍ଦ୍ଧିତ ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟତା ମିଳିବ।









