ନୀଳଗିରି : ଋଣ ବୋଝ ସହିତ ଋଣଦାତାଙ୍କ ଅତ୍ୟଧିକ ଜୁଲମ୍ କୁ ସହି ନପାରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଛନ୍ତି ଦମ୍ପତ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା କେ. ପି. ଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ଜୟକୃଷ୍ଣ ନନ୍ଦଦେବ ଗୋସ୍ୱାମୀଙ୍କ ପୁଅ ସ୍ୱରୂପାନନ୍ଦ ଦେବଗୋସ୍ୱାମୀ(୪୫)ଏବଂ ତାଙ୍କ ପତ୍ନୀ ସୁଶ୍ରୀ ସଂଗୀତା ଦେବଗୋସ୍ୱାମୀ(୪୦)।
ସୂଚନା ଅନୁଯାୟୀ ଉଭୟ ପତି ପତ୍ନୀ କିଛି ବେସରକାରୀ ସଂସ୍ଥା ଯଥା ବିସ୍ତାରା, ବନ୍ଧନ ସହିତ ଗ୍ରୁପ୍ ରୁ ଋଣ ଆଣି ହଲର୍ ଓ ମୁଢ଼ି ଭଜା ମେସିନ ପକାଇ ଗୁଜୁରାଣ ମେଣ୍ଟାଉ ଥିଲେ। ମାତ୍ର ଉକ୍ତ ସଂସ୍ଥାରେ ତାଙ୍କର ପ୍ରଭୂତ କ୍ଷତି ହେବା ଫଳରେ ଋଣ ଶୁଝି ପାରିନଥିଲେ। ଏପଟେ ଋଣ ପ୍ରଦାନକାରୀ ସଂସ୍ଥା ଋଣ ପରିଶୋଧ ପାଇଁ ବାରମ୍ବାର ଜୁଲମ କରିବା ପରେ ଶେଷରେ ଲୋକଲଜ୍ୟାକୁ କୁ ଡରି ଗତ ବୁଧବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିବାର ଚରମ ନିଷ୍ପତି ନେଇଥିଲେ। ଉଭୟ ବିଷ ପାଇବାର କିଛି ସମୟ ପରେ ଅତ୍ୟଧିକ ଯନ୍ତ୍ରଣାରେ ଛଟପଟ ହେଉଥିବା
ବେଳେ ସ୍ୱରିପାନନ୍ଦଙ୍କ ବାପା ଘଟଣା ସ୍ଥଳରେ ପହଞ୍ଚି ବୋହୂଙ୍କୁ ପଚାରି ବୁଝିଥିଲେ। ବୋହୂ ବିଷ ପିଇ ଦେଇଥିବା କହିବା ପରେ ଉଭୟଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନୀଳଗିରି ହସ୍ପିଟାଲ ଆଣିଥିଲେ। ଗୁରୁତର ହେବାରୁ ତୁରନ୍ତ ଉଭୟଙ୍କୁ ବାଲେଶ୍ୱର ମେଡିକାଲ କଲେଜ ରେମୁଣା ସ୍ଥାନାନ୍ତର କରାଯାଇଥିଲା। ସେଠାରୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଉଭୟଙ୍କୁ ପରିବାର ଲୋକେ ଭୁବନେଶ୍ବର ସ୍ଥିତ କିମ୍ସ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ୯.୧୫ମିନିଟ ସମୟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ପୁରୀ ସ୍ଵର୍ଗଦ୍ଵାର ନେଇ ଶେଷକୃତ୍ୟ କରାଯାଇଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର ରେ ଚିକିତ୍ସାଧୀନ ଅଛନ୍ତି।