ବ୍ୟାଙ୍କକ୍: “ସମଗ୍ର ବିଶ୍ୱରେ ଏବେ ସାଇବର ସ୍କାମ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏବେ ଏହା ଏକ କ୍ୟାନସର ଭଳି ସମ୍ପ୍ରସାରିତ ହେଉଛି, ଯାହାର ନିରାକରଣ କରାଯିବା ଅତ୍ୟନ୍ତ ଜରୁରି ହୋଇପଡିଛି । ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ସାଇବର ଅପରାଧକୁ ରୋକିବା, ସାଇବର ଠକଙ୍କ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣଜନିତ ବିଫଳତା ଏବେ ଏହାକୁ ଏକ ବିଲିଅନ ବିଲିଅନ୍ ଡଲାରର ସାଇବର ଠକେଇ ଶିଳ୍ପ କରି ଗଢ଼ିତୋଳିଛି । ଏସବୁ ପଛରେ ଥିବା ଏସୀୟ ଅପରାଧ ସିଣ୍ଡିକେଟ୍ ଦକ୍ଷିଣ ଆମେରିକା ଏବଂ ଆଫ୍ରିକା ସମେତ ସାରା ବିଶ୍ୱରେ ବିସ୍ତାରିତ ହେଉଛି ।” ସୋମବାର ମିଳିତ ଜାତିସଂଘ ନିଶା ଏବଂ ଅପରାଧ କାର୍ଯ୍ୟାଳୟ (ୟୁଏନ୍ଓଡିସି) ପକ୍ଷରୁ ଜାରି ଏକ ରିପୋର୍ଟ ଆଧାରରେ ଏଭଳି କିଛି ସମ୍ବାଦକୁ ରଏଟର୍ସ ପ୍ରକାଶିତ କରିଛି ।
ଜାତିସଂଘ ଦର୍ଶାଇଛି ଯେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦକ୍ଷିଣ-ପୂର୍ବ ଏସିଆରେ ଯେଉଁ ସାଇବର ଅପରାଧିକ ନେଟୱାର୍କଗୁଡ଼ିକ ଉଭା ହୋଇଛନ୍ତି, ଏମାନେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତାଡିତ କରିବାରେ ସଫଳ ହୋଇଛନ୍ତି । ଏମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ସେମାନେ ବିଭିନ୍ନ ଉପାୟରେ ଲୁଟି ନେଉଛନ୍ତି ଏବଂ ସେମାନଙ୍କୁ ତଳିତଳାନ୍ତ କରିଦେଉଛନ୍ତି । ଏପରିକି କେତେକାଂଶରେ କିଛି ଲୋକ ଡିଜିଟାଲ ଆରେଷ୍ଟ ଆଳରେ ମାନବ ଚାଲାଣ ଭଳି ପରିସ୍ଥିତିର ମଧ୍ୟ ଶିକାର ହୋଇପଡୁଛନ୍ତି । ୟୁଏନ୍ଓଡିସି କାର୍ଯ୍ୟକାରୀ ଆଞ୍ଚଳିକ ପ୍ରତିନିଧି ବେନେଡିକ୍ଟ ହଫମ୍ୟାନ୍ କହିଛନ୍ତି ଯେ, ସାଇବର ଅପରାଧକୁ ରୋକିବା ଦିଗରେ ଯାହା କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ସେସବୁ କେବଳ ଗୋଟିଏ ଦିଗ ପାଇଁ, ଯାହାଦ୍ୱାରା ଏମାନଙ୍କ ନେଟୱାର୍କକୁ କେବେ ବି ସମୂଳେ ଲୋପ କରାଯାଇପାରୁନାହିଁ । ଏକ ଆକଳନ ଅନୁସାରେ ସାରା ବିଶ୍ୱରେ ଏପ୍ରକାର ଶହ ଶହ ବଡ଼ ସ୍କାମ୍ ଫାର୍ମ ଅଛି, ଯାହାକି ବାର୍ଷିକ କୋଟି କୋଟି ଡଲାର ଲୁଟୁଛନ୍ତି । ସିଧାସଳଖ ଭାବେ କହିଲେ ଏଭଳି ସ୍କାମ୍ ସଂସ୍ଥାଗୁଡ଼ିକ ସମଗ୍ର ବିଶ୍ୱକୁ ଏକାଠି କାମ କରିବାକୁ ଏବଂ ସେମାନଙ୍କୁ ରୋକିବା ଦିଗରେ ଚେଷ୍ଟା କରିବାକୁ ଚ୍ୟାଲେଞ୍ଜ କରୁଛନ୍ତି । ସବୁଠୁ ବଡ଼କଥା ହେଉଛି, ଆଞ୍ଚଳିକ ସାଇବର ଠକେଇ ଅନ୍ୟାନ୍ୟ ଅନ୍ତଃରାଷ୍ଟ୍ରୀୟ ଅପରାଧଗୁଡ଼ିକୁ ମଧ୍ୟ ପଛରେ ପକାଇ ଦେଇଛି କାରଣ ଏହା ସହଜରେ ବୃଦ୍ଧି ପାଇପାରୁଛି ଏବଂ ସୀମା ପାର ହୋଇ ଅବୈଧ ସାମଗ୍ରୀ ପରିବହନ କିମ୍ବା ଚୋରା ଚାଲାଣ ନକରି ମଧ୍ୟ ଲକ୍ଷ ଲକ୍ଷ ସମ୍ଭାବ୍ୟ ପୀଡିତଙ୍କ ପାଖରେ ଅନଲାଇନ ଯୋଗେ ପହଞ୍ଚିପାରୁଛି ।
ମିଆଁମାର, କମ୍ବୋଡିଆ, ଥାଇଲାଣ୍ଡ, ଭିଏତନାମ୍ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସାଇବର ସ୍କାମ୍ର ଶିକାର ହୋଇଥିବା ଦେଶ ସାଜିଛନ୍ତି । ଆମେରିକା, ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଭଳି ଦେଶରେ ମଧ୍ୟ ଏହା ନିରନ୍ତର ଭାବେ ବଢ଼ିବାରେ ଲାଗିଛି । ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ପୂର୍ବ ୟୁରୋପକୁ କାର୍ଯ୍ୟକଳାପ ବିସ୍ତାର କରୁଛନ୍ତି । ଆଫ୍ରିକୀୟ ଦେଶଗୁଡ଼ିକରେ ମଧ୍ୟ ଏହି ସାଇବର ସ୍କାମର୍ସମାନେ ନିଜ ନେଟୱାର୍କ ଅତି ସହଜରେ ଚଳାଉଛନ୍ତି । ତେବେ ଦକ୍ଷିଣ ପୂର୍ବ ଏସିଆରେ କିନ୍ତୁ ଏମାନେ ଏକ ବଡ଼ ଧରଣର ସାଇବର ଠକେଇ ଉଦ୍ୟୋଗ ଭାବେ ପରିଚାଳନା କରୁଥିବା ଅନୁଭୂତ ହେଉଛି ।