ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖୁବଶୀଘ୍ର ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଟ୍ରମ୍ପ୍ ଏବେ ବିଦେଶୀ ନାଗରିକଙ୍କୁ ଆମେରିକୀୟ ନାଗରିକତା ପ୍ରଦାନ ପାଇଁ ପୁଞ୍ଜିନିବେଶ ଗତ ଏକ ନୂଆ ଭିସା ନିୟମ ଆଣିବା ଉପରେ ଚିନ୍ତା କରୁଛନ୍ତି। ରିପୋର୍ଟ ଅନୁସାରେ ଟ୍ରମ୍ପ୍ଙ୍କ ଏହି ନୂଆ ଭିସା ନିୟମ ଅନ୍ତର୍ଗତ କେବଳ ଧନୀ ବିଦେଶୀ ନାଗରିକମାନେ ହିଁ ଲାଭବାନ ହେବେ। ଅର୍ଥାତ୍ ଏହି ଭିସା ନିୟମରେ କେବଳ ପ୍ରଚୁର ଅର୍ଥ ଥିବା ବିଦେଶୀ ନାଗରିକମାନଙ୍କୁ ଆମେରିକାର ନାଗରିକତା ମିଳିପାରିବ। ସିଧାସଳଖ କହିବାକୁ ଗଲେ ଟ୍ରମ୍ପ୍ ଏବେ ବିଦେଶୀ ନାଗରିକଙ୍କୁ ୟୁଏସ୍ ଗୋଲ୍ଡ କାର୍ଡ ଭିସା ପ୍ରଦାନ କରିବେ, ଯାହାକି ଆମେରିକାର ସ୍ଥାୟୀ ନାଗରିକତାର ଏକ ବଳିଷ୍ଠ ପ୍ରମାଣ ଭାବେ ବିବେଚନା କରାଯିବ। କିନ୍ତୁ ଏଥିପାଇଁ ବିଦେଶୀ ନାଗରିକଙ୍କୁ ୫୦ଲକ୍ଷ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ତେବେ ଏହି ଅର୍ଥକୁ ଆମେରିକା ସରକାର ସିଧାସଳଖ ଗ୍ରହଣ କରିବେ ନାହିଁ, ଗୋଲ୍ଡ କାର୍ଡ ଭିସା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଏହି ପରିମାଣର ଅର୍ଥ ଆମେରିକାରେ ପୁଞ୍ଜି ନିବେଶ ଆକାରରେ ବିନିଯୋଗ କରିବାକୁ ହେବ। ଟ୍ରମ୍ପ ଏହି ଭିସା କାର୍ଯ୍ୟକ୍ରମକୁ ବିଦେଶୀ ନାଗରିକଙ୍କ ପାଇଁ ଆମେରିକୀୟ ନାଗରିକତା ହାସଲ କରିବାର ଏକମାତ୍ର ରାସ୍ତା ବୋଲି କହିଛନ୍ତି।
ଟ୍ରମ୍ପଙ୍କ କହିବାନୁସାରେ ଏହି ‘ୟୁଏସ୍ ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ ସରକାର ଆମେରିକାରେ ନିବେଶ ଏବଂ ନିଯୁକ୍ତି ପ୍ରକ୍ରିୟାକୁ ବ୍ୟାପକ କରିବାକୁ ଚାହୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୟୁଏସ୍ ଗୋଲ୍ଡ କାର୍ଡ ବର୍ତ୍ତମାନ ବିଦେଶୀ ନାଗରିକଙ୍କୁ ଦିଆଯାଇଥିବା ବା ଦିଆଯାଉଥିବା (ପ୍ରଚଳିତ ୩୫ ବର୍ଷର ପୁରୁଣା) ଇବି-୫ ଭିସାର ସ୍ଥାନ ନେବ। ଏହି ନୂଆ ଭିସା ନିୟମକୁ ଗ୍ରହଣ କରି ବିଦେଶୀ ନାଗରିକମାନେ ଏଠାରେ ବ୍ୟବସାୟ କରିପାରିବେ, ନିଯୁକ୍ତି ପାଇପାରିବେ, ନିଯୁକ୍ତିଦାତା ମଧ୍ୟ ସାଜିପାରିବେ, ଟିକସ ଦାତା ହୋଇପାରିବେ ଏବଂ ସର୍ବୋପରି ଆମେରିକୀୟ ନାଗରିକତା ହାସଲ କରିପାରିବେ। ଟ୍ରମ୍ପଙ୍କ କହିବା ଅନୁସାରେ, ଗୋଲ୍ଡ କାର୍ଡ ଜରିଆରେ ଆମେରିକାର ଜାତୀୟ ଋଣ ଖୁବଶୀଘ୍ର ପରିଶୋଧ ହୋଇପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏପ୍ରକାର ଏକ ବଡ଼ ଯୋଜନା କରିଥିବା ମତପ୍ରକାଶ ପାଇଛି।
ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକଙ୍କ ଅନୁସାରେ, ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ନୂଆ ଭିସା ନୀତି କାର୍ଯ୍ୟକାରୀ କରାଯିବ। ୟବିଦେଶୀ ନିବେଶକୁ ଆକର୍ଷିତ କରିବା ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ଇବି-୫ ଭିସା ପ୍ରଚଳନ କରାଯାଇଥିଲା। ତେବେ ଏହି ସ୍ୱତନ୍ତ୍ର ପ୍ରକାରର ଭିସା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଥାଏ ଯେଉଁମାନେ ଯେକୌଣସି ଏକ ଆମେରିକୀୟ କମ୍ପାନୀରେ ପ୍ରାୟ ୧୦ ଲକ୍ଷ ଡଲାର ଡଲାର କିମ୍ବା ତତୋଧିକ ନିବେଶ କରନ୍ତି ଏବଂ ଅତି କମରେ ୧୦ ଜଣଙ୍କୁ ନିଯୁକ୍ତି ଦିଅନ୍ତି। ଏହି ଗୋଲ୍ଡ କାର୍ଡ ଏବେ ଏକ ଗ୍ରୀନ୍ କାର୍ଡ କିମ୍ବା ସ୍ଥାୟୀ ଆଇନଗତ ବାସସ୍ଥାନ ପ୍ରମାଣପତ୍ର ଭାବେ ମଧ୍ୟ ବିବେଚନା ହେବ।










