ତେହରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି ଯାହାକି ସମୟକ୍ରମେ ବୃଦ୍ଧି ପାଇବାରେ ଲାଗିଛି । ଇରାନ୍ ପକ୍ଷରୁ ଏବେ ନିରନ୍ତର ଭାବେ ଇସ୍ରାଏଲ୍ ଏବଂ ଆମେରିକା ପ୍ରତି ଭଡକାଇବା ଭଳି ବୟାନବାଜି ଜାରି ରହିଛି । ଗତକାଲି ଇରାନ୍ର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନେଇ ଆମେରିକାକୁ ଚେତାବନୀ ଦେଇଥିଲେ । ଶୁକ୍ରବାର ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମଧ୍ୟ ସେପରି କିଛି କହିଛନ୍ତି । ଆରାଘଚି କହିଛନ୍ତି ଯେ, ଆମେରିକା ସହିତ ଆଉ କୌଣସି ପରମାଣୁ ଆଲୋଚନା ହେବ ନାହିଁ । ସେ ଏହି ଅବସରରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇରାନ୍ ନିଜ ଆଣବିକ କାର୍ଯ୍ୟକ୍ରମ ଜାରି ରଖିବ ।
ପ୍ରକାଶ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଇରାନ ଏବଂ ଆମେରିକା ଆସନ୍ତା ସପ୍ତାହରେ ଆଣବିକ ଚୁକ୍ତି ସମ୍ପର୍କରେ ଆଲୋଚନା କରିବେ । ହ୍ୱାଇ୍ଟ ହାଉସର ଏକ ପ୍ରେସ୍ ବ୍ରିଫିଂରେ, ପ୍ରେସ ସଚିବ କାରୋଲିନ ଲେଭିଟ୍ କହିଛନ୍ତି ଯେ, ଆମେରିକା ପ୍ରଶାସନ ଇରାନ ସହିତ କୂଟନୈତିକ ଆଲୋଚନା ପଥରେ ଚାଲିଛି । ଇରାନ ଉପରେ ବୋମାମାଡ଼ କରାଯିବା ପରେ ଇରାନ୍ ସହ ଆମେରିକା ଏବେ ଏକ ନୂତନ ଚୁକ୍ତି ଯୋଜନା କରୁଛି । ଆମେରିକା ଇରାନକୁ ପ୍ରାୟ ୩୦ ବିଲିୟନ ଡଲାର (ପ୍ରାୟ ୨.୨୭ ଲକ୍ଷ କୋଟି ଟଙ୍କା) ର ଏକ ଚୁକ୍ତି ପ୍ରଦାନ କରିଛି । ଆମେରିକା ରାଷ୍ଟ୍ରପତି ତଥା ତାଙ୍କ ସରକାର ଏପ୍ରକାର ଦାବି କରୁଥିବା ବେଳେ ଇରାନ୍ କିନ୍ତୁ ଭିନ୍ନ କଥା କହିବାରେ ଲାଗିଛି । ଇରାନର ସରକାରୀ ଟିଭି ସହିତ କଥାବାର୍ତ୍ତା ସମୟରେ ଆବାସ ଆରାଘଚି କହିଛନ୍ତି, ‘ଆମେରିକା ସହିତ ପୁଣି ଥରେ ଆଲୋଚନା ଆରମ୍ଭ କରିବା ପାଇଁ କୌଣସି ଚୁକ୍ତି କିମ୍ବା ବ୍ୟବସ୍ଥା କରାଯାଇନାହିଁ । ନା କୌଣସି ପ୍ରତିଶ୍ରୁତି ଦିଆଯାଇଛି ନା ଏହି ବିଷୟରେ କୌଣସି ଆଲୋଚନା ହୋଇଛି । ଆମେରିକା କେବଳ ବିଶ୍ୱକୁ ମିଛ ହିଁ କହୁଛି’।
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଆମେରିକା ଇରାନର ପରମାଣୁ କାର୍ଯ୍ୟକ୍ରମରେ ନିବେଶ କରିବାକୁ ବିଚାର କରୁଛି, କିନ୍ତୁ ଏହା କେବଳ ବେସାମରିକ ପରମାଣୁ ବ୍ୟବହାର ପାଇଁ ହେବ । ଆମେରିକା ଏହି ଟଙ୍କାକୁ ନିଜେ ଦେବା ପରିବର୍ତ୍ତେ ଆରବ ଦେଶଗୁଡ଼ିକ ମାଧ୍ୟମରେ ପଠାଇପାରିବ । କିନ୍ତୁ ଆବାସ ଆରାଘଚି ପୂର୍ବରୁ କହିଥିଲେ, ‘ଆମର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଇରାନର ସ୍ୱାର୍ଥ ଉପରେ ଆଧାରିତ ହେବ । ଯଦି ଆମ ସ୍ୱାର୍ଥ ପାଇଁ ଆଲୋଚନାର ଆବଶ୍ୟକତା ପଡ଼େ, ତେବେ ଆମେ ଏହାକୁ ବିଚାର କରିବୁ ।’ ସୂଚନାଯୋଗ୍ୟ, ଇରାନର ପରମାଣୁ କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ ବିବାଦର କେନ୍ଦ୍ର ହୋଇ ରହିଛି । ଆମେରିକା, ଇସ୍ରାଏଲ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନେ ବିଶ୍ୱାସ କରନ୍ତି ଯେ ଇରାନ ଗୁପ୍ତ ଭାବରେ ପରମାଣୁ ଅସ୍ତ୍ର ବିକଶିତ କରୁଛି । ଅନ୍ୟପକ୍ଷରେ, ଇରାନ ଦାବି କରୁଛି ଯେ ଏହାର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଉପାୟରେ କରାଯାଉଛି, ଯେପରିକି ବିଦ୍ୟୁତ ଉତ୍ପାଦନ ଏବଂ ଚିକିତ୍ସା ଗବେଷଣା ପାଇଁ ।










