ନୂଆଦିଲ୍ଲୀ: ନୂଆ ପେନ୍ସନ୍ ସ୍କିମ୍ “ୟୁପିଏସ୍” ବା (ୟୁନିଫାଏଡ୍ ପେନ୍ସନ୍ ସ୍କିମ୍) ସମ୍ପର୍କରେ ଘୋଷଣା ହେବାର ଠିକ୍ ଦିନକ ପରେ ବିରୋଧୀ ଦଳ କଂଗ୍ରେସ କେନ୍ଦ୍ର ସରକାରଙ୍କ ଏହି ନୂଆ ପେନ୍ସନ୍ ଯୋଜନାକୁ ବିରୋଧ କରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଆଜି ନିଜ ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, “ୟୁପିଏସ୍ରେ ‘ୟୁ’ର ଅର୍ଥ ମୋଦୀ ସରକାରଙ୍କ ୟୁଟର୍ଣ୍ଣ! ଜୁନ୍ ୪ ପରେ ଲୋକଙ୍କ ଶକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ କ୍ଷମତାର ଅହଂକାରକୁ ପରାସ୍ତ କରିଛି । ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍/ଇଣ୍ଡେକସନ୍ ସମ୍ବନ୍ଧରେ ବଜେଟ୍ରେ ରୋଲବ୍ୟାକ୍, ୱାକଫ୍ ବିଲକୁ ଜେସିପିକୁ ପଠାଇବା, ବ୍ରଡକାଷ୍ଟ ବିଲକୁ ଫେରାଇ ନେବା, ୟୁପିଏସ୍ସି ଲାଟେରାଲ୍ ଏଣ୍ଟ୍ରିକୁ ଫେରାଇ ନେବା ଏସବୁ କିଛି ବିଜେପି ସରକାରର ପରାଜୟକୁ ନିଶ୍ଚିତ କରିଛି । ତେବେ ଆଗାମୀ ଦିନରେ ମଧ୍ୟ ଆମେ ଆମ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିଚାଲିବୁ ଏବଂ ୧୪୦କୋଟି ଭାରତୀୟଙ୍କୁ ଏହି ନିରଙ୍କୁଶ ସରକାରରୁ ରକ୍ଷା କରିବୁ ।”
ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ‘ୟୁପିଏସ୍’ ରୂପେ ଏକ ନୂଆ ପେନସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ସ୍କିମ୍) ସମ୍ପର୍କରେ ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ଏହି ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା । ଏହି ୟୁପିଏସ୍ ଯୋଜନା ଦ୍ୱାରା ଦେଶର ପ୍ରାୟ ୨୩ ଲକ୍ଷ ହିତାଧିକାରୀ ଲାଭବାନ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ୟୁପିଏସ୍ ଯୋଜନା ଅଧୀନରେ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ୍, ଫ୍ୟାମିଲି ପେନ୍ସନ୍ ଏବଂ ନିଶ୍ଚିତ ସର୍ବନିମ୍ନ ପେନସନ୍ ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ଏହି ନୂଆ ୟୁପିଏସ୍ ଯୋଜନା ଅନ୍ତର୍ଗତ ୨୫ ବର୍ଷର କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଅବସର ଗ୍ରହଣର ଠିକ୍ ବର୍ଷକ (୧୨ମାସ) ପୂର୍ବରୁ ହାରାହାରି ବେସିକ୍ ପେ’ ଅର୍ଥର ୫୦% ପେନସନ୍ ରୂପେ ମିଳିବ ।
ସେହିପରି ଯଦି କୌଣସି ପେନସନଭୋଗୀଙ୍କ ମୃତ୍ୟୁ ହେଉଛି ତେବେ ତାଙ୍କ ପରିବାରକୁ କର୍ମଚାରୀଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ମିଳୁଥିବା ପେନସନ୍ ପରିମାଣର ୬୦% ଅର୍ଥ ମିଳିବ । ଯଦି କୌଣସି କର୍ମଚାରୀ ୧୦ ବର୍ଷର ଚାକିରି ଶେଷ କରିବା ପରେ ଚାକିରି ଛାଡ଼ୁଛନ୍ତି, ତେବେ ତାଙ୍କୁ ମାସିକ ୧୦ହଜାର ଟଙ୍କା ପେନସନ୍ ମିଳିବ । ଏତଦ୍ବ୍ୟତୀତ ୟୁନିଫାଏଡ୍ ପେନ୍ସନ୍ ଯୋଜନାରେ ମୁଦ୍ରାସ୍ଫୀତିକୁ ମଧ୍ୟ ବିଚାରକୁ ନିଆଯାଇଛି । ୟୁନିଫାଏଡ୍ ପେନ୍ସନ୍ ଯୋଜନାରେ ଅବସର ପରେ ଗ୍ରାଚ୍ୟୁଇଟି ବ୍ୟତୀତ ଏକଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ପ୍ରତି ୬ ମାସର ସେବା ପାଇଁ, ମାସିକ ବେତନର ୧/୧୦ (ପେ + ଡିଏ) ଅବସର ଦିନ ଦିଆଯିବ । ତେବେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏଣିକି ଏନ୍ପିଏସ୍ (ନ୍ୟାସନାଲ ପେନସନ୍ ସ୍କିମ୍) କିମ୍ବା ୟୁନିଫାଏଡ୍ ପେନସନ୍ ସ୍କିମ୍ (ୟୁପିଏସ୍) ମଧ୍ୟରୁ କେଉଁ ଗୋଟିଏ ଯୋଜନାକୁ ଚୟନ କରିବାର ବିକଳ୍ପ ଉପଲବ୍ଧ ହେବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।
ବର୍ତ୍ତମାନ ଲାଗୁ ହେଉଥିବା ପେନ୍ସନ ବ୍ୟବସ୍ଥାରେ କର୍ମଚାରୀଙ୍କ ଯୋଗଦାନ ୧୦% ରହିଥିବା ବେଳେ କେନ୍ଦ୍ର ସରକାର ୧୪% ଯୋଗଦାନ କରୁଛନ୍ତି । କିନ୍ତୁ ୟୁପିଏସ୍ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଯୋଗଦାନ ୧୮.୫% ରହିବ । କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଏହି ପେନସନ୍ ଯୋଜନା ଅନ୍ତର୍ଗତ କେନ୍ଦ୍ର କର୍ମଚାରୀଙ୍କୁ ପିଛିଲା ଭାବେ ଦିଆଯିବାକୁ ଥିବା ଅର୍ଥ ପରିମାଣ (ପୂର୍ବ ବକେୟା ଖର୍ଚ୍ଚ ବା ଏରିଅର୍) ୮୦୦ କୋଟି ଟଙ୍କା ହେବ । ସେହିପରି ଏହି ଯୋଜନା ଦ୍ୱାରା ବାର୍ଷିକ ମୂଲ୍ୟ ବୃଦ୍ଧି ପ୍ରଥମ ବର୍ଷରେ ପ୍ରାୟ ୬,୨୫୦ କୋଟି ଟଙ୍କା ହେବ ।










