ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ପୁରୁଷ ଏସିଆ କପ୍ ୨୦୨୪ ୨୯ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁଏଇର ଦୁବାଇ ଓ ଶାରଜାହରେ ଆୟୋଜିତ ହେବ। ଶୁକ୍ରବାର ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ (ଏସିସି) ଏହି ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ୍ର ଏହା ୧୧ଶ ସିଜନ୍ ହୋଇଥିବା ବେଳେ ଉଦ୍ଘାଟନ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ।
ନଭେମ୍ବର ୩୦ ତାରିଖରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟ୍ରେ ଆଇସିସିର ପାଞ୍ଚ ପୂର୍ଣ୍ଣ ସଦସ୍ୟ ଟିମ୍ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ବ୍ୟତୀତ ୨୦୨୩ ପୁରୁଷ ଅଣ୍ଡର-୧୯ ପ୍ରିମିୟର୍ କପ୍ର ଶୀର୍ଷ ତିନିଟି ଟିମ୍ ନେପାଳ, ଜାପାନ ଓ ୟୁଏଇ ଭାଗ ନେଉଛନ୍ତି। ଆଠ ଟିମ୍କୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି।
ପ୍ରତ୍ୟେକ ଗ୍ରୁପ୍ରେ ଆଇସିସିର ଦୁଇଟି ପୂର୍ଣ୍ଣ ସଦ୍ୟ ଟିମ୍ ସ୍ଥାନ ପାଇଛନ୍ତି। ପ୍ରତ୍ୟେକ ଗ୍ରୁପ୍ର ଶୀର୍ଷ ଦୁଇଟି ଟିମ୍ ଡିସେମ୍ବର ୬ ତାରିଖର ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଫାଇନାଲ୍ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଡିସେମ୍ବର ୮ ତାରିଖରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ୍ରେ ଭାରତ ସବୁଠୁ ସଫଳ ଟିମ୍ ଭାବେ ୧୦ରୁ ୮ ଥର ଟାଇଟଲ୍ ବିଜେତା ହୋଇଛି। ଗତ ସିଜନ୍ରେ ଟିମ୍ ସେମିଫାଇନାଲ୍ରେ ବାଂଲାଦେଶଠାରୁ ହାରି ବିଦାୟ ନେଇଥିଲା।