15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଟ୍ରମ୍ପ୍ ପ୍ରଶାସନ ନାଲିଆଖି ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌!

ଟ୍ରମ୍ପ୍ ପ୍ରଶାସନ ନାଲିଆଖି ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌!

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବେ ହୁଏତ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନର ନାଲିଆଖି ଆଗରେ ମୁଣ୍ଡ ନୁଆଁଇବା ଆରମ୍ଭ କରିଛନ୍ତି। ଫଳରେ ଯୁଦ୍ଧ ସମାପ୍ତ କରିବା ପାଇଁ ଜେଲେନସ୍କି ଏବେ ରୁଷ୍ ସହିତ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେବା ଅବସରରେ ଜେଲେନ୍‌ସ୍କି କହିଛନ୍ତି, ଯୁଦ୍ଧ ସମାପ୍ତ କରିବା ପାଇଁ ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ସହ ସିଧାସଳଖ (ବିନା କୌଣସି ମଧ୍ୟସ୍ଥି) ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏସବୁ ମଧ୍ୟରେ ଜେଲେନ୍‌ସ୍କି କିନ୍ତୁ ଆମେରିକା ସମ୍ମୁଖରେ ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି, ଏସବୁ ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେରିକା ଏବଂ ୟୁରୋପୀୟ ସହଯୋଗୀମାନଙ୍କ ମିଳିତ ପ୍ରୟାସରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ସାଧାରଣ ଯୋଜନା ପ୍ରସ୍ତୁତ ହେବ। ଯଦି ସେମାନେ ଆମର ନିର୍ଦ୍ଦିଷ୍ଟ ଅନୁରୋଧଗୁଡ଼ିକର ଉପଯୁକ୍ତ ଉତ୍ତର ପ୍ରଦାନ କରନ୍ତି ଏବଂ ପୁତିନଙ୍କ ସହିତ ଏକ ସହମତିରେ ପହଞ୍ଚିପାରିବେ ତେବେ ୟୁକ୍ରେନ୍ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି।

ତେବେ ସେ ଏହି ଅବସରରେ ସ୍ପଷ୍ଟ କରିଦେଇଛନ୍ତି ଯେ, ୟୁକ୍ରେନ୍ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହ ଯେକୌଣସି ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ରହିଛି। ପୂର୍ବରୁ, ଜେଲେନସ୍କିଙ୍କ ପରାମର୍ଶଦାତା ଦିମିତ୍ରୋ ଲିଟଭିନ୍ କହିଥିଲେ ଯେ, ରୁଷିଆନଙ୍କ ସହ ଆଲୋଚନା ପାଇଁ ସହଯୋଗୀଙ୍କ ସହିତ ଏକ ସାଧାରଣ ସ୍ଥିତି ରହିବା ଆବଶ୍ୟକ। ତେବେ ବର୍ତ୍ତମାନ ଏହା ଉପରେ କୌଣସି ଆଲୋଚନା ନାହିଁ। ଲିଟଭନ୍‌ଙ୍କ କଥାରୁ ଅନୁମାନ କରାଯାଉଥିଲା ଯେ, ୟୁକ୍ରେନ୍ ନିଜେ ଏବଂ ଏହାର ସମସ୍ତ ୟୁରୋପୀୟ ସମର୍ଥକମାନେ ଭୟ କରୁଛନ୍ତି ଯେ, ଟ୍ରମ୍ପ ୟୁକ୍ରେନକୁ ରୁଷ୍ ସହ ଏକ ଅସନ୍ତୋଷଜନକ ଶାନ୍ତି ଚୁକ୍ତି ପାଇଁ ବାଧ୍ୟ କରିପାରନ୍ତି। ଏପରି ହେଲେ ଜେଲେନ୍‌ସ୍କିଙ୍କୁ ପୁତିନ୍‌ଙ୍କ ସାମ୍ନା କରିବାକୁ ପଡ଼ିପାରେ। ଅନ୍ୟପକ୍ଷେ ଟ୍ରମ୍ପ ପ୍ରଶାସନ ମଧ୍ୟ ଏସବୁ ମଧ୍ୟରେ ସୂଚିତ କରିସାରିଛି ଯେ, ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ୟୁକ୍ରେନ୍‌କୁ ନିଜର ଏକ ବୃହତ୍ ଅଞ୍ଚଳ ରୁଷ୍‌କୁ ଛାଡିବା ପାଇଁ ପଡ଼ିପାରେ। କେବଳ ସେତିକି ନୁହେଁ ଟ୍ରମ୍ପ୍ ପ୍ରଶାସନ ଏହା ମଧ୍ୟ ସ୍ପଷ୍ଟ କରିସାରିଛି ଯେ, କିଭ୍ ପାଇଁ ନାଟୋ ସଦସ୍ୟତାକୁ ସମ୍ପୂର୍ଣ୍ଣ ଅବାସ୍ତବ। ଆମେରିକାରେ କ୍ଷମତା ପରିବର୍ତ୍ତନ ହୋଇଛି। ଜୋ ବାଇଡେନ୍‌ଙ୍କ ପରେ ଏବେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସରକାର କ୍ଷମତାସୀନ ହୋଇଛି। ତେବେ ଏସବୁର ପ୍ରଭାବ ରୁଷ-ୟୁକ୍ରେନ୍ ଯୁଦ୍ଧ ଉପରେ ମଧ୍ୟ ପଡ଼ିଛି ବୋଲି ଅନୁଭବ ହେବା ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking