ନ୍ୟୁୟର୍କ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି), ଭାରତକୁ ସମର୍ଥନ ବ୍ୟକ୍ତ କରିଛି। ଏପ୍ରକାର ଆତଙ୍କୀ ଘଟଣାକୁ ୟୁଏନ୍ଏସ୍ସି ଦୃଢ଼ ନିନ୍ଦା କରିବା ସହ ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟ’ର ଦୋଷୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ନ୍ୟାୟର ପରିସରକୁ ଆଣିବା ଆବଶ୍ୟକ ବୋଲି ୧୫ ଦେଶ ସର୍ବସମ୍ମତିକ୍ରମେ କହିଛନ୍ତି। କେବଳ ସେତିକି ନୁହେଁ ପହଲଗାମ୍ ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦିଆଯିବାର ଆବଶ୍ୟକତା ଉପରେ ୟୁଏନ୍ଏସ୍ସି ଗୁରୁତ୍ୱାରୋପ କରିଛି।
ୟୁଏନ୍ଏସ୍ସି ଗଣମାଧ୍ୟମକୁ ଏକ ବିବୃତି ଜାରି କରି କହିଛି ଯେ, ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ସବୁଠାରୁ ଗମ୍ଭୀର ବିପଦ ମଧ୍ୟରୁ ଅନ୍ୟତମ। ଏହାର ମୂଳୋତ୍ପାଟନ ହେବା ଜରୁରି। କେବଳ ଆତଙ୍କବାଦୀ ଗୋଷ୍ଠୀଙ୍କୁ ନୁହେଁ ବରଂ ପରଦା ପଛରେ ଲୁଚି ରହୁଥିବା ସେମାନଙ୍କ ପୃଷ୍ଠପୋଷକଙ୍କୁ ମଧ୍ୟ ଦଣ୍ଡିତ କରାଯିବା ଉଚିତ୍। ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି। ଯେଉଁଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଗଣମାଧ୍ୟମରେ ଏହି ବିବୃତି ସମସ୍ତ ୧୫ ସଦସ୍ୟ ଦେଶ ପକ୍ଷରୁ ୟୁଏନ୍ଏସ୍ସି ସଭାପତି ଜିରୋମ୍ ବୋନାଫଣ୍ଟ୍ଙ୍କ ଦ୍ୱାରା ଜାରି କରାଯାଇଛି। ୟୁଏନ୍ଏସ୍ସି ସଦସ୍ୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନେ ପୀଡିତଙ୍କ ପରିବାର ଏବଂ ଭାରତ ସରକାରଙ୍କ ପ୍ରତି ଗଭୀର ସମବେଦନା ଏବଂ ସମବେଦନା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୟୁଏନ୍ଏସ୍ସି ଏକ ଦୃଢ଼ ବାର୍ତ୍ତା ମଧ୍ୟ ଦେଇଛି।
ୟୁଏନ୍ଏସ୍ସି ସମସ୍ତ ଦେଶଙ୍କୁ ଆନ୍ତର୍ଜାତୀୟ ଆଇନ ଏବଂ ପ୍ରାସଙ୍ଗିକ ସୁରକ୍ଷା ପରିଷଦ ପ୍ରସ୍ତାବ ଅନୁଯାୟୀ ସେମାନଙ୍କର ଦାୟିତ୍ୱ ଅନୁଯାୟୀ ସମସ୍ତ ସକ୍ଷମ କର୍ତ୍ତୃପକ୍ଷଙ୍କ ସହିତ ସକ୍ରିୟ ଭାବରେ ସହଯୋଗ କରିବାକୁ ଅନୁରୋଧ କରିଛି। ପ୍ରକାଶ, ଭାରତ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରୁଛି। ୨୦୧୯ ପୁଲୱାମା ଆତଙ୍କବାଦୀ ଘଟଣା (୪୦ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ) ପରେ ପହଲଗାମ୍ ଆତଙ୍କବାଦୀ ଘଟଣାକୁ ସର୍ବାଧିକ ଭୟଙ୍କର ଭାବେ ବିବେଚନା କରାଯାଉଛି। ଅନ୍ୟପକ୍ଷରେ, ପହଲଗାମ ଆକ୍ରମଣ ସମ୍ପର୍କରେ ଭାରତ କରିଥିବା ଦାବିକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରୁଛି। ପ୍ରକାଶ, ପାକିସ୍ତାନ ବର୍ତ୍ତମାନ ୟୁଏନଏସସିର ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ରହିଛି।










