18.1 C
Bhubaneswar
Saturday, December 6, 2025
Homeଓଡିଶାଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

ଭୁବନେଶ୍ୱର: କ୍ରମାଗତ ଭାବରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ବିଷୟରେ ଅପପ୍ରଚାର କରି ଅପମାନିତ କରିବା ଏବଂ ଏନସିଇଆରଟି ପାଠ୍ୟକ୍ରମରେ ମହାତ୍ମା ଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଭାରତ ବିଭାଜନର କାରଣ ରୂପେ ଦର୍ଶେଇ ଥିବାରୁ କଂଗ୍ରେସ ଏହାକୁ ବଳିଦାନ ଓ ତ୍ୟାଗ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତ ଦେଶର ନାଗରିକଙ୍କ ପ୍ରତି ଅପମାନ ବୋଲି କେନ୍ଦ୍ର ସରକାରଙ୍କୁ କଡା ନିନ୍ଦା କରିଛନ୍ତି । ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଏବଂ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ଯେ, ଯେଉଁ ଦଳ ଆଜି କେନ୍ଦ୍ର ସରକାରରେ ଅଛି ସେଇ ଦଳର ଇତିହାସ ସମ୍ପୂର୍ଣ ଦେଶଦ୍ରୋହ ଉପରେ ଆଧାରିତ । ମଦନ ମୋହନ ମାଲବ୍ୟ ୧୯୧୫ ମସିହାରେ କଂଗ୍ରେସଠାରୁ ଅଲଗା ହୋଇ “ହିନ୍ଦୁ ମହାସଭା” ଗଠନ କରିଥିଲେ । ୧୯୩୦ ମସିହାରେ ବିନାୟକ ଦାମୋଦର ସାବରକର ନେତୃତ୍ୱରେ ଏହା ଏକ ହିନ୍ଦୁ ଜାତୀୟତାବାଦୀ ଦଳରୁପେ ସାରା ଦେଶରେ ପରିଚିତ ହେଲା । ସାବରକର ଓ ହିନ୍ଦୁ ମହାସଭା ଧର୍ମ ନିରପେକ୍ଷତାକୁ କଠୋର ବିରୋଧ କରୁଥିଲା । ଏପରିକି ମୁସଲିମ ଲିଗ ସହିତ ମିଳିତ ଭାବରେ ପ୍ରୋଭିନସିଆଲ ଓ ସେଣ୍ଟ୍ରାଲ ଲେଜିସଲେଟିଭ କାଉନସିଲରେ ଅଂଶ ଗ୍ରହଣ କରିଥିଲେ ।

ସର୍ଦାର ବଲ୍ଳଭ ଭାଇ ପଟେଲ ଓ ଜାତୀୟ କଂଗ୍ରେସର ପ୍ରାଦେଶିକ ରାଜ୍ୟ ମାନଙ୍କର ମିଶ୍ରଣକୁ ସାବରକର ଘୋର ବିରୋଧ କରିଥିଲେ । ଭାରତ ବିଭାଜନକୁ ନେଇ ଯେଉଁ ତଥ୍ୟ ଉପସ୍ଥାପନ କରାଯାଉଛି ତାହା ସମ୍ପୂର୍ଣ ମିଥ୍ୟା ଓ ବିଭ୍ରାନ୍ତକାରୀ । ବିଭାଜନ ପାଇଁ ଅଲ ଇଣ୍ଡିଆ ମୁସଲିମ ଲିଗ, ହିନ୍ଦୁ ମହାସଭା ଓ ପରବର୍ତ୍ତୀ ପର୍ଯାୟରେ ଆରଏସଏସ ଏବଂ ଜନସଙ୍ଘଙ୍କର ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ଦେଶ ଦୁଇ ଫାଳ ହୋଇଗଲା । ଯେଉଁ ସାବରକର ବ୍ରିଟିଶଙ୍କୁ କ୍ଷମା ପ୍ରାର୍ଥନା କରି ତାଙ୍କଠାରୁ ପେନସନ ଗ୍ରହଣ କରୁଥିଲେ, ସିଏ ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହୋଇଗଲେ ଏବଂ ପ୍ରିୟର ବାପୁ ବିଭାଜନକାରୀ ହୋଇଗଲେ ।

ହ୍ୱାଟ୍ସଆପ ବିଶ୍ୱବିଦ୍ୟାଳୟରୁ ଜ୍ଞାନ ଆହରଣ କରି ସେମାନେ ଦେଶର ସ୍ୱାଧୀନତା ସଂଗ୍ରାମ ବିଷୟରେ ଅତ୍ୟନ୍ତ କୁତ୍ସିତ ଅପପ୍ରଚାର କରୁଛନ୍ତି । ନୀଚ୍ଚତାର ଏତେ ଦୂର ସୀମା ଲଙ୍ଘନ କରି ସାରିଲେଣି ଯେ, ଜାତିର ପିତାଙ୍କୁ ମଧ୍ୟ ଛାଡୁନାହାନ୍ତି । ମହାତ୍ମା ଗାନ୍ଧୀଙ୍କ ବିରୋଧରେ କୌଣସି ପ୍ରକାର ଅପ୍ରପଚାରକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବୋଲି ମୁଖପାତ୍ର ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ଯୋଜନାବଦ୍ଧ ଭାବେ ମୋଦି ଦେଶରେ ଗାନ୍ଧୀ ବିରୋଧୀ ଭାବନାକୁ ପ୍ରଚାର କରେଇ ଚାଲିଛନ୍ତି ବୋଲି ଅଭିଯୋଗ କରିଥିଲେ। ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ଡ଼ ଦେବାଶିଷ ଭୂୟାଁ, ନଳିନୀକାନ୍ତ ମହାନ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking