ସମ୍ବଲପୁର: ଜ୍ଞାନ ଓ ବିଜ୍ଞାନର ସମନ୍ୱୟରେ ଓଡ଼ିଶାର ଛାତ୍ରୀମାନେ ଏବେ ସ୍ୱପ୍ନ ଦେଖିବେ ନାହିଁ, ବରଂ ସେହି ସ୍ୱପ୍ନକୁ ବାସ୍ତବରେ ରୂପାନ୍ତରିତ କରିବେ। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ଐତିହାସିକ ଚନ୍ଦ୍ରଶେଖର ବେହେରା(ସିଏସବି) ଜିଲ୍ଲା ସ୍କୁଲ ସମେତ ତିନୋଟି ସ୍ଥାନରେ ଉଦଘାଟିତ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ କେବଳ ଏକ ବିଜ୍ଞାନାଗାର ନୁହେଁ, ବରଂ ଏହା ଆମର କନ୍ୟାରତ୍ନମାନଙ୍କ ପାଇଁ ଆକାଶ ଛୁଇଁବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଶନିବାର ‘ଜାତୀୟ ଶିଶୁ କନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ସିଏସ୍ବି ଜିଲ୍ଲା ସ୍କୁଲର ବାର୍ଷିକୋତ୍ସବ ‘ଜ୍ୟୋତିର୍ଗମୟ’ରେ ଯୋଗଦେବା ସହ ଏହି ଠାରୁ ଆଭାସୀ ମାଧ୍ୟମରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦ୍ଘାଟନ କରିଥିଲେ। ସମ୍ବଲପୁରର ସିଏସ୍ବି ଜିଲ୍ଲା ହାଇସ୍କୁଲ, ଗୌରଚନ୍ଦ୍ର ହାଇସ୍କୁଲ, ରେଢ଼ାଖୋଲ ଏବଂ ସରକାରୀ ହାଇସ୍କୁଲ କୁଚିଣ୍ଡାରେ ଏହି ଲ୍ୟାବ୍ର ଉଦ୍ଘାଟନ କରି ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ‘ଜାତୀୟ ଶିଶୁ କନ୍ୟା ଦିବସ’ ଅବସରରେ ଓଡ଼ିଶାର ପ୍ରଥମ ‘ବୋଇଂ ଷ୍ଟେମ ଲ୍ୟାବ୍’ ସମ୍ବଲପୁରରୁ ଆରମ୍ଭ ହୋଇଛି। ଏହି ଲ୍ୟାବରେ ବିଜ୍ଞାନ ସହ ଏରୋସ୍ପେସ୍ ସମ୍ବନ୍ଧୀୟ ଶିକ୍ଷା ଏବଂ ପାଇଲଟ୍ ହେବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ଉଦ୍ୟମ ଆମର ଛାତ୍ରଛାତ୍ରୀ, ବିଶେଷ କରି ଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ନୂତନ ଜ୍ୟୋତି ପ୍ରଜ୍ୱଳିତ କରିବ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ବିମାନ ସଂଖ୍ୟା ୧୫ ହଜାରକୁ ବୃଦ୍ଧି ପାଇବ। ଏଥିପାଇଁ ବହୁ ସଂଖ୍ୟାରେ ପାଇଲଟ୍, ଇଞ୍ଜିନିୟର ଓ ଡିଜାଇନର୍ ଆବଶ୍ୟକ। ଏହି ଷ୍ଟେମ୍ ଲ୍ୟାବଗୁଡ଼ିକ ଆଗାମୀ ଦିନରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଆମର ଛାତ୍ରଛାତ୍ରୀଙ୍କୁ, ବିଶେଷ କରି ଛାତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର ଏହି ଆହ୍ୱାନ ପାଇଁ ପ୍ରସ୍ତୁତ କରିବ। ଏହା ସେମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଏକ ବଳିଷ୍ଠ ମାଧ୍ୟମ ସାଜିବ। ଶ୍ରୀ ପ୍ରଧାନ ମିଶାଇଲ ମ୍ୟାନ ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ସଫଳତାର ଉଦାହରଣ ଦେବା ସହ ପିଲାମାନଙ୍କ ମଧ୍ୟରେ ମୌଳିକ ସ୍ପଷ୍ଟତା ଓ ‘କ୍ରିଟିକାଲ ଥିଙ୍କିଂ’ ବୃଦ୍ଧି କରିବା ପାଇଁ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟକୁ ମାତୃଭାଷାରେ ପଢ଼ାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହୋଇଥିବା ବେଳେ ଶିକ୍ଷାବର୍ଷ ୨୦୨୬-୨୭ ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ ।
ଏହା ‘ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ (ଓଏସସିଏଫ) ଉପରେ ଆଧାରିତ ହେବ । ରାଜ୍ୟର ୧ ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ଏନ୍ସିଇଆରଟି ଏବଂ ଆଇଆଇଟି ମାଡ୍ରାସ ସହାୟତାରେ ଏଆଇ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହୋଇଛି। ସେହିପରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ, ଯାହାଦ୍ୱାରା ପିଲାମାନଙ୍କର ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ। ଏହାବ୍ୟତୀତ ଓଡ଼ିଶାର ପିଲାମାନଙ୍କ ସ୍ୱାସ୍ଥ୍ୟଗତ ଯତ୍ନ ନେବାକୁ ସେ ଆହ୍ୱାନ କରିଥିଲେ। ପ୍ରାୟ ୧୭୪ ବର୍ଷର ପୁରାତନ ସିଏସବି ବିଦ୍ୟାଳୟକୁ ଏକ ‘ବଟବୃକ୍ଷ’ ସହ ତୁଳନା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଗଠନରେ ସ୍ୱର୍ଗୀୟ ଚନ୍ଦ୍ରଶେଖର ବେହେରାଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇଥିଲେ। ସ୍କୁଲର ମୁଖପତ୍ର ‘ବୈଜୟନ୍ତୀ’ ମଧ୍ୟ ଶ୍ରୀ ପ୍ରଧାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।










