29.1 C
Bhubaneswar
Friday, May 23, 2025
Homeଓଡିଶାୟୁଗମ୍ ଇନୋଭେସନ କନକ୍ଲେଭ - ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ୟୁଗମ୍ ଇନୋଭେସନ କନକ୍ଲେଭ – ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରୁଛୁ ବୋଲି ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୟୁଗମ ଇନୋଭେସନ କନକ୍ଲେଭ – ୨୦୨୫ରେ ଯୋଗଦେବା ଅବସରରେ କହିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶିକ୍ଷା ମନ୍ତ୍ରଣାଳୟ ଏବଂ ଓ୍ୱାଧଓ୍ୱାନୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଦେଶର ଭବିଷ୍ୟତ ଦେଶର ଯୁବପିଢିଙ୍କ ଉପରେ ନିର୍ଭରଶୀଳ । ଏଥିପାଇଁ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆଧୁନିକୀକରଣ କରୁଛୁ । ଦେଶରେ ନୂଆ ଶିକ୍ଷା ନୀତି ମଧ୍ୟ ପ୍ରଣୟନ କରାଯାଇଛି, ଯେଉଁ ନୀତିରେ ଶିକ୍ଷାକୁ ବିଶ୍ୱମାନର ମାପଦଣ୍ଡକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହା ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ । ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ, ଲର୍ଣ୍ଣିଂ ଟିଚିଂ ମ୍ୟାଟେରିଆଲ ଏବଂ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏହି କନକ୍ଲେଭରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୟୁଗମ କନକ୍ଲେଭ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ନବପ୍ରବର୍ତ୍ତକଙ୍କୁ ଗୋଟିଏ ମଞ୍ଚରେ ଆଣିବାର ପ୍ରୟାସ । ଆଜିର ଏହି ଆୟୋଜନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ଇନୋଭେସନ କାପାସିଟି ଏବଂ ଡିପଟେକରେ ଭାରତର ଭୂମିକାକୁ ବଢାଇବା ପ୍ରୟାସକୁ ଅଧିକ ଗତି ପ୍ରଦାନ କରିବ । ୟୁଗମ କନକ୍ଲେଭ ଦେଶର ଯୁବବର୍ଗଙ୍କ ମଧ୍ୟରେ ଇନୋଭେସନ ପରମ୍ପରାକୁ ବଢାଇବା ଦିଗରେ ବଡ ଭୂମିକା ନିର୍ବାହ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି, ଏକାଡେମିଆ, ଇଣ୍ଡଷ୍ଟ୍ରି ଏବଂ ଇନୋଭେଟର୍ସ ମଧ୍ୟରେ ସମନ୍ୱୟ, ସହଯୋଗ ଏବଂ ସମାନତା ବଢାଇବା ପାଇଁ ୧୪୦୦ କୋଟି ଟଙ୍କାର ଯେଉଁ ନୂଆ ପ୍ରକଳ୍ପର ମୂଳଦୁଆ ପଡିଛି, ତାହାର ସବୁଠୁ ଅଧିକ ଲାଭ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ(ଏଏନଆରଏଫ୍), ଆମର ଆଇଇଟି, ଆଇଆଇଏସସି ଏବଂ ଆମର ଯୁବା ଇନୋଭେଟରଙ୍କୁ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାକୁ ଆଗକୁ ବଢାଇବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ । ଆଜି ଦେଶରେ ଗବେଷଣା ଏବଂ ନବସୃଜନର ଯେଉଁ ପ୍ରେରଣାଦାୟୀ ବାତାବରଣ ତିଆରି ହୋଇଛି, ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହିମାଳୟ ସଦୃଶ ପ୍ରତିବଦ୍ଧତା ଏବଂ ଦୂରଦର୍ଶୀ ନେତୃତ୍ୱ କାରଣରୁ ସମ୍ଭବ ହୋଇଛି, ଯାହା ଦେଶର ଯୁବବର୍ଗଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଛି ।

୨୦୧୪ରେ ପ୍ରଥମେ ଦେଶର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ କେବଳ ୩ଟି ରିସର୍ଚ୍ଚ ପାର୍କ୍ ଥିଲା, ଯାହା ଏବେ ୬କୁ ବୃଦ୍ଧି ହୋଇଛି । ଭାରତ ସରକାରଙ୍କ ସାମୂହିକ ପ୍ରୟାସରେ ୧୩ ନୂଆ ରିସର୍ଚ୍ଚ ପାର୍କର ମଧ୍ୟ କଳ୍ପନା କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ଅଧୀନରେ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଏକ ସହଯୋଗୀ ସ୍ତମ୍ଭ ରୂପରେ କାର୍ଯ୍ୟ କରୁଛି । ଅଟଳ ଇନୋଭେସନ ମିଶନ ଅନ୍ତର୍ଗତ ୧୦, ୦୦୦ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ କାର୍ଯ୍ୟକ୍ଷମ ଅଛି । ଏହାର ସଫଳତାକୁ ଦେଖି ୨୦୨୫-୨୬ରେ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଅଧିକ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରିବା ପାଇଁ ମଞ୍ଜୁର ପ୍ରଦାନ କରାଯାଇଛି । ଆମର ଲକ୍ଷ୍ୟ ହେଉଛି, ଆମର ଯୁବଶକ୍ତି ଦେଶର ଆବଶ୍ୟକତା ଏବଂ ପ୍ରାଥମିକତା ଗୁଡ଼ିକୁ କେନ୍ଦ୍ରରେ ରଖି ନବସୃଜନ କ୍ଷେତ୍ରରେ ଅଧିକ ଯୋଗଦାନ ଦିଅନ୍ତୁ । ଭାରତରେ ହିଁ ଆଇଡ଼ିଆରୁ ଉତ୍ପାଦର ସମ୍ପୂର୍ଣ୍ଣ ଶୃଙ୍ଖଳା ବିକଶିତ ହେଉ, ଏହା ଆମର ସଂକଳ୍ପ ଶ୍ରୀ ପ୍ରଧାନ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking