ନୂଆଦିଲ୍ଲୀ: ଶନିବାର ଏକ ଭୟାବହ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜିତିନ ପ୍ରସାଦ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ପିଲଭିଟ୍ ଗସ୍ତରେ ଯାଇଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ମନ୍ତ୍ରୀଙ୍କ କାର ଯିବା ସମୟରେ ତାଙ୍କ କାର୍କେଡ୍ରେ ସାମିଲ ଥିବା ଅନ୍ୟ ଏକ ଗାଡି ପଛରୁ ଜୋରଦାର ଧକ୍କା ହୋଇଥିଲା । ଫଳରେ ଗାଡ଼ିରେ ଥିବା ଜିତିନ, ତାଙ୍କ ରୋଷେୟା ଏବଂ ବେସରକାରୀ ସଚିବ ମଧ୍ୟ ଆହତ ହୋଇଛନ୍ତି । ମାଝୋଲା-ବିଜ୍ଟି ରୋଡ୍ରେ ଥିବା ବାହୁରୁଆ ଗ୍ରାମରେ ଏହି ଘଟଣା ଘଟିଛି । ଜିତିନ ପ୍ରସାଦଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କ କାର୍ଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇଥିଲେ । କିନ୍ତୁ ମନ୍ତ୍ରୀଙ୍କ ଗାଡ଼ି ପଛପଟେ ଆସୁଥିବା କାର୍ଟି ଭାରସାମ୍ୟ ରକ୍ଷା କରିନପାରି ମନ୍ତ୍ରୀଙ୍କ ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା । ଏହି ଘଟଣାରେ କାରଟି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି । ମନ୍ତ୍ରୀଙ୍କ ଅନ୍ୟ ୩ ସହାୟକ ମଧ୍ୟ ଗଭୀର ଭାବେ ଆଘାତ ପାଇଥିବା ଜାଣିବାକୁ ମିଳିଛି ।