ନୂଆଦିଲ୍ଲୀ: ଖ୍ରୀଷ୍ଟମାସର ଗୋଟେ ଦିନ ପୂର୍ବରୁ ଅର୍ଥାତ୍ ୨୪ ଡିସେମ୍ବରରେ ମହାକାଶରେ ଗତି କରିବ ଉଲ୍ଲକାପିଣ୍ଡ । ପୃଥିବୀ ନିକଟତର ହେବ ୧୨୦ଫୁଟ ଲମ୍ବର ଉଲ୍ଲକାପିଣ୍ଡ । ବୈଜ୍ଞାନିକମାନେ ଏହାର ନାଁ ରଖିଛନ୍ତି ୨୦୨୪ ଏକ୍ସଏନୱାନ । ଏହା ଘଣ୍ଟାପ୍ରତି ୧୪ ହଜାର ୭୪୩ ମାଇଲ୍ ବେଗରେ ଗତି କରୁଛି । ଯାହା ପୃଥିବୀ ଠାରୁ ୪ ଲକ୍ଷ ୪୮ ହଜାର ମାଇଲ ଦୂରତାରେ ଗତି କରିବ । ଏହା ପୃଥିବୀ-ଚନ୍ଦ୍ରର ଦୂରତାଠାରୁ ୧୬ଗୁଣା ବଡ । ନାସା ବୈଜ୍ଞାନିକଙ୍କ ଅନୁଯାୟୀ ଯଦିଓ ୧୨୦ ଫୁଟ ଲମ୍ବର ଉଲ୍ଲାକାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଗତି କରୁଥାଏ, ତଥାପି ପୃଥିବୀ ପାଇଁ ଅଧିକ ବିପଦ ସୃଷ୍ଟି କରିନପାରେ । ଏତେପରେ ବି ମହାକାଶରେ ଘଟୁଥିବା ଏହି ଅନନ୍ୟ ଘଟଣା ଉପରେ ନଜର ରଖିଛନ୍ତି ବୈଜ୍ଞାନିକ । ବାସ୍ତବରେ ଏହି ଉଲ୍ଲକାପିଣ୍ଡ ବେଶ୍ ଗୁରୁତ୍ବପୂର୍ଣ୍ଣ । ମହାକାଶରେ ପୃଥିବୀ ନିକଟରେ ଉଲ୍ଲକାପିଣ୍ଡ ଗତି କରିବା କିଛି ନୂଆ କଥା ନୁହେଁ । ତଥାପି ଏହା ବେଶ୍ ଖାସ୍ ଅଟେ । ବୈଜ୍ଞାନିକଙ୍କ ଅନୁଯାୟୀ, ୨୦୨୪ ଏକ୍ସଏନୱାନ ପରି ଉଲ୍ଲକାପିଣ୍ଡ ପ୍ରାରମ୍ଭିକ ସୌର ପ୍ରଣାଳୀର ଉତ୍ପତ୍ତି ବୁଝିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଏହି ଗ୍ରହର ପଥ ବୁଝିବା ପାଇଁ ନାସା ଅତ୍ୟାଧୁନିକ ଟ୍ରାକିଂ ଟେକ୍ନୋଲୋଜି ବ୍ୟବହାର କରୁଛି। ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀ ନିକଟରେ ଯାଉଥିବା ପରବର୍ତ୍ତୀ ୫ଟି ଉଲ୍ଲକାପିଣ୍ଡ ମଧ୍ୟରେ ଆଷ୍ଟ୍ରୋଏଡ ୨୦୨୪ ଏକ୍ସଏନୱାନ ସବୁଠାରୁ ବଡ । ଏହାସତ୍ତ୍ୱେ ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି ଯେ ପୃଥିବୀ ନିକଟରେ ଏହାର ଗତିପଥ ହୋଇଥିଲେ ମଧ୍ୟ ପୃଥିବୀ ପାଇଁ କୌଣସି ବିପଦ ହେବନି ।










