ଭୁବନେଶ୍ୱର: କଥାରେ ଅଛି ସମୟ କାହାକୁ ଅପେକ୍ଷା କରେ ନାହିଁ । ଠିକ ସେପରି ଆଜି ମଧରାତ୍ରିରେ ବିଦାୟ ନେବ ୨୦୨୫ । ସମୟର ସାଥେ ସାଥେ ବଦଳିଛି ୨୦୨୫, ଆଉ ଶିକ୍ଷା ମଧ୍ୟ ଅନେକ ଦେଇଛି । ଆଉ କିଛି ତ୍ୟାଗ କରିବାକୁ ପଡିଛି । ହେଲେ ହଁ ସବୁବେଳେ ସବୁ ଜିନିଷ ସମାନ ନୁହେଁ, କିଛି ପାଇବାକୁ ହେଲେ କିଛି ତ୍ୟାଗ କରିବାକୁ ପଡିବ । ଆଉ କାନ୍ଥରେ ଝୁଲି ରହିବନି ୨୦୨୫ର କ୍ୟାଲେଣ୍ଡର । ଆଉ ବିତିଯାଇଥିବା କିଛି ଘଟଣା ଫେରି ଆସିବା ନାହିଁ । ଜଣା ପଡିଲାନି ବର୍ଷଟା । ହସ ମଜାରେ ବିତିଗଲା ବର୍ଷେ । ଏମିତି ଲାଗିଲା ୨୦୨୫ ଆସିଲା ମିଛ ଜଗତରେ କିଛି ଝଲକ ଦେଖାଇ ଆଖି ପିଛୁଳାକେ ଚାଲିଗଲା । ସରିଗଲା ସିନା ୨୦୨୫ , ମନେ ରହିବ ସେହି ବର୍ଷର ଅଭୁଲା ସ୍ମୁତି । ମନେ ରହିବ ପ୍ରତି ମୂହୁର୍ତ୍ତର ଗୋଟି ଗୋଟି କଥା । ହେଲେ ଗୋଟିଏ କଥା କେହି କେହି କୁହନ୍ତି ଯେ, ୨୦୨୫ ବହୁତ ଭଲ ଥିଲା , ଆଉ କେହି କୁହନ୍ତି ଭଲ ନଥିଲା । ସତ ହେଉଛି ଯେ ଏହା ଆମର ଭ୍ରମ । ଆମେ ସକାଳୁ ଉଠି ଯେଉଁ ସକାଳ ଦେଖୁଛୁ ସେଥିପାଇଁ ତ ଭଗବାନଙ୍କୁ ଧନ୍ୟବାଦ ଦେବା କଥା । ତାଙ୍କ ପାଇଁ ଆମେ ସବୁଦିନ ସକାଳ ଦେଖିଥାଉ । ଏସବୁ କୁ ବାଦ ଦେଇ ଆଉ ଏକ କଥା କହିବାକୁ ଗଲେ , ଏହି ବର୍ଷ କିଏ କାହାର ପ୍ରିୟଜନ, ଭାଇ ,ଭଉଣୀ ,ସ୍ୱାମୀ ସ୍ତ୍ରୀ, ମା ଙ୍କୁ ହରାଇଛନ୍ତି । ସେ କଥା ନ କହିଲେ ଭଲ । ଲେଖିଲା ବେଳକୁ ଆଖିରେ ଲୁହ ଆସିଯାଉଛି । ଏହା ତ ବିଧିର ବିଧାନ ଆମେ ବା କଣ କରିପାରିବା । ମଣିଷ ଜନ୍ମ ମାତ୍ର କେ ମୃତ୍ୟୁ ନିଶ୍ଚିତ । ଏହି ବର୍ଷ ପ୍ରେମୀ ଯୁଗଳମାନେ କିଏ କାହା ପ୍ରେମକୁ ହରାଇଛନ୍ତି ତ ମୁମତାଜ – ସାହାଜନଙ୍କ ପରି ପ୍ରେମରେ ସଫଳ ହୋଇଛନ୍ତି ।
ଲେଖୁ ଲେଖୁ ଆଉ ଗୋଟିଏ କଥା ମନକୁ ଛୁଉଁଛି , ଡିଜିଟାଲ ଦୁନିଆ ଆସିବା ପରେ ଆଉ ଆଗ ପରି ସେହି ଗ୍ରୀଟିଙ୍ଗ୍ସ କାର୍ଡରେ ସାଙ୍ଗକୁ ଶୁଭେଚ୍ଛା ଜଣାଇବା ସେ ଦିନ ନାହିଁ । ହଜିଗଲାଣି ସେ ଦିନ । ରଙ୍ଗୀନ କାଗଜ ପଛପଟେ ଲେଖା ଯାଉଥିଲା , ହାତରେ ଫୁଲ ଚନ୍ଦନ , ସାଙ୍ଗକୁ ମୋର ନୂଆ ବର୍ଷର ଅଭିନନ୍ଦନ । ହାତୀ ଚାଲେ ଦମ ଦମ ସାଙ୍ଗକୁ ମୋର ୱେଲ କମ । ଏଭଳି କିଛି ମନର ଲେଖା ଆଉ ଦିସୁ ନାହିଁ । ଲଫାପାରେ ସାଙ୍ଗ ସାଥୀଙ୍କୁ ଚକୋଲେଟ ଦେବା ସେ ଖୁସି ନାହିଁ । ପଛେ ଦୁନିଆ ଡିଜିଟାଲ ହେଉ ସେହି ଖାଲି କାଗଜରେ ବନ୍ଧୁମାନଙ୍କ ପାଇଁ ପଦୁଟିଏ ଲେଖା ଲେଖିବା ସ୍ମୃତି ହୋଇ ରହୁଥିଲା, କାଗଜ ଓ କଲମରେ ବନ୍ଧୁତ୍ୱର ସ୍ନେହ , ପ୍ରେମ , ଭାବର ପ୍ରମାଣ ରହୁଥିଲା । ନାହିଁ ଆଉ ସେ ଦିନ । ଡିଜିଟାଲ ଦୁନିଆରେ ସ୍ମୃତି ହୋଇ ରହି ଯାଇଛି ସେହି ଦିନ । ଆସନ୍ତାକାଲି ନୂଆ ବର୍ଷର ନୂଆ ସୂର୍ଯ୍ୟ ଉଇଁବ । ଆଜି ମଧ୍ୟରାତ୍ରିର ଶୀତୁଆ ସକାଳରେ କୁହୁଡ଼ି ଆସ୍ତରଣ ପରିବେଶରେ ୨୦୨୬କୁ ସମସ୍ତେ ସ୍ୱାଗତ କରିବେ ।










