21.1 C
Bhubaneswar
Monday, January 19, 2026
Homeଓଡିଶାକେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଖାମଖିଆଲି ମନ୍ତବ୍ୟ ଦୁର୍ଭାଗ୍ୟ ଜନକ : ସୁଦର୍ଶନ ଦାସ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଖାମଖିଆଲି ମନ୍ତବ୍ୟ ଦୁର୍ଭାଗ୍ୟ ଜନକ : ସୁଦର୍ଶନ ଦାସ

ଭୂବନେଶ୍ୱର : କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର. ପାଟିଲ ଗତ କାଲି ଓଡିଶା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମହନଦୀ ଜଳ ବିବାଦର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ବିବୃତି ଦେବାର ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଛି। ସେ ପୁଣି କହିଛନ୍ତି, “ମହାନଦୀ ଜଳବିବାଦ ଟ୍ରିବୁନାଲ ଏହି ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାରର ଚେଷ୍ଟା କରିବ, ଯାହା ଦ୍ୱାରା ଦୁଇ ରାଜ୍ୟର ସ୍ୱାର୍ଥ ସାଧାନ ହେବ”।

ମହାନଦୀ ବଂଚାଅ ଆନ୍ଦୋଳନ ମନ୍ତ୍ରୀଙ୍କ ଏଭଳି ବିବୃତି କୁ ଦୁର୍ଭାଗ୍ୟ ଜନକ ବୋଲି କହିଛି। ଏକ ପ୍ରେସ ବିବୃତିରେ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ ମହାନଦୀ ଜଳ ବିବାଦ ଓଡିଶାବାସୀଙ୍କ ପାଇଁ ଅତି ସ୍ପର୍ଷକାତର ପ୍ରସଙ୍ଗ। ସେଭଳି ପ୍ରସଙ୍ଗ ଉପରେ ମନ୍ତ୍ରୀ ଏଭଳି ଖାମ୍‌ଖିଆଲି ମନ୍ତବ୍ୟ ଓଡିଶାବାସୀଙ୍କୁ ମର୍ମାହତ କରିଛି। ଏଭଳି ମନ୍ତବ୍ୟ କଟା ଘା’ରେ ଚୁନ ଲଗାଇବା ସହିତ ସମାନ ବୋଲି ଶ୍ରୀ ଦାସ କହିଛନ୍ତି।

ପ୍ରକାଶ ଥାଉ କି ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବୁନାଲ ଗଠିତ ହୋଇଥିଲା। ଏହା ଭିତରେ ୭ ବର୍ଷ ବିତି ଗଲାଣି। ମାତ୍ର ନଦୀ ଓ ଓଡିଶାକୁ ନ୍ୟାୟ ଦେବା କ୍ଷେତ୍ରରେ ଟ୍ରିବୁନାଲ ଦ୍ୱାରା କୈାଣସି ଆଖି ଦୃଶିଆ ଅଗ୍ରଗତି ହୋଇ ନାହିଁ। ଏପରିକି ଅଣ ମୈାସୁମୀ ସମୟରେ ତଳମୁଣ୍ଡରେ ଓଡିଶା ପାଇଁ ଆବଶ୍ୟକ ପାଣି ଛାଡିବା ପାଇଁ ଓଡିଶାର ଆବେଦନକୁ ଟ୍ରିବୁନାଲ ଶୁଣିଲେ ନାହିଁ। ବର୍ତମାନ ୬ ମାସଧରି ଟ୍ରିବୁନାଲର ଅଧ୍ୟକ୍ଷ ପଦ ଖାଲି ପଡିଛି। ପୂର୍ବ ଅଧ୍ୟକ୍ଷ ନ୍ୟାୟମୁର୍ତି ଖାନିଲକର ଙ୍କ ଅବ୍ୟାହତି ପରେ ଆଜି ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି। ୬ ମାସ ଧରି ଟ୍ରିବୁନାଲର ଶୁଣାଣୀ ମଧ୍ୟ ହୋଇ ନାହିଁ। ଏସବୁ କଥା କଣ ମନ୍ତ୍ରୀଙ୍କୁ ଜଣା ନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ମହୋଦୟ ଜାଣିବା ଦରକାର ଯେ ବର୍ତମାନ ପର୍ଯ୍ୟନ୍ତ ଟ୍ରିବୁନାଲର ୩୨ଟି ଅଧିବେସନ ସରିଛି ମାତ୍ର ଶୁଣାଣୀ ଆରମ୍ଭ ହୋଇ ନାହିଁ। କାରଣ ଅନେକ କାଗଜ ପତ୍ର ଏବଂ ତଥ୍ୟ ବର୍ତମାନ ପର୍ଯ୍ୟନ୍ତ ଟ୍ରିବୁନାଲର ହସ୍ତଗତ ହୋଇ ନାହିଁ।

ଏଭଳି ସ୍ଥଳେ ମନ୍ତ୍ରୀଙ୍କ ବିବୃତି ବିଭ୍ରନ୍ତିକର ଓ ଓଡିଶାବାସୀଙ୍କ ପ୍ରିତି ଉପହାସ ବ୍ୟତୀତ ଅନ୍ୟକିଛି ନୁହେଁ। ଯଦି ବାସ୍ତବରେ ମହାନଦୀ ଜଳବିବାଦର ତ୍ୱରିତ ସମାଧାନ ମନ୍ତ୍ରୀ ଚାହୁଁଛନ୍ତି ତେବେ ତୁରନ୍ତ କେନ୍ଦ୍ର ତଥା ଓଡିଶା ଓ ଛତିଶଗଡ ସରକାରଙ୍କୁ ଏକଠି ବସାଇ ଅଲୋଚାନା କରନ୍ତୁ। ଏ କ୍ଷେତ୍ରରେ ଡବଲ ନୁହେଁ ଟ୍ରିପଲ ଇଂଜିନ ସରକାର ତାଙ୍କ ହାତରେ ଅଛି। ତେଣୁ ସମସ୍ୟାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ସହଜ ହେବ। ମନ୍ତ୍ରୀ ସେଥିପ୍ରତି ଦୃଷ୍ଟି ନଦେଇ ଏଭଳି ଖାମଖିଆଲି ବିବୃତିରୁ କ୍ଷାନ୍ତ ରହନ୍ତୁ ବୋଲି ଶ୍ରୀ ଦାସଙ୍କ ସମେତ ସଂଯୋଜକ ଶ୍ରୀ ବିଜୟ ପ୍ରଧାନ, ପ୍ରବକ୍ତା ଶ୍ରୀ ପ୍ରସନ୍ନ ବିଶୋଇ, ସଚ୍ଚି ପ୍ରଧାନ, ନିରଦ ବରଣ ଖୁଂଟିଆ ପ୍ରମୁଖ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking