25.1 C
Bhubaneswar
Friday, February 20, 2026
Homeଓଡିଶାଭାରତ-ସ୍ପେନ୍ ଉଚ୍ଚ ଶିକ୍ଷା ସମ୍ମିଳନୀର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭାରତ-ସ୍ପେନ୍ ଉଚ୍ଚ ଶିକ୍ଷା ସମ୍ମିଳନୀର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ‘ଭାରତ-ସ୍ପେନ୍ ଉଚ୍ଚଶିକ୍ଷା ସମ୍ମିଳନୀ’ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଭାରତରେ ଅବସ୍ଥିତ ସ୍ପେନ୍ ଦୂତାବାସର ସହଯୋଗରେ ୧୯ ଏବଂ ୨୦ ଫେବୃଆରୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ ୨୦୨୬’ ସହ ସମାନ ସମୟରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୨୬ ବର୍ଷଟି ‘ସ୍ପେନ୍-ଭାରତ ଦ୍ୱୈତ ବର୍ଷ’ ଭାବେ ପାଳନ କରାଯାଉଛି, ଯାହା ଦୁଇ ଦେଶର ୭୦ ବର୍ଷର କୂଟନୈତିକ ସମ୍ପର୍କକୁ ଦର୍ଶାଉଛି । ଶିକ୍ଷା, ଗବେଷଣା ଏବଂ ଯୁବ ବିନିମୟ କାର୍ଯ୍ୟକ୍ରମ ଏହି ସମ୍ପର୍କର ମୂଳଦୁଆ । ଜାତୀୟ ଶିକ୍ଷା ନୀତି – ୨୦୨୦ ମାଧ୍ୟମରେ ଭାରତ ବିଶ୍ୱସ୍ତରୀୟ ଶୈକ୍ଷିକ ସହଯୋଗ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିବା ସହ ସ୍ପେନର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଏଆଇ କେବେ ହେଲେ ମାନବିକ ନିଷ୍ପତ୍ତି ବା ସୃଜନଶୀଳତାର ବିକଳ୍ପ ହେବା ଉଚିତ ନୁହେଁ, ବରଂ ଏହାକୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ । ଭାରତ ଓ ସ୍ପେନ୍ ଦାୟିତ୍ୱବାନ ନବସୃଜନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ । ଏହି ସମ୍ମିଳନୀ କେବଳ ଆଲୋଚନା ମଧ୍ୟରେ ସୀମିତ ନ ରହି କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବ । ଆଜି ନିର୍ମିତ ଜ୍ଞାନର ସେତୁ ଆସନ୍ତାକାଲିର ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ମତ ରଖିଛନ୍ତି। ଏହି ସମ୍ମିଳନୀରେ ସ୍ପେନର ୩୦ରୁ ଅଧିକ ବିଶ୍ୱବିଦ୍ୟାଳୟର ବରିଷ୍ଠ ଶୈକ୍ଷିକ ନେତୃତ୍ୱ ଏବଂ ଭାରତର ପ୍ରାୟ ୭୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ଯୁଗ୍ମ ଗବେଷଣା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଗତିଶୀଳତା ଏବଂ ଷ୍ଟାର୍ଟଅପ୍‌ ସହଯୋଗ ଉପରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ପେନ୍ ଦୂତବାସର ଏମ୍ବାସେଡର ଏଚ.ଇ. ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶୈକ୍ଷିକ ସହଯୋଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଆଗାମୀ ଦିନରେ ଏହି ଆଲୋଚନା ଆହୁରି ପରିପକ୍ୱ ହେବ ଏବଂ ସ୍ପେନରେ ମଧ୍ୟ ଏହିଭଳି ଏକ ସମ୍ମିଳନୀ ଆୟୋଜନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking