18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ; ଆଇପିଏଲ୍‌ରେ ତମାଖୁ ଓ ମାଦକଦ୍ରବ୍ୟ ବିଜ୍ଞାପନ ନିଷେଧ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ; ଆଇପିଏଲ୍‌ରେ ତମାଖୁ ଓ ମାଦକଦ୍ରବ୍ୟ ବିଜ୍ଞାପନ ନିଷେଧ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏହାକୁ ନେଇ ପ୍ରତ୍ୟେକ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିବା ବେଳେ ଏହାର ଫାଇଦା ଉଠାଇବା ପାଇଁ ବହୁ କମ୍ପାନୀ ନିଜ ବ୍ରାଣ୍ଡ୍ ତଥା ଉତ୍ପାଦର ପ୍ରମୋସନ୍ ପାଇଁ ମଧ୍ୟ ଜୋରସୋରରେ ଲାଗିପଡ଼ିଛନ୍ତି। ଅନେକ ନାମୀଦାମୀ କମ୍ପାନୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ଆକୃଷ୍ଟ କରିବା ଭଳି ବିଜ୍ଞାପନମାନ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି। ତେବେ ଏସବୁ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଆଇପିଏଲ୍ ଆୟୋଜକ ତଥା କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଅତୁଲ ଗୋଏଲ ଏସଂକ୍ରାନ୍ତରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲଙ୍କୁ ଚିଠି ଲେଖି ନିର୍ଦେଶନାମା ଜାରି କରିଛନ୍ତି। ଅତୁଲ ଲେଖିଛନ୍ତି, କ୍ରିକେଟ ଖେଳାଳିମାନେ ଭାରତୀୟ ଯୁବଗୋଷ୍ଠୀଙ୍କ ପାଇଁ ରୋଲ ମଡେଲ। ସେମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ପ୍ରକାର ତମାଖୁ ଏବଂ ମାଦକଦ୍ରବ୍ୟର ବିଜ୍ଞାପନ ସହିତ ସଂଶ୍ଳିଷ୍ଟ ହେବା ଅନୁଚିତ। ଆଇପିଏଲ କଠୋର ଭାବେ ଏହି ନିର୍ଦେଶକୁ ପାଳନ କରିବା ଜରୁରୀ।

ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) ଆଇପିଏଲ ସମୟରେ ସରୋଗେଟ ବିଜ୍ଞାପନ ଏବଂ ବିକ୍ରୟ ସମେତ ତମାଖୁ ଏବଂ ମଦ ବିଜ୍ଞାପନ ଉପରେ ନିଷେଧ ସମ୍ପର୍କରେ ଆଇପିଏଲ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଡିଜିଏଚ୍‌ଏସ୍ ଦର୍ଶାଇଛି ଯେ, ବର୍ତ୍ତମାନ ସମୟରେ ଦେଶରେ ମଧୁମେହ, ଫୁସଫୁସ ରୋଗ, କର୍କଟ, ଉଚ୍ଚ ରକ୍ତଚାପ ଭଳି ଅଣସଂକ୍ରାମକ ତଥା ଗମ୍ଭୀର ରୋଗ ଦ୍ରୁତ ଗତିରେ ବୃଦ୍ଧିପାଉଛି। ଏହି ରୋଗଗୁଡ଼ିକର ବୃଦ୍ଧିର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ। ତମାଖୁ ସେବନ ଯୋଗୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ଅଛି। ପ୍ରତିବର୍ଷ ଭାରତରେ ୧୪ ଲକ୍ଷ ଲୋକ ମଦ୍ୟପାନ ଯୋଗୁ ମୃତ୍ୟୁବରଣ କରୁଛନ୍ତି। ପୂର୍ବରୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ କ୍ରୀଡା ଟୁର୍ଣ୍ଣାମେଣ୍ଟ ସମୟରେ ମଦ୍ୟପାନ ଏବଂ ତମାଖୁର ପ୍ରଚାର ଉପରେ ନିଷେଧ କରିବାକୁ ସୁପାରିଶ କରିଥିଲା, କିନ୍ତୁ ଏହାକୁ କଡାକଡି ଭାବେ ପାଳନ କରାଯାଇନଥିଲା। ତେବେ ଏଣିକି ଏହି ନିୟମ କଡାକଡି ଭାବେ ପାଳନ ହେବା ଉଚିତ୍‌।

ଚିଠିରେ ଲେଖାଯାଇଛି, ଆଇପିଏଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମ ଭିତରେ ଏବଂ ବାହାରେ ପ୍ରସାରଣ ପ୍ଲାଟଫର୍ମରେ ସମସ୍ତ ପ୍ରକାରର ତମାଖୁ ଏବଂ ମଦ୍ୟପାନ ବିଜ୍ଞାପନକୁ ନିଷିଦ୍ଧ କରାଯିବା ଉଚିତ୍‌। ଯୁବପିଢ଼ିଙ୍କ ପାଇଁ ଆଦର୍ଶ ହୋଇ, କ୍ରୀଡ଼ା ଜଗତ ସହିତ ଜଡିତ ଲୋକମାନେ କୌଣସି ପ୍ରକାରେ ମଦ ଏବଂ ତମାଖୁ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ। ମୋଟାମୋଟି ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ କୌଣସି ପ୍ରକାର ତମାଖୁ ଏବଂ ମାଦକଦ୍ରବ୍ୟର ବିଜ୍ଞାପନ ଯେପରି ପ୍ରସାରିତ ନହୁଏ କିମ୍ବା କୌଣସି ଖେଳାଳିଙ୍କ ସମ୍ପୃକ୍ତ ଥିବା ଏପ୍ରକାର ବିଜ୍ଞାପନ ଯେପରି ସାମ୍ନାକୁ ନଆସେ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking